Latest Odisha News

BREAKING NEWS

ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆଇନ ପରିସରକୁ BCCI ଏବଂ ରାଜ୍ୟ ସଂଘଗୁଡ଼ିକ କାହିଁକି ଆସିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଏବଂ ସମସ୍ତ ରାଜ୍ୟ କ୍ରିକେଟ ସଂଘଗୁଡ଼ିକୁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି। ଦେଶରେ କାର୍ଯ୍ୟକାରୀ ହୋଇଥିବା ‘ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆଇନ, ୨୦୨୫’ ପରିସରଭୁକ୍ତ ବିସିସିଆଇଏବଂ ରାଜ୍ୟ କ୍ରିକେଟ ସଂଘଗୁଡ଼ିକ କାହିଁକି ହେବେ ନାହିଁ, ସେ ନେଇ କୋର୍ଟ ସ୍ପଷ୍ଟୀକରଣ ମାଗିଛନ୍ତି।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ବିସିସିଆଇ ସମ୍ବନ୍ଧୀୟ ବିଭିନ୍ନ ଆବେଦନର ଶୁଣାଣି କରିବା ସମୟରେ ଏହି ନିର୍ଦ୍ଦେଶ ଦେଇଛନ୍ତି। କ୍ରିକେଟ ବୋର୍ଡ ଏବଂ ରାଜ୍ୟ ସଂଘଗୁଡ଼ିକର କର୍ମକର୍ତ୍ତାଙ୍କ ସେବା ସର୍ତ୍ତାବଳୀ, କାର୍ଯ୍ୟକାଳ ଓ ଶାସନ ପ୍ରଣାଳୀ ଏହି ନୂତନ ଜାତୀୟ କ୍ରୀଡ଼ା ଆଇନ ଅଧୀନକୁ କାହିଁକି ଅଣାଯାଇପାରିବ ନାହିଁ, ସେ ସମ୍ପର୍କରେ ନିଜ ନିଜର ଓକିଲଙ୍କ ମାଧ୍ୟମରେ ସ୍ପଷ୍ଟ ମତାମତ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୪ ମସିହାରୁ ବିସିସିଆଇ ପ୍ରଶାସନ ଓ ସଂସ୍କାରକୁ ନେଇ ସୁପ୍ରିମକୋର୍ଟରେ ଆବେଦନଗୁଡ଼ିକର ଶୁଣାଣି ଚାଲିଛି। ପୂର୍ବରୁ କୋର୍ଟ ପୂର୍ବତନ ପ୍ରଧାନ ବିଚାରପତି ଆର.ଏମ. ଲୋଧା କମିଟିର ସୁପାରିଶକୁ ଗ୍ରହଣ କରି କ୍ରିକେଟ ବୋର୍ଡରେ ସଂସ୍କାର ଆଣିଥିଲେ। ଏଥିସହ ୨୦୨୨ରେ ସଂଶୋଧିତ ସମ୍ବିଧାନ ଅନୁଯାୟୀ କର୍ମକର୍ତ୍ତାଙ୍କ ‘କୁଲିଂ-ଅଫ୍ ପିରିୟଡ୍’ ଓ କାର୍ଯ୍ୟକାଳ ନିୟମ ସ୍ଥିର କରାଯାଇଥିଲା।

ତେବେ ବର୍ତ୍ତମାନ ନୂତନ ଜାତୀୟ କ୍ରୀଡ଼ା ଆଇନ ବଳବତ୍ତର ଥିବାରୁ, କ୍ରିକେଟ ସଂସ୍ଥାଗୁଡ଼ିକରେ ସ୍ୱଚ୍ଛତା, ନିରପେକ୍ଷ ନିର୍ବାଚନ ଓ ଆଇନଗତ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହାକୁ ଏହି ଆଇନ ପରିସରକୁ ଆଣିବା ନେଇ ସୁପ୍ରିମକୋର୍ଟ ପୁନର୍ବାର ବିଚାର କରୁଛନ୍ତି।

Leave A Reply

Your email address will not be published.