Latest Odisha News

BREAKING NEWS

ରାଜ୍ୟସଭା ଭୋଟିଂ ବିବାଦ: ବାଚସ୍ପତିଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ କଲା ବିଜେଡି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ନିର୍ଦ୍ଦେଶ ଉଲ୍ଲଂଘନ କରି କ୍ରସ୍ ଭୋଟିଂ କରିଥିବା ୮ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗ ଏବେ ହାଇକୋର୍ଟରେ ପହଞ୍ଚିଛି । ଏହି ମାମଲାରେ ବିଧାନସଭା ବାଚସ୍ପତିଙ୍କ ନିଷ୍ପତ୍ତିକୁ କଡ଼ା ଚାଲେଞ୍ଜ କରି ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ବାଚସ୍ପତିଙ୍କୁ ଏହି ମାମଲାରେ ଏକ ମୁଖ୍ୟ ପକ୍ଷ କରି ଦଳ ତରଫରୁ ହାଇକୋର୍ଟରେ ଏକ ସିଭିଲ୍ ରିଟ୍ ପିଟିସନ୍ ଦାୟର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ରାଜ୍ୟସଭା ନିର୍ବାଚନରେ ବିଜେଡିର ୮ ଜଣ ବିଧାୟକ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ଅନ୍ୟ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ। ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗ ଆଣି ଏହି ବିଦ୍ରୋହୀ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ପୂର୍ବରୁ ବାଚସ୍ପତି ସୁରମା ପାଢ଼ୀଙ୍କ ନିକଟରେ ଏକ ପିଟିସନ୍ ଦାଖଲ କରିଥିଲା। ତେବେ କିଛି ବୈଷୟିକ ତ୍ରୁଟି ଦର୍ଶାଇ ବାଚସ୍ପତି ନିକଟ ଅତୀତରେ ଏହି ଆବେଦନକୁ ଖାରଜ କରିଦେଇଥିଲେ। ବାଚସ୍ପତିଙ୍କର ଏହି ଖାରଜ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରି ଦଳ ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଛି।

ଏ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ବାଚସ୍ପତି ଏହି ସମ୍ବେଦନଶୀଳ ମାମଲାରେ ସମ୍ପୂର୍ଣ୍ଣ ଏକତରଫା ନିଷ୍ପତ୍ତି ଗ୍ରହଣ କରିଛନ୍ତି ଏବଂ ବିଜେଡିକୁ ନିଜର ନ୍ୟାଯ୍ୟ ଯୁକ୍ତି ଉପସ୍ଥାପନ କରିବା ପାଇଁ କୌଣସି ସୁଯୋଗ ଦେଇନାହାନ୍ତି । “ବାଚସ୍ପତିଙ୍କ ଏହି ନିଷ୍ପତ୍ତି ବିରୋଧରେ ଆମେ ହାଇକୋର୍ଟ ଯାଇଛୁ। ଏବେ ମାନବୀୟ ନ୍ୟାୟାଳୟ ଏହି ଘଟଣାର ତର୍ଜମା ଓ ବିଚାର କରିବେ ବୋଲି ଆମର ପୂର୍ଣ୍ଣ ବିଶ୍ୱାସ ଅଛି,” ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।

ଅନ୍ୟପକ୍ଷରେ, ଶାସକ ଭାରତୀୟ ଜନତା ପାର୍ଟିଏହି ପ୍ରସଙ୍ଗରେ ନିଜର ଯୁକ୍ତି ରଖିଛି। ବିଜେପିର କହିବା ଅନୁଯାୟୀ, ରାଜ୍ୟସଭା ନିର୍ବାଚନରେ ବିଧାୟକମାନେ ନିଜର ବିବେକ ଓ ଇଚ୍ଛା ଅନୁଯାୟୀ ମତଦାନ କରିଥାନ୍ତି ଏବଂ ଏଭଳି ନିର୍ବାଚନରେ ସାଧାରଣତଃ ଦଳୀୟ ହ୍ୱିପ୍ ସିଧାସଳଖ ଲାଗୁ ହୁଏ ନାହିଁ । ଦଳର ବରିଷ୍ଠ ନେତାମାନଙ୍କ ମତ ନନେଇ ବିଜେଡି ସଭାପତି ପ୍ରାର୍ଥୀ ଚୟନ କରିଥିବାରୁ ଅସନ୍ତୁଷ୍ଟ ହୋଇ କିଛି ବିଧାୟକ ନିଜ ଦଳୀୟ ପ୍ରାର୍ଥୀଙ୍କ ସହ ଠିଆ ହୋଇନଥିଲେ । ତେବେ ଆଇନର ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ଅଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଆଗକୁ ହାଇକୋର୍ଟ ଏହି ମାମଲାରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ରାଜ୍ୟ ରାଜନୀତିର ନଜର ରହିଛି ।

Leave A Reply

Your email address will not be published.