Latest Odisha News

BREAKING NEWS

ହିଣ୍ଡାଲ୍‌କୋର ମୀନାକ୍ଷୀ କୋଇଲା ଖଣି ପାଇଁ ଜନଶୁଣାଣି; ମିଳିଲା ପ୍ରବଳ ଜନ ସମର୍ଥନ

ହେମଗିର: ମେସର୍ସ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ପ୍ରସ୍ତାବିତ ମୀନାକ୍ଷୀ କୋଇଲା ଖଣି ନିମନ୍ତେ ଅନୁଷ୍ଠିତ ଜନ ଶୁଣାଣି ହେମଗିର ବ୍ଲକ୍‌ର କିରିପସିରା ଗ୍ରାମରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଛି । ଏହାକୁ ସ୍ଥାନୀୟ ଗ୍ରାମବାସୀ, ପଞ୍ଚାୟତିରାଜ ପ୍ରତିଷ୍ଠାନ (ପିଆର୍‌ଆଇ) ପ୍ରତିନିଧି ଏବଂ ଗୋଷ୍ଠୀର ଅନ୍ୟ ସଦସ୍ୟମାନଙ୍କ ନିକଟରୁ ପ୍ରବଳ ସମର୍ଥନ ମିଳିଥିଲା । ଉକ୍ତ ଜନଶୁଣାଣିରେ ଅଂଶଗ୍ରହଣକାରୀମାନେ ଆଶା ପ୍ରକାଶ କରିଥିଲେ ଯେ, ଏହି ପ୍ରକଳ୍ପ ଉକ୍ତ ଅଞ୍ଚଳରେ ଉଲ୍ଲେଖନୀୟ ସାମାଜିକ- ଅର୍ଥନୈତିକ ରୂପାନ୍ତରଣ ଆଣିବ ।

ଅଭିମନ୍ୟୁ ମାଝୀ, ଏଡିଏମ୍‌, ସୁନ୍ଦରଗଡ, ତେଜସ୍ଵୀନି ବେହେରା, ଉପଜିଲ୍ଲାପାଳ, ଇଂ. ହିରଣ୍ୟ କୁମାର ନାୟକ, ରିଜିଓନାଲ ଅଫିସର, ଓଏସ୍‌ପିସିବି, ଝାରସୁଗୁଡା ଏବଂ ଅନ୍ୟ ସରକାରୀ ଅଧିକାରୀ, ପିଆର୍‌ଆଇ ସଦସ୍ୟମାନଙ୍କ ଉପସ୍ଥିତିରେ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା । ଶୁଣାଣି ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ରହିଥିଲା, ଏଥିରେ ଆଖପାଖ ଅଞ୍ଚଳରୁ ଜନସାଧାରଣ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

କିରିପସିରା, ଗର୍ଜନବାହାଲ ଏବଂ ବାଙ୍ଗୁରାକେଲା ଆଦି ଗ୍ରାମର ଅଧିବାସୀମାନେ ପ୍ରସ୍ତାବିତ କୋଇଲା ଖଣି ନିମନ୍ତେ ଦୃଢ ସମର୍ଥନ ପ୍ରକାଶ କରିଥିଲେ ଏବଂ ଏହାଦ୍ୱାରା ସୁନ୍ଦରଗଡ ଜିଲ୍ଲାରେ ନିଯୁକ୍ତି ସୁଯୋଗ ସୃଷ୍ଟି, ଜୀବିକା ଉପାର୍ଜନ ସୁଯୋଗ ତଥା ତ୍ୱରାନ୍ୱିତ ବିକାଶ ଘଟିବ ବୋଲି ଉଲ୍ଲେଖ କରିଥିଲେ ।

