Latest Odisha News

BREAKING NEWS

କୁକୁର ନା ବିରାଡ଼ି କାମୁଡ଼ା, କିଏ ଅଧିକ ବିପଜ୍ଜନକ? ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ଆଜିକାଲି ଘରେ କୁକୁର କିମ୍ବା ବିରାଡ଼ି ପାଳିବା ଏକ ସାଧାରଣ କଥା ହୋଇଗଲାଣି । ଲୋକେ ନିଜ ପୋଷା ଜନ୍ତୁଙ୍କୁ ପରିବାରର ସଦସ୍ୟ ଭଳି ସ୍ନେହ କରନ୍ତି । ତେବେ ଖେଳିବା ସମୟରେ ବେଳେବେଳେ ସେମାନେ ରାଗରେ, ଭୟରେ କିମ୍ବା ଅଜାଣତରେ ମାଲିକଙ୍କୁ ଆମ୍ପୁଡ଼ି କିମ୍ବା କାମୁଡ଼ି ଦେଇଥାନ୍ତି । ଏପରି ସ୍ଥିତିରେ ଅନେକ ଲୋକ ଭାବନ୍ତି ଯେ କୁକୁର କାମୁଡ଼ା ଅଧିକ ବିପଜ୍ଜନକ। କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, କୁକୁର ତୁଳନାରେ ବିରାଡ଼ି କାମୁଡ଼ା ଶରୀର ପାଇଁ ଅଧିକ ଘାତକ ତଥା ବିପଜ୍ଜନକ ସାବ୍ୟସ୍ତ ହୋଇପାରେ ।

କୁକୁରର ମାଢ଼ି ଶକ୍ତ ଏବଂ ଦାନ୍ତ ଅପେକ୍ଷାକୃତ ମୋଟା ହୋଇଥାଏ । ତେଣୁ ସେମାନେ କାମୁଡ଼ିଲେ ମାଂସପେଶୀ କ୍ଷତିଗ୍ରସ୍ତ ହେବା ସହ କ୍ଷତ ସ୍ଥାନ ଛିଣ୍ଡିଯାଏ କିମ୍ବା ଫାଟିଯାଏ। କୁକୁର ଲାଳରେ ଥିବା ବ୍ୟାକ୍ଟେରିଆ ଶରୀରରେ ପ୍ରବେଶ କରନ୍ତି ସତ, କିନ୍ତୁ କ୍ଷତ ସ୍ଥାନଟି ବଡ଼ ଓ ଖୋଲା ରହୁଥିବାରୁ ଏହାକୁ ସଫା କରିବା ସହଜ ହୋଇଥାଏ। ଫଳରେ ରକ୍ତ ପ୍ରବାହ ସହ କିଛି ବ୍ୟାକ୍ଟେରିଆ ବାହାରି ଯାଆନ୍ତି, ଯାହାଦ୍ୱାରା ଇନଫେକ୍ସନ୍ ବା ସଂକ୍ରମଣର ଆଶଙ୍କା ଟିକେ କମ୍ ରହିଥାଏ। କିନ୍ତୁ ରେବିଜ୍ ଭଳି ମାରାତ୍ମକ ରୋଗର ଭୟ ସର୍ବଦା ରହିଥାଏ ।

ଅନ୍ୟପକ୍ଷରେ, ବିରାଡ଼ିର ଦାନ୍ତ ଛୁଞ୍ଚି ଭଳି ତୀକ୍ଷ୍ଣ ଏବଂ ପତଳା ଥାଏ । ଯେତେବେଳେ ଗୋଟିଏ ବିରାଡ଼ି କାମୁଡ଼େ, ତାହାର ଦାନ୍ତ ଚର୍ମ ଭେଦ କରି ମାଂସପେଶୀ, ଶିରା ଏବଂ ହାଡ଼ର ଖୁବ୍ ଭିତରକୁ ପଶିଯାଏ। ଫଳରେ ବିରାଡ଼ି ପାଟିରେ ଥିବା ବିପଜ୍ଜନକ ବ୍ୟାକ୍ଟେରିଆ ଶରୀରର ଗଭୀର ଅଂଶରେ ପ୍ରବେଶ କରିଯାଆନ୍ତି । ଛୁଞ୍ଚି ଫୋଡ଼ି ହେବା ଭଳି ଛୋଟ କ୍ଷତ ହୋଇଥିବାରୁ ଉପର ଚର୍ମ ଖୁବ୍ ଶୀଘ୍ର ବନ୍ଦ ହୋଇଯାଏ । ଲୋକେ ଏହାକୁ ସାମାନ୍ୟ କ୍ଷତ ଭାବି ଛାଡ଼ିଦିଅନ୍ତି । କିନ୍ତୁ ଭିତରେ ଆବଦ୍ଧ ହୋଇ ରହିଯାଇଥିବା ବ୍ୟାକ୍ଟେରିଆ ବଂଶ ବିସ୍ତାର କରି ଖୁବ୍ ଶୀଘ୍ର ଭୟଙ୍କର ଇନଫେକ୍ସନ୍ ସୃଷ୍ଟି କରନ୍ତି, ଯାହାକି ପରବର୍ତ୍ତୀ ସମୟରେ ଅସ୍ତ୍ରୋପଚାରର କାରଣ ମଧ୍ୟ ପାଲଟିପାରେ ।

ଡାକ୍ତରୀ ପରାମର୍ଶ ଅନୁଯାୟୀ, କୁକୁର ହେଉ କିମ୍ବା ବିରାଡ଼ି, କାମୁଡ଼ିବା ମାତ୍ରେ ଆଦୌ ଅବହେଳା କରନ୍ତୁ ନାହିଁ । କ୍ଷତ ସ୍ଥାନକୁ ତୁରନ୍ତ ପ୍ରଚୁର ସଫା ପାଣି ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ୍ ସାବୁନରେ ୧୦ରୁ ୧୫ ମିନିଟ୍ ଧରି ଲଗାତାର ଧୋଇଦିଅନ୍ତୁ। କ୍ଷତ ସ୍ଥାନରେ ଯଦି ଲାଲ୍ ପଡ଼ିଯାଏ, ଫୁଲିଯାଏ କିମ୍ବା ଅତ୍ୟଧିକ ଯନ୍ତ୍ରଣା ହୁଏ, ତେବେ ଏହା ସଂକ୍ରମଣର ଲକ୍ଷଣ । ପୋଷା ଜନ୍ତୁଙ୍କୁ ଟିକାକରଣ କରାଯାଇଥିଲେ ମଧ୍ୟ, କାମୁଡ଼ିବା ପରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ଆବଶ୍ୟକ ଅନୁଯାୟୀ ଆଣ୍ଟି-ରେବିଜ୍ କୋର୍ସ ଏବଂ ଟିଟାନସ୍ ଇଞ୍ଜେକ୍ସନ୍ ନିଶ୍ଚିତ ଭାବେ ନିଅନ୍ତୁ। ଆପଣଙ୍କ ଟିକିଏ ସଚେତନତା ହିଁ ଆପଣଙ୍କୁ ବଡ଼ ବିପଦରୁ ରକ୍ଷା କରିପାରିବ ।

Leave A Reply

Your email address will not be published.