ଭୁବନେଶ୍ୱର: ଭୁବନେଶ୍ବରର ସଂସ୍କୃତି ଭବନରେ ଆୟୋଜିତ ଏକ ସାରସ୍ବତ ସମାରୋହରେ ପ୍ରଖ୍ୟାତ ଲେଖିକା ପ୍ରତିଭା ରାୟଙ୍କୁ ଅକାଦେମୀର ଫେଲୋସିପ୍ରେ ସମ୍ମାନିତ କରାଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ସେପ୍ଟେମ୍ବର ୧୦ ତାରିଖରେ ପ୍ରତିଭା ରାୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଡକ୍ଟର ପ୍ରତିଭା ରାୟଙ୍କୁ ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ସାହିତ୍ୟ ଅକାଦେମୀ ଫେଲୋସିପ୍ ପ୍ରଦାନ କରାଯାଇଛି।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଫେଲୋସିପ୍ର ପ୍ରାପକ ପ୍ରତିଭା ରାୟ ତଥା ଉପସ୍ଥିତ ଅତିଥିବୃନ୍ଦଙ୍କୁ ସ୍ବାଗତ କରାଯାଇଥିଲା। ସାହିତ୍ୟ ଅକାଦେମିର ସଚିବ ବରୁଣ ଗୁଲାଟି କହିଛନ୍ତି, ପ୍ରତିଭା ରାୟ ଆମ ଦେଶର ଅତି ପ୍ରତିଭାଶାଳୀ ସାହିତ୍ୟିକଙ୍କ ମଧ୍ୟରେ ଅନ୍ୟତମ। ସେହିପରି ସେ ଓଡ଼ିଆ ଭାଷାରେ ଲେଖନ୍ତି ସତ; କିନ୍ତୁ ସେ ସମଗ୍ର ଭାରତବର୍ଷର ଲେଖକମାନଙ୍କର ପ୍ରତିନିଧିତ୍ବ କରନ୍ତି ବୋଲି କହିଛନ୍ତି ଅକାଦେମୀର ସଭାପତି ମାଧବ କୌଶିକ।
ସାହିତ୍ୟ ଅକାଦେମୀର ଓଡ଼ିଆ ଉପଦେଷ୍ଟାମଣ୍ଡଳୀର ଆବାହକ ଗୌରହରି ଦାସ କହିଛନ୍ତି, ଜଣେ ନାରୀ ଲେଖକର ଜୀବନ ଜଣେ ପୁରୁଷ ଲେଖକର ଜୀବନ ସହିତ ସମାନ ନୁହେଁ। ଏହି ଅବସରରେ ପ୍ରତିଭା ରାୟଙ୍କ ଲେଖକୀୟ ଅବଦାନ ବିଷୟରେ ଅନୁଷ୍ଠିତ ଏକ ‘ସମ୍ବାଦ’ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ପ୍ରଫୁଲ୍ଲ କୁମାର ମହାନ୍ତି, ସଂଘମିତ୍ରା ମିଶ୍ର ଓ ଦେବପ୍ରସାଦ ଦାଶ। ଏହାପରେ ଏକାଡେମୀ ଫେଲୋସିପ୍ ଗ୍ରହଣ କରିଥିବା ପ୍ରତିଭା ରାୟ ସାହିତ୍ୟ ଏକାଡେମୀ କର୍ତ୍ତୃପକ୍ଷ ଦିଲ୍ଲୀରୁ ଆସି ଏଠାରେ ତାଙ୍କର ପ୍ରିୟ ପାଠକମାନଙ୍କ ସାମନାରେ ଏହି ଫେଲୋସିପ୍ ପ୍ରଦାନ କରିଥିବାରୁ କୃତଜ୍ଞତା ଅର୍ପଣ କରିଥିଲେ।
ଚଳିତ ବର୍ଷ ଏପ୍ରିଲ ମାସ ଏକ ତାରିଖ ଦିନ ପ୍ରତିଭା ରାୟଙ୍କୁ ଏହି ଫେଲୋସିପ୍ ପାଇଁ ମନୋନୀତ କରାଯାଇଥିବା କଥା ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ଏହି ଘୋଷଣାର ଦୀର୍ଘ ପ୍ରାୟ ପାଞ୍ଚ ମାସ ପରେ ଆଜି ତାଙ୍କୁ ଔପଚାରିକ ଭାବରେ ଏହି ଫେଲୋସିପ୍ ପ୍ରଦାନ କରାଯାଇଛି। ଏହା ପୂର୍ବରୁ ଓଡ଼ିଶାରୁ ଜୟନ୍ତ ମହାପାତ୍ର (୨୦୧୯), ସୀତାକାନ୍ତ ମହାପାତ୍ର (୨୦୧୩), ରମାକାନ୍ତ ରଥ (୨୦୦୯), ମନୋଜ ଦାସ (୨୦୦୬), ସଚ୍ଚି ରାଉତରାୟ (୧୯୯୬), କାହ୍ନୁଚରଣ ମହାନ୍ତି (୧୯୯୪) ଓ କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୭୧)ଙ୍କୁ ଏହି ଫେଲୋସିପ୍ରେ ସମ୍ମାନିତ କରାଯାଇସାରିଛି।
ସାହିତ୍ୟ ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି ଯେ ଅକାଦେମିର ଏହି ସର୍ବୋଚ୍ଚ ସମ୍ମାନ କେବଳ ସାହିତ୍ୟର ଅମର ସ୍ରଷ୍ଟାମାନଙ୍କ ପାଇଁ ସଂରକ୍ଷିତ ଏବଂ ଏଥିପାଇଁ ଯୋଗ୍ୟ ସାହିତ୍ୟିକଙ୍କୁ ଏକ ଚୟନ ପ୍ରକ୍ରିୟା ମାଧ୍ୟମରେ ବଛାଯାଇଥାଏ। ଯେ କୌଣସି ସମୟରେ ସାହିତ୍ୟ ଅକାଦେମୀର ଫେଲୋମାନଙ୍କର ମୋଟ ସଂଖ୍ୟା ୨୨ ରହିଥାଏ।

