Latest Odisha News

BREAKING NEWS

ପାକିସ୍ତାନକୁ ୧୯-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ଭାରତ

ନୂଆଦିଲ୍ଲୀ: ମହିଳା ଜୁନିୟର ଏସିଆ କପ୍‌ରେ ଭାରତୀୟ ଜୁନିୟର ମହିଳା ହକି ଦଳ ଐତିହାସିକ ବିଜୟ ହାସଲ କରିଛି । କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଭାରତୀୟ ଦଳ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୯-୦ ଗୋଲର ବୃହତ ବ୍ୟବଧାନରେ ପରାସ୍ତ କରି ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି । ମହିଳା ଜୁନିୟର ହକି ଇତିହାସରେ ଭାରତର ପାକିସ୍ତାନ ବିପକ୍ଷରେ ଏହା ସବୁଠାରୁ ବଡ଼ ବିଜୟ ।  ଭାରତ ପ୍ରଥମ ହାଫ୍‌ରେ ୧୦ଟି ଏବଂ ଦ୍ୱିତୀୟ ହାଫ୍‌ରେ ୯ଟି ଗୋଲ୍ ଦେଇ ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲା ।  ଭାରତର ପୂଜା ମଲିକ ଚମତ୍କାର ପ୍ରଦର୍ଶନ କରି ହାଟ୍ରିକ୍ ହାସଲ କରିବା ସହ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ପୂଜାଙ୍କ ବ୍ୟତୀତ ସାନିକା ଚନ୍ଦ୍ରକାନ୍ତ ମାନେ, ମଧୁ ସିଦାର, ସୁପ୍ରିୟା ଏବଂ ରୋଶନୀ ଆଇନ୍ଦ ୨-୨ଟି ଲେଖାଏଁ ଗୋଲ୍ କରି ଦଳର ବିଜୟକୁ ସହଜ କରିଥିଲେ ।

ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ୧୮ଟି ପେନାଲ୍ଟି କୋର୍ନର ଓ ଗୋଟିଏ ପେନାଲ୍ଟି ଷ୍ଟ୍ରୋକ୍ ପାଇଥିବା ବେଳେ ପାକିସ୍ତାନ ଗୋଟିଏ ହେଲେ ବି ପେନାଲ୍ଟି କୋର୍ନର କିମ୍ବା ଗୋଲ୍ କରିବାରେ ସଫଳ ହୋଇପାରିନଥିଲା । ବିଶେଷ କଥା ହେଉଛି, ମହିଳା ଜୁନିୟର ହକିରେ ଭାରତ ଓ ପାକିସ୍ତାନ ଦଳ ପ୍ରଥମ ଥର ପାଇଁ ପରସ୍ପରର ସାମ୍ନାସାମ୍ନି ହୋଇଥିଲେ । ପୂର୍ବରୁ ୨୦୨୩ ଓ ୨୦୨୪ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିୟନ୍ ଥିବା ଭାରତୀୟ ଦଳ ଏହି ପ୍ରଥମ ଭେଟକୁ ଅତ୍ୟନ୍ତ ସ୍ମରଣୀୟ କରି ରଖିଛି । ଗ୍ରୁପ୍ ପର‌୍ୟ୍ୟାୟରେ ଜାପାନ, ମାଲେସିଆ ଓ ଦକ୍ଷିଣ କୋରିଆକୁ ହରାଇ ଅପରାଜେୟ ରହିଥିବା ଭାରତୀୟ ଦଳ ଏବେ ସେପ୍ଟେମ୍ବର ୧୨ରେ ସେମିଫାଇନାଲ ମ୍ୟାଚ୍ ଖେଳିବ ।

Leave A Reply

Your email address will not be published.