ବାଂଲାଦେଶ : ମା’ର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଗୋଟିଏ ବୋଲି ଆଶା ଥିଲା—ଥରେ ହେଲେ ଜେଲ୍ରେ ଥିବା ପୁଅକୁ ଆଖିପୁରାଇ ଦେଖିବେ। କିନ୍ତୁ ସେହି ଆଶା ଅପୂରଣୀୟ ରହିଗଲା। ଶେଷରେ ଆଜି ସକାଳେ ଜୀବନ ସହ ସଂଗ୍ରାମ କରି ଆରପାରିକୁ ଚାଲିଗଲେ ହିନ୍ଦୁ ପୂଜାରୀ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ୭୨ ବର୍ଷୀୟା ମା’ ସନ୍ଧ୍ୟା ରାଣୀ ଧର।
ଗୁରୁତର ଅସୁସ୍ଥତା ଏବଂ କ୍ୟାନ୍ସର ରୋଗରେ ପୀଡ଼ିତ ମା’ଙ୍କୁ ଦେଖିବା ପାଇଁ ପରିବାର ଲୋକେ ପୂର୍ବରୁ ପାରୋଲ ଆବେଦନ କରିଥିଲେ ବି ତାହା ନାକଚ ହୋଇଯାଇଥିଲା। ଆଉ ଆଜି ମା’ଙ୍କ ଦେହାନ୍ତ ପରେ, କେବଳ ଶେଷକୃତ୍ୟ ଓ ଦାହସଂସ୍କାରରେ ଯୋଗଦେବା ପାଇଁ ବାଂଲାଦେଶ ପ୍ରଶାସନ ଚିନ୍ମୟ ଦାସଙ୍କୁ ମାତ୍ର ୫ ଘଣ୍ଟାର ସର୍ତ୍ତମୂଳକ ପାରୋଲ ମଞ୍ଜୁର କରିଛି।ପୋଲିସ ଓ କଡା ସୁରକ୍ଷା ବଳୟ ମଧ୍ୟରେ ଚିନ୍ମୟ ଙ୍କୁ ଜେଲରୁ ଅଣାଯାଇଥିଲା ଏବଂ ନିର୍ଦ୍ଧାରିତ ୫ ଘଣ୍ଟାର ସମୟସୀମା ଶେଷ ହେବା କ୍ଷଣି ତାଙ୍କୁ ପୁନର୍ବାର ଚଟ୍ଟଗ୍ରାମ କେନ୍ଦ୍ରୀୟ ଜେଲକୁ ଅଣାଯାଇଛି। ଆଲିଫ୍ ହତ୍ୟା ମାମଲାରେ ଚିନ୍ମୟଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇଥିଲା। ଏହା ପରେ, କୋତୱାଲି ଥାନାରେ ରୁଜୁ ହୋଇଥିବା ଏହି ମାମଲାରେ ପୋଲିସ ଚିନ୍ମୟ ଏବଂ ଅନ୍ୟ ୩୮ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା।

