Latest Odisha News

BREAKING NEWS

ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କ ନେତୃତ୍ୱ, ସୃଜନଶୀଳତା ଓ ନବସୃଜନକୁ ଜାତୀୟ ସ୍ତରରେ ନୂଆ ପରିଚୟ ଦେବା ଉଦ୍ଦେଶ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ମାନ୍ୟବର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏକ ସାମ୍ବାଦିକ ସମ୍ମିଳନୀରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ (VBYLD)-୨୦୨୭’ ସମ୍ପର୍କରେ ସୂଚନା ଦେଇଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ‘MY Bharat’ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନ ମାଧ୍ୟମରେ ଯୁବମାନଙ୍କୁ ‘ବିକଶିତ ଭାରତ @୨୦୪୭’ର ଲକ୍ଷ୍ୟ ପ୍ରତି ନିଜର ଚିନ୍ତାଧାରା ଓ ଅବଦାନ ଉପସ୍ଥାପନ କରିବାର ଅପୂର୍ବ ସୁଯୋଗ ମିଳିବ।

ମନ୍ତ୍ରୀ ସୂରଜ କହିଛନ୍ତି, ଏହି ସଂଳାପ ହେଉଛି ରାଜ୍ୟ ଓ ଦେଶର ଆଗାମୀ ଯୁବ ନେତାମାନଙ୍କ ପାଇଁ ‘ଖେଳପଡ଼ିଆରୁ ସଂସଦ’ ଏବଂ ‘ଶ୍ରେଣୀଗୃହରୁ ବୋର୍ଡରୁମ୍‌’ ପର୍ଯ୍ୟନ୍ତ ପହଞ୍ଚିବାର ଏକ ଦକ୍ଷ ମଞ୍ଚ। ଚିନ୍ତାଧାରାରୁ ନବସୃଜନ ପ୍ରକ୍ରିୟାରେ ବିଭିନ୍ନ ଉତ୍ପାଦ ଓ ସେବା ସାମିଲ ରହିଛି। ଯୁବପିଢ଼ିଙ୍କ ମଧ୍ୟରେ ଥିବା ନୂତନ ଚିନ୍ତାଧାରା ଏବଂ ନବସୃଜନକୁ କିପରି ସମୃଦ୍ଧ ଓ ପ୍ରୋତ୍ସାହିତ କରାଯାଇପାରିବ, ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି ଉତ୍ତମ ଚିନ୍ତାଧାରାଗୁଡ଼ିକୁ ସାକାର କରିବା ପାଇଁ ସରକାର IIT ଏବଂ ଅନ୍ୟାନ୍ୟ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକର ସହାୟତା ମଧ୍ୟ ନେଉଛନ୍ତି।

ସ୍ୱାମୀ ବିବେକାନନ୍ଦଙ୍କର ଅମର ବାଣୀ “ମୋତେ ୧୦୦ ଜଣ ସମର୍ପିତ ଯୁବକ ଦିଅ, ମୁଁ ସମ୍ପୂର୍ଣ୍ଣ ବିଶ୍ୱକୁ ବଦଳାଇ ଦେବି” କୁ ସ୍ମରଣ କରି ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ପ୍ରତିଭାର କୌଣସି ଅଭାବ ନାହିଁ। ନୂତନ ଚିନ୍ତାଧାରା, ନବସୃଜନ ଏବଂ ସଂସ୍କୃତିର ମିଳନ ହେଉଛି ‘ଦକ୍ଷ ଓଡ଼ିଶା’, ‘ବିକଶିତ ଓଡ଼ିଶା’ ଏବଂ ସର୍ବୋପରି ‘ବିକଶିତ ଭାରତ’ର ମୂଳଦୁଆ। ପୂର୍ବରୁ ଓମ୍‌ପ୍ରକାଶ ରଥ ଏବଂ ସୁଜାତା ଭୂଇଆଁ ଙ୍କ ଭଳି ପ୍ରତିଭାମାନେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ଏବେ ଓଡ଼ିଶାରୁ ଏହିଭଳି ଆହୁରି ଅନେକ ନୂଆ ପ୍ରତିଭାଙ୍କୁ ଆଗକୁ ବଢ଼ାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଅଭିଯାନକୁ ଅଧିକ ସଫଳ କରିବା ଏବଂ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ କ୍ରୀଡ଼ା ଓ ଯୁବସେବା ବିଭାଗ ‘MY Bharat’ ଏବଂ ‘NSS’ ସହିତ ସହବନ୍ଧିତା କରୁଛି।

VBYLD–2027ର ପ୍ରଥମ ପର୍ଯ୍ୟାୟ ଭାବେ ‘Viksit Bharat Quiz’ ଅନଲାଇନ୍‌ରେ ୧୭ ଅଗଷ୍ଟରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ ଯେଉଁଥିରେ ବୟସ ସୀମା ହୋଉଛି ୧୫ ରୁ ୨୯ ବର୍ଷ । କୁଇଜ୍‌ରେ କୃତକାର୍ଯ୍ୟ ଯୁବକମାନେ ୫୦୦ ଶବ୍ଦର ‘ନିବନ୍ଧ ପ୍ରତିଯୋଗିତା’ ରେ ଭାଗ ନେବେ। ଏହାପରେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ରାଜ୍ୟରୁ ଚୟନିତ ଯୁବମାନେ ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ନିଜର ନୂତନ ଚିନ୍ତାଧାରା ଉପସ୍ଥାପନ କରିବାର ସୁଯୋଗ ପାଇବେ।

ଏହି କାର୍ଯ୍ୟକ୍ରମରେ ବିକଶିତ ଭାରତ ଚ୍ୟାଲେଞ୍ଜ, କଲଚରାଲ ଟ୍ରାକ୍, ଡିଜାଇନ୍ ଫର୍ ଭାରତ, ହ୍ୟାକ୍ ଫର୍ ସୋସିଆଲ୍ କଜ୍, ୟୁଥ୍ ଆଣ୍ଟ୍ରପ୍ରେନରସିପ୍ ଚ୍ୟାଲେଞ୍ଜ ଏବଂ ୟୁଥ୍ ପାର୍ଲାମେଣ୍ଟ ଭଳି ୬ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାକ୍ ସାମିଲ ରହିଛି। ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ଯୁବପିଢ଼ିଙ୍କୁ MY Bharat ପୋର୍ଟାଲ ([https://mybharat.gov.in/vbyld-2027](https://mybharat.gov.in/vbyld-2027)) ଜରିଆରେ ଏହି ପ୍ରତିଯୋଗିତାରେ ଅଧିକରୁ ଅଧିକ ସଂଖ୍ୟାରେ ପଞ୍ଜୀକରଣ କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

Leave A Reply

Your email address will not be published.