Latest Odisha News

BREAKING NEWS

ସାଉଦି ଆରବକୁ ପାକିସ୍ତାନର ଧୋକା ! : ପାକିସ୍ତାନର ମନା ପରେ ଇସ୍ରାଏଲର ସହାୟତା ଲୋଡ଼ିଲା ସାଉଦି ଆରବ

ନୂଆଦିଲ୍ଲୀ : ପାକିସ୍ତାନର ମନା ପରେ ଇସ୍ରାଏଲର ସହାୟତା ଲୋଡ଼ିଲା ସାଉଦି ଆରବ । ସ୍ୱାର୍ଥ ହାସଲ ପରେ ଅସଲ ରଙ୍ଗ ଦେଖାଇଲା ପାକିସ୍ତାନ। ସାଉଦି ଠୁ ପ୍ରଚୁର ଅର୍ଥ ପାଉଥିବା ପାକିସ୍ତାନ ବିପଦ ବେଳେ ସାଉଦି ର ହାତ ଛାଡ଼ିଦେଲା। କଥା ଟା ହେଲା…ୟେମେନର ହୁତି ବିଦ୍ରୋହୀଙ୍କ କ୍ରମାଗତ ସାମରିକ ଆକ୍ରମଣ ଓ ଲୋହିତ ସାଗରସ୍ଥିତ ବାବ-ଏଲ-ମାଣ୍ଡେବ ପ୍ରଣାଳୀରେ ବଢ଼ୁଥିବା ସଙ୍କଟ ଯୋଗୁଁ ସାଉଦି ଆରବ ଏକ ଗମ୍ଭୀର ସୁରକ୍ଷା ଚ୍ୟାଲେଞ୍ଜର ସାମ୍ନା କରୁଛି।

ରିପୋର୍ଟ ଅନୁସାରେ, ସାଉଦି ଆରବ, ତୁର୍କୀ ଏବଂ ପାକିସ୍ତାନ ମଧ୍ୟରେ ସାକ୍ଷରିତ ‘ମକ୍କା ପ୍ରତିରକ୍ଷା ଚୁକ୍ତି’ ସତ୍ତ୍ୱେ ପାକିସ୍ତାନ ହୁତି ବିଦ୍ରୋହୀଙ୍କ ବିରୋଧରେ ଆକ୍ରମଣାତ୍ମକ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସେନା ପଠାଇବାକୁ ସ୍ପଷ୍ଟ ମନା କରିଦେଇଛି। ପାକିସ୍ତାନ କେବଳ ସାଉଦି ଭୂଖଣ୍ଡର ସୁରକ୍ଷା ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିବା ବେଳେ ପ୍ରତ୍ୟକ୍ଷ ଯୁଦ୍ଧରେ ଭାଗ ନେବାକୁ ସିଧା ସିଧା ମନା କରିଦେଇଛି ।

ଏହିପରି ଏକ ଜଟିଳ ସ୍ଥିତିରେ ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନ୍ ଗୁପ୍ତଚର ସୂଚନା ଓ ଗୁଇନ୍ଦା ସହାୟତା ପାଇଁ ଇସ୍ରାଏଲ୍ ଆଡ଼କୁ ହାତ ବଢ଼ାଇଛନ୍ତି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ର ମାଧ୍ୟମରେ ସାଉଦି ଆରବ ଓ ଇସ୍ରାଏଲ୍ ମଧ୍ୟରେ ପରୋକ୍ଷରେ ଆଲୋଚନା ହୋଇଛି। *ଲୋହିତ ସାଗରରେ ଜାହାଜ ଚଳାଚଳ, ବାଣିଜ୍ୟିକ ମାର୍ଗ ଏବଂ ତୈଳ ପାଇପଲାଇନ୍ ଉପରେ ହୁତି ଆକ୍ରମଣର ବିପଦକୁ ପ୍ରତିହତ କରିବା ପାଇଁ ଇସ୍ରାଏଲର ଆଧୁନିକ ଗୁଇନ୍ଦା ପ୍ରଯୁକ୍ତିବିଦ୍ୟାର ସାହାଯ୍ୟ ନିଆଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ସାଉଦି ଆରବ ଏବଂ ଇସ୍ରାଏଲ୍ ମଧ୍ୟରେ କୌଣସି ଆନୁଷ୍ଠାନିକ କୂଟନୈତିକ ସମ୍ପର୍କ ନାହିଁ। ତଥାପି, ବାବ-ଏଲ-ମାଣ୍ଡେବ୍ରେ ହୁତିଙ୍କ କବ୍ଜା ଯୋଗୁଁ ସାଉଦିର ତୈଳ ରପ୍ତାନି ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଥିବାରୁ, ନିଜର ସୁରକ୍ଷା ଓ ଅର୍ଥନୀତିକୁ ବଞ୍ଚାଇବା ପାଇଁ ରିୟାଦ ପରୋକ୍ଷ ଭାବେ ଇସ୍ରାଏଲର ସହଯୋଗ ଲୋଡ଼ିବାକୁ ବାଧ୍ୟ ହୋଇଛି। ଅପରପକ୍ଷରେ, ଇସ୍ରାଏଲୀ ସେନା ମଧ୍ୟ କେବଳ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ମାଧ୍ୟମରେ ଏହି ସଙ୍କଟର ସମାଧାନ କରିବାକୁ ନିଷ୍ପତ୍ତି ନେଇଛି, ଯାହା ମଧ୍ୟପ୍ରାଚ୍ୟ ଭୂରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଉଛି।

Leave A Reply

Your email address will not be published.