ଅନେକ ଅଂଶଗ୍ରହଣକାରୀ କହିଥିଲେ ଯେ, ଉକ୍ତ ପ୍ରକଳ୍ପ ସ୍ଥାନୀୟ ଯୁବବର୍ଗଙ୍କ ନିମନ୍ତେ ନୂତନ ସୁଯୋଗଗୁଡିକ ସୃଷ୍ଟି କରିପାରିବା ସହିତ କ୍ଷୁଦ୍ର ବ୍ୟବସାୟ ସଂସ୍ଥା ଏବଂ ଆନୁଷଙ୍ଗିକ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ । ସେମାନେ ଆଶା ପ୍ରକାଶ କରିଥିଲେ ଯେ ବର୍ଦ୍ଧିତ ଅର୍ଥନୈତିକ କାର୍ଯ୍ୟକଳାପ ଦ୍ୱାରା ପରିବାରଗୁଡିକର ଆୟ ବୃଦ୍ଧି ଘଟିବ ଏବଂ ପ୍ରକଳ୍ପ ଅଞ୍ଚଳ ଭିତରେ ଏବଂ ଏହାର ଚତୁର୍ପାର୍ଶ୍ୱରେ ଜନସମୁଦାୟଙ୍କ ନିମନ୍ତେ ଜୀବନ ମାନ ଉତ୍ତମ କରିବା ଦିଗରେ ଏହା ଅବଦାନ ରଖିବ ।

ପ୍ରକଳ୍ପ ସମ୍ପର୍କିତ ବିସ୍ତୃତ ତଥ୍ୟ ଆଲୋଚନା କରି ମୁକେଶ କୁମାର ଝା( ହେଡ୍‌, ମୀନାକ୍ଷୀ କୋଇଲା ଖଣି )କହିଥିଲେ, “ଓଡ଼ିଶାରେ ସୁନ୍ଦରଗଡ ଜିଲ୍ଲାର ହେମଗିର ତହସିଲ ଅଧୀନ କିରିପସିରା, ଗର୍ଜନବାହାଲ ଏବଂ ବାଙ୍ଗୁରାକେଲା ଗ୍ରାମଗୁଡିକରେ ଅବସ୍ଥିତ ପ୍ରସ୍ତାବିତ ମୀନାକ୍ଷୀ କୋଇଲା ଖଣି ହେଉଛି ଇବ୍‌ ଭ୍ୟାଲି, କୋଲ୍‌ଫିଲ୍ଡସ୍‌ର ଏକ ଅଂଶ । ୪୮୬.୪୪ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ ଏହି ପ୍ରକଳ୍ପ ଏକ ଓପନ୍‌ କାଷ୍ଟ କୋଇଲା ଖଣି ହେବ ଏବଂ ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୧୨ ନିୟୁତ ଟନ୍‌ (ଏମ୍‌ଟିପିଏ) ରହିବ । ଆକଳନ କରାଯାଇଥିବା ପ୍ରକଳ୍ପ ଖର୍ଚ୍ଚ ୧,୮୭୬ କୋଟି ଟଙ୍କା । କୋଇଲା ମନ୍ତ୍ରଣାଳୟ ଦ୍ୱାରା ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡକୁ ୨୭ ଡିସେମ୍ବର, ୨୦୨୪ରେ ଆବଣ୍ଟନ କରାଯାଇଥିଲା ।”

ଏହି ପ୍ରକଳ୍ପରେ ପର୍ଯ୍ୟାପ୍ତ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ଆଶା କରାଯାଉଥିବାବେଳେ ତତ୍‌ବ୍ୟତୀତ ପରିବହନ, ଲଜିଷ୍ଟିକ୍ସ, ଉପକରଣ ରକ୍ଷଣାବେକ୍ଷଣ, ଠିକାକାର୍ଯ୍ୟ, ବନୀକରଣ, ରିଟେଲ, ଖାଦ୍ୟ ସେବା ଏବଂ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟକଳାପ ଜରିଆରେ ବହୁ ସଂଖ୍ୟକ ପରୋକ୍ଷ ନିଯୁକ୍ତି ପରିବ୍ୟବସ୍ଥା ମଧ୍ୟ ସୃଷ୍ଟିହେବ । ଏହିଭଳି ଅର୍ଥନୈତିକ କାର୍ଯ୍ୟକଳାପ ଦ୍ୱାରା ଗାଡ଼ି ଚାଳକ, କୁଶଳୀ କାରିଗର, ସେବା ଯୋଗାଣକାରୀ (ସର୍ଭିସ୍‌ ପ୍ରୋଭାଇଡର୍‌), ଅଣୁ ଓ କ୍ଷୁଦ୍ର ଉଦ୍ୟୋଗସମୂହ ଏବଂ ସ୍ଥାନୀୟ ଉଦ୍ୟୋଗୀମାନେ ଉପକୃତ ହେବା ଆଶା କରାଯାଉଛି ।

