Latest Odisha News

BREAKING NEWS

ଏସିଆନ ଗେମ୍ସ ସ୍ୱର୍ଣ୍ଣ ଜିତି ଇତିହାସ ରଚିବା ଏବେ ଦଳର ମୂଳ ଲକ୍ଷ୍ୟ: ସୋଏର୍ଡ ମାରିଜ୍‌ନେ

ନୂଆଦିଲ୍ଲୀ: ଜାପାନରେ ଏସିଆନ୍ ଗେମ୍ସ ୨୦୨୬ ଅଭିଯାନ ଆରମ୍ଭ କରିବାକୁ ଆଉ ମାତ୍ର ଚାରି ଦିନ ବାକି ଥିବା ବେଳେ, ନୂଆ ଆତ୍ମବିଶ୍ୱାସ ସହ ମଇଦାନକୁ ଓହ୍ଲାଉଥିବା ଭାରତୀୟ ମହିଳା ହକି ଦଳକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି । ଏଫ୍‌ଆଇଏଚ୍ ବିଶ୍ୱକପ୍ ୨୦୨୬ରେ ଐତିହାସିକ ପଞ୍ଚମ ସ୍ଥାନ ହାସଲ କରିବା ପରେ ମୁଖ୍ୟ କୋଚ୍ ସୋଏର୍ଡ ମାରିଜ୍‌ନେଙ୍କ ଦଳ ଆତ୍ମବିଶ୍ୱାସରେ ଭରପୂର ଅଛି । ୧୯୮୨ ପରେ ଦ୍ୱିତୀୟ ଥର ପାଇଁ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ଜିତି ଇତିହାସ ରଚିବା ଏବେ ଦଳର ମୂଳ ଲକ୍ଷ୍ୟ ।  ବିଶ୍ୱକପ୍ ପରେ ଆମେ ବେଙ୍ଗାଲୁରୁରେ ଆକ୍ଟିଭ୍ ରେଷ୍ଟରେ ଥିଲୁ । ଜାପାନରେ ପହଞ୍ଚିବା ପରେ ସମୟର ପାର୍ଥକ୍ୟ ସହ ନିଜକୁ ଖାପଖୁଆଇବା ଏବଂ ଟୁର୍ନାମେଣ୍ଟ ପାଖେଇ ଆସୁଥିବାରୁ ଅଭ୍ୟାସ ସେସନ୍‌ର ତୀବ୍ରତା ବଢ଼ାଇବା ଉପରେ ଧ୍ୟାନ ଦିଆଯାଉଛି । ଏବେ ପ୍ରତ୍ୟେକ ଖେଳାଳି ଏସିଆନ୍ ଗେମ୍ସ ଉପରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି ବୋଲି ମାରିଜେନ କହିଛନ୍ତି ।

ଲୋକମାନେ ଭାବନ୍ତି ଯେ କେବଳ ଅଧିକରୁ ଅଧିକ ଅଭ୍ୟାସ କରିବା ଦରକାର, କିନ୍ତୁ ବିଶ୍ରାମ, ଶୋଇବା ଏବଂ ଷ୍ଟ୍ରେନ୍ଥ ସେସନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୱେନ୍ ମୋତେ ସୂଚନା ଦିଅନ୍ତି ଯେ ସେସନ୍‌ରେ ଶକ୍ତି ଓ ତୀବ୍ରତା କେତେ ପରିମାଣରେ ରହିବା ଦରକାର, ଯାହାଦ୍ୱାରା ଖେଳାଳିମାନେ ଫ୍ରେସ୍ ଅନୁଭବ କରିବେ । ବିଶ୍ୱକପ୍‌ରେ ୫ମ ସ୍ଥାନ ହାସଲ କରିବା ପରେ, ଏବେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତିବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଅଛି । ଜାପାନ ଆସିବା ପୂର୍ବରୁ ବେଙ୍ଗାଲୁରୁ ସାଇ ସେଣ୍ଟରରେ ମୁଁ ଖେଳାଳିମାନଙ୍କ ପାଇଁ ଜାପାନୀ ଖାଦ୍ୟର ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲି । ସେଠାରେ ମୁଁ ସେମାନଙ୍କୁ କହିଥିଲି ଆମେ ଏକ ଅସାଧାରଣ ଓ ଐତିହାସିକ ସଫଳତା ହାସଲ କରିଛୁ, କିନ୍ତୁ ଆମକୁ ଆଗାମୀ ଟୁର୍ନାମେଣ୍ଟ ଆଡ଼କୁ ବଢ଼ିବାକୁ ହେବ । ଗୋଟିଏ ଅଧ୍ୟାୟ ଶେଷ କରିବା ପରେ ହିଁ ନୂଆ ଅଧ୍ୟାୟ ଆରମ୍ଭ ହୁଏ । ଆମ ଭିଡିଓ ଆନାଲିଷ୍ଟ ଏକ ସୁନ୍ଦର ଭିଡିଓ ବନାଇଥିଲେ, ଯାହାର ଶେଷ ସ୍ଲାଇଡ୍‌ରେ ଲେଖାଥିଲା ‘ରୋଡ୍ ଟୁ ଏସିଆନ୍ ଗେମ୍ସ ’। ମୁଁ ଖେଳାଳିଙ୍କୁ କହିଛି ଯେ ସଫଳତା ସହଜରେ ମିଳେନାହିଁ, ଏଥିପାଇଁ ଆମକୁ ପୁଣି ଥରେ ଲଢ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.