Latest Odisha News

BREAKING NEWS

ମୁମ୍ବାଇ କ୍ରିକେଟ୍ ଆସୋସିଏସନର ବଡ଼ ନିଷ୍ପତ୍ତି: ୫୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଗଠନ

ମୁମ୍ବାଇ: ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ସ୍ଥାନୀୟ ଏବଂ ତୃଣମୂଳ ସ୍ତରରୁ କ୍ରିକେଟର ବିକାଶ ତଥା କ୍ଲବଗୁଡ଼ିକର ଆର୍ଥିକ ସୁଦୃଢ଼ୀକରଣ ପାଇଁ ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛି। ଏଥିପାଇଁ ଏମସିଏ ପକ୍ଷରୁ ୫୦୦ କୋଟି ଟଙ୍କାର ଏକ ବିଶାଳ ଅନୁଦାନ ପାଣ୍ଠି ବା କର୍ପସ ଫଣ୍ଡ ଗଠନ କରାଯିବ। ଆଗାମୀ ୧୦ ବର୍ଷ ମଧ୍ୟରେ ଏହି ଅର୍ଥରାଶି ବିନିଯୋଗ କରାଯିବା ନେଇ ଆସୋସିଏସନର ବାର୍ଷିକ ସାଧାରଣ ସଭାରେ ସମ୍ମତି ପ୍ରକାଶ ପାଇଛି।

ପୂର୍ବରୁ ଆସୋସିଏସନର ଆପେକ୍ସ କାଉନସିଲ୍ ୧୦୦ କୋଟି ଟଙ୍କାର ପାଣ୍ଠି ମଞ୍ଜୁର କରିଥିବା ବେଳେ, ଏବେ ଏହାକୁ ୫୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏମସିଏ ସଭାପତି ଅଜିଙ୍କ୍ୟ ନାଏକଙ୍କ ସୂଚନା ଅନୁଯାୟୀ, ପ୍ରତିବର୍ଷ ୪୦ କୋଟି ଟଙ୍କା ଲେଖାଏଁ ଏହି ପାଣ୍ଠିରେ ଯୋଡ଼ାଯିବ। ଏହି ଅର୍ଥରାଶି ମାଧ୍ୟମରେ ମୁମ୍ବାଇର ବିଭିନ୍ନ କ୍ରିକେଟ୍ କ୍ଲବଗୁଡ଼ିକୁ ଆର୍ଥିକ ସହାୟତା, ଉଚ୍ଚକୋଟୀର ଭିତ୍ତିଭୂମି ନିର୍ମାଣ, ଖେଳାଳିଙ୍କ ପାଇଁ ଆବଶ୍ୟକୀୟ ଖେଳ ସରଞ୍ଜାମ ଓ ଗମନାଗମନ ସୁବିଧା ଯୋଗାଇ ଦିଆଯିବ।

ଏହାସହ ପ୍ରସିଦ୍ଧ ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଥିବା ସ୍ୱତନ୍ତ୍ର ଲାଉଞ୍ଜଗୁଡ଼ିକୁ ପ୍ରସିଦ୍ଧ କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର, ଅଜିଙ୍କ୍ୟ ରାହାଣେଙ୍କ ନାମରେ ନାମିତ କରିବାକୁ ଏମସିଏ ନିଷ୍ପତ୍ତି ନେଇଛି।

ଗ୍ରାଉଣ୍ଡ ସ୍ତରରୁ ନୂତନ ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆନ୍ତର୍ଜାତୀୟ ସ୍ତର ପାଇଁ ପ୍ରସ୍ତୁତ କରିବା ଏବଂ ମୁମ୍ବାଇ କ୍ରିକେଟର ଭବିଷ୍ୟତକୁ ସୁରକ୍ଷିତ କରିବା ଏହି ସ୍ୱତନ୍ତ୍ର ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏମସିଏ ର ଏହି ପଦକ୍ଷେପକୁ କ୍ରିକେଟ ପ୍ରେମୀ ଓ ପୂର୍ବତନ ଖେଳାଳିମାନେ ବ୍ୟାପକ ସ୍ୱାଗତ କରିଛନ୍ତି।

Leave A Reply

Your email address will not be published.