ନିଯୁକ୍ତି ଓ ଆୟ ସୃଷ୍ଟି ଉର୍ଦ୍ଧ୍ବରେ ଏହି ପ୍ରକଳ୍ପ ରାଜସ୍ୱ ଅଂଶୀଦାର, ରାଜଭାଗ (ରୟାଲ୍‌ଟି), ଡିଏମଏଫ୍‌ ଏବଂ ଏନ୍‌ଏମ୍‌ଇଟି ଓ ତତ୍‌ସହିତ ସିଏସ୍‌ଆର କାର୍ଯ୍ୟକଳାପ ଆଦି ବୈଧାନିକ ଅର୍ଥ ପୈଠ ଜରିଆରେ ଜନ ବିକାଶ ପ୍ରତି ଅବଦାନ ରଖିବା ଆଶା କରାଯାଉଛି । ଏହି ପଦକ୍ଷେପଗୁଡିକ ଖଣି ପ୍ରଭାବିତ ଅଞ୍ଚଳଗୁଡିକରେ ସ୍ୱାସ୍ଥ୍ୟସେବା, ଶିକ୍ଷା, ପାନୀୟ ଜଳ, ପରିମଳ, ସଡ଼କ ଏବଂ ଅନ୍ୟ ଗୋଷ୍ଠୀ ଭିତ୍ତିଭୂମିକୁ ସମର୍ଥନ କରିପାରିବ ।

ହିଣ୍ଡାଲ୍‌କୋ ପକ୍ଷରୁ ଡଷ୍ଟ ସପ୍ରେସନ୍‌ ପଦକ୍ଷେପସମୂହ, ସାଇଣ୍ଟିଫିକ୍‌ ଓଭରବର୍ଡନ ମ୍ୟାନେଜମେଣ୍ଟ, ଜଳ ବିଶୋଧନ ଓ ପୁନଃବ୍ୟବହାର, ଏକ ୧୦୦ କେଏଲଡି ସିବେଜ୍ ବିଶୋଧନ ପ୍ଲାଣ୍ଟ, ଏକ ୫୦- କେଏଲ୍‌ଡି ବର୍ଜ୍ୟ ବିଶୋଧନ ପ୍ଲାଣ୍ଟ୍‌ ଏବଂ ଏକ ୨୪୮.୮୭- ହେକ୍ଟର ସବୁଜ ବଳୟ ତଥା ସ୍ଥାନୀୟ ପ୍ରଜାତିର ବ୍ୟବହାରରେ ବନୀକରଣ କାର୍ଯ୍ୟକ୍ରମ ଆଦି ପରିବେଶ ସୁରକ୍ଷା ପଦକ୍ଷପ ନିମନ୍ତେ ପ୍ରସ୍ତାବ ରଖିଛି ।

ସ୍ଥାନୀୟ ସରପଞ୍ଚ ରେବତୀ ଛତ୍ରିଆ ମତ ପୋଷଣ କରି କହିଥିଲେ ଯେ, “ଜନସାଧାରଣ ସ୍ଥାନୀୟ ସମୁଦାୟଙ୍କ ଉପକୃତ କରୁଥିବା ବିକାଶ ଚାହାଁନ୍ତି । ଆମର ବିଶ୍ୱାସ ଯେ ଏହି ପ୍ରକଳ୍ପ ଅଞ୍ଚଳରେ ନିଯୁକ୍ତି, ଆୟ ସୃଷ୍ଟି ଏବଂ ଉନ୍ନତ ଜନ ସୁବିଧା ସୁଯୋଗ ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିବ ।” ଉକ୍ତ ଜନଶୁଣାଣିକୁ ମଧ୍ୟ ବିସ୍ଥାପିତ କମିଟି ସଦସ୍ୟମାନେ ସମ୍ପୂର୍ଣ୍ଣରୂପେ ସମର୍ଥନ ଜଣାଇଥିଲେ ।

 

Leave A Reply

Your email address will not be published.