କଟକ:୨ ଉପମୁଖ୍ୟମନ୍ତ୍ରୀ (କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା)ଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରୁଥିବା ଜନସ୍ୱାର୍ଥ ମାମଲା (PIL) କୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହି ଜନସ୍ବାର୍ଥ ମାମଲା ଦାୟରର ଆଧାର ଭ୍ରମାତ୍ମକ ବୋଲି ହାଇକୋର୍ଟ କହିଛନ୍ତି। ଏଭଳି ଅଯଥା ଜନସ୍ବାର୍ଥ ମାମଲା ଦାୟର ନ କରିବାକୁ ହାଇକୋର୍ଟ ତାଗିଦ କରିଛନ୍ତି। ଆବେଦନକାରୀ ଜଣେ ଆଇନଜୀବୀ ହୋଇଥିବା ବେଳେ ଆଗକୁ ମୌଳକ, ସାମ୍ବିଧାନିକ ଅଧିକାର ଉଲ୍ଲଂଘନ ହୋଇଥିବା ତଥା ବଞ୍ଚିତ ବ୍ୟକ୍ତିଙ୍କ ସେ ବାସ୍ତବ ଦାବି ଉଠାଇବେ ଓ ଏପରି ଅଯଥା ମୋକଦ୍ଦମାରେ ସଂପୃକ୍ତ ହେବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।
ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଲିନା ଦାସଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶ୍ରୀନିବାସ ମହାନ୍ତି ମାମଲା ପରିଚାଳନା କରୁଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ ଭାରତୀୟ ସମ୍ବିଧାନରେ ”ଉପମୁଖ୍ୟମନ୍ତ୍ରୀ” ପଦବୀ ପ୍ରସଂଗରେ କୌଣସି ଉଲ୍ଲେଖ ନାହିଁ। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ (ଚିଫ ମିନିଷ୍ଟର ଆଣ୍ଡ କାଉନସିଲ ଅଫ ମିନିଷ୍ଟରସ)ଙ୍କୁ ସମ୍ବିଧାନର ଧାରା ୧୬୩ ଓ ୧୬୪ ସ୍ବୀକୃତି ଦେଇଛି। କିନ୍ତୁ ଉପ ମୁଖ୍ୟମନ୍ତ୍ରୀ ଭଳି ସ୍ବତନ୍ତ୍ର ସାମ୍ବିଧାନିକ ପଦ ପ୍ରସଂଗରେ ସମ୍ବିଧାନରେ କିଛି ବ୍ୟବସ୍ଥା ନାହିଁ ବୋଲି ଦର୍ଶାଇ ଏହି ଆବେଦନ ଦାୟର ହୋଇଥିଲା। କିନ୍ତୁ ଉପମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତ ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ଭାବେ ବିିଭିନ୍ନ ସୁବିଧା ଓ ପ୍ରୋଟୋକଲ ପ୍ରଦାନ କରାଯାଉଛି। ସମ୍ବିଧାନ ଉପମୁଖ୍ୟମନ୍ତ୍ରୀ ପଦକୁ ସ୍ବୀକୃତି ଦେଉ ନଥିବା ବେଳେ ଓଡ଼ିଶାରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ବର୍ଣ୍ଣନାତ୍ମକ ପଦବି ‘ଉପମୁଖ୍ୟମନ୍ତ୍ରୀ’ କୌଣସି ପୃଥକ ସାମ୍ବିଧାନିକ ପଦ ବା ମନ୍ତ୍ରୀ ପରିଷଦର ମନ୍ତ୍ରୀଙ୍କ ଠାରୁ ଉର୍ଦ୍ଧ୍ବ ପଦ ନୁହେଁ ବୋଲି ଘୋଷଣା କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।
ହାଇକୋର୍ଟରେ ଶୁଣାଣି ବେଳେ ଏହି ଜନସ୍ବାର୍ଥ ଆବେଦନକୁ ବିରୋଧ କରି ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଦର୍ଶାଇଥିଲେ ଯେ ଏହି ମାମଲା ଗ୍ରହଣୀୟ ନୁହେଁ। କୌଣସି ସାମ୍ବିଧାନିକ ବ୍ୟବସ୍ଥା ଉଲ୍ଲଂଘନ କରି ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। କେନ୍ଦ୍ରରେ ଉପପ୍ରଧାନମନ୍ତ୍ରୀ ଓ ବିଭିନ୍ନ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ପଦବି ରହିବା କୌଣସି ଅସାମ୍ବିଧାନିକ ପ୍ରସଂଗ ନୁହେଁ। ଏହା କିଛି ନୂଆ କଥା ନୁହେଁ। ସୁପ୍ରିମକୋର୍ଟଙ୍କ କେ.ଏମ.ଶର୍ମା ବନାମ ଶ୍ରୀ ଦେବୀଲାଲ ମାମଲାର ରାୟ ଓ କର୍ଣ୍ଣାଟକ ହାଇକୋର୍ଟଙ୍କ ଡକ୍ଟର ଶେଖର ଏସ ଆୟର ମାମଲା ରାୟ ସହିତ ଦେଶର ଅନ୍ୟ ହାଇକୋର୍ଟଙ୍କ ରାୟର ନଜିର ଆଡଭୋକେଟ ଜେନେରାଲ ଉପସ୍ଥାପନ କରିଥିଲେ। ଏପରି ଅବାଞ୍ଛିତ ଜନସ୍ବାର୍ଥ ମାମଲା କୌଣସି ଯୁକ୍ତିଯୁକ୍ତ କାରଣ ନ ଥାଇ ଦାୟର କରାଯାଇଥିବାରୁ ଏହାକୁ ଖାରଜ କରାଯାଉ ବୋଲି ଆଡଭୋକେଟ ଜେନେରାଲ ଦୃଢ ଯୁକ୍ତି ଉପସ୍ଥାପନ କରିଥିଲେ।

