Latest Odisha News

BREAKING NEWS

ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଲେ ତେଲକୋଇ ବିଧାୟକ ଫକୀର ମୋହନ ନାଏକ

କେନ୍ଦୁଝର: ତେଲକୋଇ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ଡାକ୍ତର ଫକୀର ମୋହନ ନାଏକ ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା ପ୍ରକାଶ କରିଛନ୍ତି । ନିଜର ତଥା ନିଜ ସମର୍ଥକଙ୍କ ସୁରକ୍ଷା ନିମନ୍ତେ ସେ ରାଜ୍ୟ ସରକାରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି କ୍ରମାଗତ ଭାବେ ବିଗିଡ଼ିବାରେ ଲାଗିଥିବା ଦର୍ଶାଇ, ତାଙ୍କୁ ତୁରନ୍ତ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ବିଧାୟକ ଫକୀର ମୋହନ ନାଏକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଲିଖିତ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ଦାବିପତ୍ରରେ ବିଧାୟକ ଦର୍ଶାଇଛନ୍ତି ଯେ, କିଛି ଦିନ ହେବ ସୋସିଆଲ ମିଡିଆରେ ତାଙ୍କୁ ଏବଂ ତାଙ୍କ ଦଳୀୟ ସହଯୋଗୀମାନଙ୍କୁ ଟାର୍ଗେଟ କରି ବିଭିନ୍ନ ଆପତ୍ତିଜନକ ତଥା ଧମକପୂର୍ଣ୍ଣ ପୋଷ୍ଟ ଭାଇରାଲ୍ କରାଯାଉଛି । ଏହି ପୋଷ୍ଟଗୁଡ଼ିକ ମାଧ୍ୟମରେ ସଶସ୍ତ୍ର ଆକ୍ରମଣର ଇସାରା ଦିଆଯାଉଛି, ଯାହା ଫଳରେ ସ୍ଥାନୀୟ ଜନପ୍ରତିନିଧି, ଦଳୀୟ କର୍ମୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୨୨ ତାରିଖରେ ଏକ ଦଳୀୟ ବୈଠକ ଚାଲିଥିବା ବେଳେ ବିଜେପି କର୍ମୀ ରଶ୍ମିକାନ୍ତ ବେହେରାଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା । ଏହି ବୈଠକରେ ମଣ୍ଡଳ ସଭାପତି ସୁକୁରା ମୁଣ୍ଡା ମଧ୍ୟ ଉପସ୍ଥିତ ଥିଲେ । ଏହି ଘଟଣା ନେଇ ବାଂଶପାଳର ନାୟାକୋଟ ପୋଲିସ ଷ୍ଟେସନରେ ଏକ ଏତଲା ମଧ୍ୟ ରୁଜୁ ହୋଇଛି । ଏହାର ଠିକ୍ ଗୋଟିଏ ଦିନ ପରେ, ଅର୍ଥାତ୍ ଅଗଷ୍ଟ ୨୩ ତାରିଖରେ ଫୁଲଝର ପଞ୍ଚାୟତରେ ସମାନ ଢଙ୍ଗରେ ଆଉ ଏକ ରାଜନୈତିକ ଆକ୍ରମଣ ହୋଇଥିଲା ବୋଲି ବିଧାୟକ ନିଜ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।

ବିଧାୟକ ଫକୀର ମୋହନ ନାଏକ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଆଗାମୀ ଦିନରେ ହରିଚନ୍ଦନପୁର ଏବଂ ତେଲକୋଇ ବ୍ଲକର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏଭଳି ହିଂସାକାଣ୍ଡ ଘଟିବାର ସମ୍ଭାବନା ରହିଛି । ସେ ଏହି ସଙ୍ଗିନ ସ୍ଥିତି ସମ୍ପର୍କରେ କେନ୍ଦୁଝର ଆରକ୍ଷୀ ଅଧୀକ୍ଷକଙ୍କୁ ପୂର୍ବରୁ ଅବଗତ କରାଇସାରିଛନ୍ତି । ସୋସିଆଲ ମିଡିଆରେ ଦିଆଯାଉଥିବା ଧମକର ଏକ ବିସ୍ତୃତ ତଦନ୍ତ କରି ଦୋଷୀଙ୍କୁ ତୁରନ୍ତ ଚିହ୍ନଟ କରିବା ଏବଂ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ଏଥିସହିତ ହରିଚନ୍ଦନପୁର ଓ ତେଲକୋଇ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଆଗୁଆ ପ୍ରତିଷେଧକ ମୂଳକ ପଦକ୍ଷେପ ନେବାକୁ ସେ ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ବିଧାୟକଙ୍କ ଏହି ସମ୍ବେଦନଶୀଳ ଅଭିଯୋଗ ପରେ ଓଡ଼ିଶା ବିଧାନସଭା ସଚିବାଳୟ ତୁରନ୍ତ ହସ୍ତକ୍ଷେପ କରିଛି। ବିଧାୟକଙ୍କ ନିବେଦନ ପତ୍ରକୁ ତୁରନ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇ ଦିଆଯାଇଛି । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରାଥମିକତା ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବା ଏବଂ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିଧାୟକଙ୍କୁ ଯଥାଶୀଘ୍ର ଅବଗତ କରାଇବାକୁ ସଚିବାଳୟ ପକ୍ଷରୁ ଗୃହ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.