ବେକାର ଯୁବକଙ୍କୁ ମୋହରା କରି ଖୋଲିଥିଲେ ୨୫ ବ୍ୟାଙ୍କ ଆକାଉଣ୍ଟ: ରାଜଧାନୀରେ ମ୍ୟୁଲ୍ ଆକାଉଣ୍ଟ୍ ନେଟୱାର୍କର ପର୍ଦ୍ଦାଫାଶ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ ଧରଣର ସାଇବର ଠକେଇ ନେଟୱାର୍କ ତଥା ‘ମ୍ୟୁଲ୍ ଆକାଉଣ୍ଟ୍’ ରାକେଟର ପର୍ଦ୍ଦାଫାଶ କରିଛି ସାଇବର ପୋଲିସ । ସାଇବର ଅପରାଧୀଙ୍କ ଠକେଇ ଟଙ୍କା କାରବାର ପାଇଁ ବେଆଇନ ବ୍ୟାଙ୍କ ଆକାଉଣ୍ଟ (ମ୍ୟୁଲ୍ ଆକାଉଣ୍ଟ) ଯୋଗାଉଥିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଏକ ଘରୋଇ ବ୍ୟାଙ୍କର ଫିଲ୍ଡ ଏଜେଣ୍ଟ ଜିତେନ୍ଦ୍ର କୁମାର ଖୁଣ୍ଟିଆ, ରଙ୍ଗମିସ୍ତ୍ରୀ ରାଜେଶ କୁମାର ଜେନା ଏବଂ ଟ୍ୟାକ୍ସି ଡ୍ରାଇଭର ପୁରୁଷୋତ୍ତମ ବେହେରା ସାମିଲ ଅଛନ୍ତି । ତେବେ ଏହି ସମଗ୍ର ରାକେଟର ମୁଖ୍ୟ କାର୍ପଟଦାର ତଥା ଏକ ବ୍ୟାଙ୍କର କର୍ମଚାରୀ କୃଷ୍ଣଚନ୍ଦ୍ର ବେହେରା ଏବେ ବି ଫେରାର ଥିବା ଜଣାପଡ଼ିଛି ।
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ମାନବ ସମ୍ବଳ ଏବଂ ଆତିଥେୟତା ସେବା ଯୋଗାଇଦେବା ବାହାନାରେ “ପିପି ମ୍ୟାନପାୱାର ସପ୍ଲାଇ ଆଣ୍ଡ ହସ୍ପିଟାଲିଟି ସର୍ଭିସେସ୍” ନାମରେ ଏକ ନକଲି କମ୍ପାନୀ ତିଆରି କରିଥିଲେ । ଏହି ନକଲି କମ୍ପାନୀ ନାଁରେ ବିଭିନ୍ନ ସରକାରୀ ତଥା ଘରୋଇ ବ୍ୟାଙ୍କରେ ଏକାଧିକ କରେଣ୍ଟ ଆକାଉଣ୍ଟ ଖୋଲାଯାଇଥିଲା । ଏହି ନେଟୱାର୍କର ମାଷ୍ଟରମାଇଣ୍ଡ କୃଷ୍ଣଚନ୍ଦ୍ର ବେହେରା ଷଷ୍ଠ ଶ୍ରେଣୀ ପଢ଼ିଥିବା ରାଜେଶ ଏବଂ ନବମ ଶ୍ରେଣୀ ପାସ୍ କରିଥିବା ପୁରୁଷୋତ୍ତମଙ୍କୁ ମୋଟା ଅଙ୍କର ଟଙ୍କା ଲୋଭ ଦେଖାଇ ଏହି ନକଲି କମ୍ପାନୀର ଯୁଗ୍ମ ନିର୍ଦ୍ଦେଶକ ବନାଇଥିଲେ ।
କମ୍ପାନୀ ନାଁରେ ପ୍ରାୟ ୨୫ଟି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଆକାଉଣ୍ଟଗୁଡ଼ିକୁ ଦିଲ୍ଲୀ ଏବଂ କୋଲକାତା ଭଳି ଦେଶର ବିଭିନ୍ନ ସ୍ଥାନରେ ସକ୍ରିୟ ଥିବା ସାଇବର ଠକମାନଙ୍କୁ ହସ୍ତାନ୍ତର କରାଯାଉଥିଲା । ସାଇବର ଠକମାନେ ଲୋକଙ୍କୁ ଠକି ଆଣୁଥିବା ଟଙ୍କାକୁ ଏହି ଆକାଉଣ୍ଟ ଜରିଆରେ କାରବାର କରୁଥିଲେ । ବର୍ତ୍ତମାନ ସୁଦ୍ଧା ଏହି ଆକାଉଣ୍ଟଗୁଡ଼ିକ ଜରିଆରେ ପ୍ରାୟ ୩୦ ରୁ ୩୫ ଲକ୍ଷ ଟଙ୍କାର ସନ୍ଦେହଜନକ କାରବାର ହୋଇଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି ।
ଚଢ଼ାଉ ବେଳେ ଭୁବନେଶ୍ୱର ସାଇବର ପୋଲିସ ଅଭିଯୁକ୍ତମାନଙ୍କ ନିକଟରୁ ବହୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରିଛି । ସେଥିମଧ୍ୟରେ ଏକାଧିକ ବ୍ୟାଙ୍କ ପାସବୁକ୍, ସ୍ୱାଇପ୍ ମେସିନ୍, ନକଲି କମ୍ପାନୀର ସିଲ୍ ଓ ମୋହର, ଏକ ପ୍ରିଣ୍ଟର୍ ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ସାମିଲ ରହିଛି । ସାଇବର ଅପରାଧୀମାନେ ନିରୀହ ଲୋକଙ୍କୁ ପ୍ରଲୋଭନ ଦେଖାଇ ସେମାନଙ୍କ ଆକାଉଣ୍ଟକୁ ‘ମ୍ୟୁଲ୍ ଆକାଉଣ୍ଟ’ ଭାବେ ବ୍ୟବହାର କରୁଛନ୍ତି । ତେଣୁ ସାଧାରଣ ଲୋକେ ନିଜ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ କାହାକୁ ନଦେବାକୁ ପୋଲିସ ପକ୍ଷରୁ ବାରମ୍ବାର ସତର୍କ କରାଯାଉଛି । ସାଇବର ଅପରାଧ ଭଳି ଏକ ସମ୍ବେଦନଶୀଳ ଘଟଣାରେ ଖୋଦ୍ ବ୍ୟାଙ୍କ ଏଜେଣ୍ଟ ଓ କର୍ମଚାରୀଙ୍କ ସମ୍ପୃକ୍ତି ଥିବାରୁ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇଛି । ଏହି ବିଶାଳ ନେଟୱାର୍କରେ ଅନ୍ୟ କେଉଁ କର୍ମଚାରୀଙ୍କ ସମ୍ପୃକ୍ତି ଅଛି କି ନାହିଁ ତାହାର ଖୋଳତାଡ଼ ଜାରି ରହିଛି ଏବଂ ଫେରାର ଥିବା ମାଷ୍ଟରମାଇଣ୍ଡକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦିଆଯାଇଛି ।

