ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ ପବିତ୍ର ନାମ ତଥା ପରିଚୟଗୁଡ଼ିକୁ ବ୍ୟବସାୟିକ ଅପବ୍ୟବହାରରୁ ରକ୍ଷା କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ଐତିହାସିକ ପଦକ୍ଷେପକୁ ଆଉ ଏକ ବଡ଼ ସଫଳତା ମିଳିଛି। ଶ୍ରୀଜୀଉଙ୍କ ସହ ନିବିଡ଼ ଭାବେ ଜଡ଼ିତ ଆଉ ୩ଟି ଗୁରୁତ୍ୱପୂର୍ଣ୍ଣ ତଥା ଆଧ୍ୟାତ୍ମିକ ପରିଚୟକୁ ଟ୍ରେଡ୍ମାର୍କ ସୁରକ୍ଷା ମିଳିବା ଦିଗରେ ବାଟ ଫିଟିଛି। ଏହି ତିନୋଟି ଅତ୍ୟନ୍ତ ପବିତ୍ର ନାମ ହେଉଛି- ‘ଶ୍ରୀମନ୍ଦିର’, ‘ରତ୍ନଭଣ୍ଡାର’ ଏବଂ ‘ଶ୍ରୀନଅର’ ।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସୂଚନା ଅନୁଯାୟୀ, ଭାରତ ସରକାରଙ୍କ ଟ୍ରେଡ୍ମାର୍କ ରେଜିଷ୍ଟ୍ରି ପକ୍ଷରୁ ଏହି ତିନୋଟି ଶବ୍ଦର ପଞ୍ଜୀକରଣ ଆବେଦନକୁ ପ୍ରାରମ୍ଭିକ ମଞ୍ଜୁରୀ ମିଳିଛି। ଏଗୁଡ଼ିକୁ ଆଗାମୀ ଟ୍ରେଡ୍ମାର୍କ ଜର୍ଣ୍ଣାଲରେ ପ୍ରକାଶନ ପାଇଁ ଅନୁମୋଦନ କରାଯାଇଛି। ନିୟମ ଅନୁଯାୟୀ ଜର୍ଣ୍ଣାଲରେ ପ୍ରକାଶ ପାଇବା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଯଦି କୌଣସି ଆପତ୍ତି ଅଭିଯୋଗ ନଆସେ, ତେବେ ଖୁବଶୀଘ୍ର ଏହାର ଚୂଡ଼ାନ୍ତ ପ୍ରମାଣପତ୍ର ମିଳିଯିବ ।
ଏହି ପ୍ରକ୍ରିୟା ଶେଷ ହେବା ପରେ ବିଧିବଦ୍ଧ ଭାବେ ଏହି ନାମଗୁଡ଼ିକର ସମ୍ପୂର୍ଣ୍ଣ ବୌଦ୍ଧିକ ସମ୍ପତ୍ତି ଅଧିକାର କେବଳ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ହିଁ ରହିବ। ଏହା ଫଳରେ କୌଣସି ବ୍ୟକ୍ତିବିଶେଷ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ନିଜର ବ୍ରାଣ୍ଡିଂ ବା ଆର୍ଥିକ ଫାଇଦା ପାଇଁ ଏହି ଶବ୍ଦଗୁଡ଼ିକର ମନଇଚ୍ଛା ଦୁରୁପଯୋଗ କରିପାରିବେ ନାହିଁ ।
ନୂତନ ଭାବେ ସୁରକ୍ଷିତ ହେବାକୁ ଥିବା ଏହି ତିନୋଟି ସ୍ଥାନର ଗୁରୁତ୍ୱ ଅପରିସୀମ। ଦ୍ୱାଦଶ ଶତାବ୍ଦୀର ଭବ୍ୟ କୋଠା ‘ଶ୍ରୀମନ୍ଦିର’ ସମଗ୍ର ବିଶ୍ୱରେ ସନାତନ ଧର୍ମର ଏକ ପ୍ରମୁଖ ପୀଠ। ସେହିପରି ‘ରତ୍ନଭଣ୍ଡାର’ ହେଉଛି ପ୍ରଭୁଙ୍କର ସେହି ପ୍ରାଚୀନ ଧନଭଣ୍ଡାର, ଯେଉଁଥିରେ ମହାପ୍ରଭୁଙ୍କ ଅମୂଲ୍ୟ ରତ୍ନ ଅଳଙ୍କାର ସାଇତା ହୋଇ ରହିଛି ଏବଂ ଯାହାର ଗାରିମା ସର୍ବବିଦିତ। ଅନ୍ୟପକ୍ଷରେ ‘ଶ୍ରୀନଅର’ ହେଉଛି ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜାଙ୍କ ରାଜପ୍ରାସାଦ, ଯାହା ରଥଯାତ୍ରା ଓ ଅନ୍ୟାନ୍ୟ ପ୍ରମୁଖ ନୀତିକାନ୍ତି ସହ ସିଧାସଳଖ ଜଡ଼ିତ ।
ଉଲ୍ଲେଖଯୋଗ୍ୟ ଯେ, ମହାପ୍ରଭୁଙ୍କ ପରମ୍ପରା ଏବଂ ଅନନ୍ୟ ପରିଚୟର ସୁରକ୍ଷା ପାଇଁ ଏସଜେଟିଏ ପକ୍ଷରୁ ମୋଟ ୨୯ଟି ନାମ, ଶବ୍ଦ ଓ ପ୍ରତୀକର ଟ୍ରେଡ୍ମାର୍କ ପାଇଁ ଦରଖାସ୍ତ କରାଯାଇଥିଲା। ପଶ୍ଚିମବଙ୍ଗର ଦୀଘାରେ ନିର୍ମିତ ଏକ ମନ୍ଦିରକୁ ‘ଜଗନ୍ନାଥ ଧାମ’ ନାମକରଣ କରାଯିବା ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ଓଡ଼ିଶା ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏହି ପ୍ରକ୍ରିୟାକୁ ବେଶ୍ ତ୍ୱରାନ୍ୱିତ କରିଥିଲେ । ପୂର୍ବରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ‘ଆନନ୍ଦ ବଜାର’, ‘ପତିତପାବନ’, ‘ନୀଳଚକ୍ର’ ଲୋଗୋ, ‘ଜଗନ୍ନାଥ ଧାମ’, ‘ଶ୍ରୀକ୍ଷେତ୍ର’, ‘ମହାପ୍ରସାଦ’ ଏବଂ ‘କୋଇଲି ବୈକୁଣ୍ଠ’ ଆଦିକୁ ସଫଳତାର ସହ ଟ୍ରେଡ୍ମାର୍କ ମାନ୍ୟତା ମିଳିସାରିଛି। ନିଜର ଆଧ୍ୟାତ୍ମିକ ତଥା ସାଂସ୍କୃତିକ ଐତିହ୍ୟକୁ ଆଇନଗତ ସୁରକ୍ଷା ପ୍ରଦାନ କରିବାରେ ପୁରୀ ଶ୍ରୀମନ୍ଦିର ସମଗ୍ର ଦେଶର ତୀର୍ଥକ୍ଷେତ୍ରଗୁଡ଼ିକ ପାଇଁ ଏକ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିଛି ।


Comments are closed.