Latest Odisha News

୫ ଓରାଙ୍ଗଉଟାନ୍‌ଙ୍କ ସ୍ୱାସ୍ଥ୍ୟ ନେଇ ବଡ଼ ଅପଡେଟ, ୩ ଜଣଙ୍କୁ ରକ୍ତହୀନତା…

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଏକ ଜଙ୍ଗଲରୁ ଉଦ୍ଧାର କରାଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନର କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିବା ପାଞ୍ଚଟି ଶିଶୁ ଓରାଙ୍ଗଉଟାନ୍‌ଙ୍କ ମଧ୍ୟରୁ ୩ ଜଣଙ୍କୁ ରକ୍ତହୀନତା। ଏନେଇ ଚିଡ଼ିଆଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଚିଡ଼ିଆଖାନା ଦ୍ୱାରା ଜାରି କରାଯାଇଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିବରଣୀରୁ ଜଣାପଡ଼ିଛି ଯେ, ଚିଡ଼ିଆଖାନା ମଧ୍ୟରେ କରାଯାଇଥିବା ରକ୍ତ ପରୀକ୍ଷାରୁ ଗୋଟିଏ ଓରାଙ୍ଗଉଟାନ୍‌ ଗୁରୁତର ରକ୍ତହୀନତା ଏବଂ ଅନ୍ୟ ଦୁଇଟିରେ ସାମାନ୍ୟ ରକ୍ତହୀନତା ଥିବା ଜଣାପଡ଼ିଛି।

ତେବେ ବୈଷୟିକ କମିଟିର ପରାମର୍ଶ କ୍ରମେ ଉକ୍ତ ତିନୋଟି ଶିଶୁ ଓରାଙ୍ଗଉଟାନ୍‌ଙ୍କ ପାଇଁ ସହାୟକ ପୁଷ୍ଟିକର ଖାଦ୍ୟ ଓ ଔଷଧ ପ୍ରଦାନ ଆରମ୍ଭ କରାଯାଇଛି। ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ପାଞ୍ଚଟି ଶିଶୁ ଓରାଙ୍ଗଉଟାନ୍‌ଙ୍କ ଶରୀରର ତାପମାତ୍ରା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସୂଚକାଙ୍କ ସ୍ୱାଭାବିକ ଥିବା ଦେଖିବାକୁ ମିଳିଥିଲା।

ଏହା ପୂର୍ବରୁ ବନ ବିଭାଗ ଦ୍ୱାରା ଗଠିତ ପାଞ୍ଚ ସଦସ୍ୟ ବିଶିଷ୍ଟ ବୈଷୟିକ କମିଟି ଚିଡ଼ିଆଖାନା ସ୍ଥିତ ‘ହ୍ୟାଣ୍ଡ-ରିୟରିଂ ସେଣ୍ଟର’ (ଲାଳନପାଳନ କେନ୍ଦ୍ର) ପରିଦର୍ଶନ କରିଥିଲେ ଏବଂ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ।

ଯାଞ୍ଚ ସମୟରେ କମିଟି ପ୍ରତ୍ୟେକ ଶିଶୁ ଓରାଙ୍ଗଉଟାନ୍‌ଙ୍କ ଛାତି, ପେଟ ଏବଂ ମୁଣ୍ଡର ଏକ୍ସ-ରେ ଚିତ୍ର ନିଆଯାଇଥିଲା ଏବଂ ପରୀକ୍ଷାଗାର ପରୀକ୍ଷଣ ପାଇଁ ରକ୍ତ, ସେରମ୍ ଓ ନାସୋ-ଫାରିଞ୍ଜିଆଲ୍ ସ୍ୱାବ୍ (ନାକ ଓ ଗଳାରୁ ନମୁନା) ସଂଗ୍ରହ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ୮ ତାରିଖରେ ବାଲେଶ୍ୱର ଜିଲ୍ଲାର ଏକ ଜଙ୍ଗଲରୁ ପାଞ୍ଚଟି ଓରାଙ୍ଗଉଟାନ୍‌ଙ୍କ ଛୁଆଙ୍କୁ ଉଦ୍ଧାର କରାଯାଇଥିଲା।

ଉଦ୍ଧାର କରାଯାଇଥିବା ଓରାଙ୍ଗଉଟାନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଏବଂ ସେମାନଙ୍କ ଉଚିତ୍ ଯତ୍ନ ପାଇଁ ପଦକ୍ଷେପ ସୁପାରିଶ କରିବା ଉଦ୍ଦେଶ୍ୟରେ ବନ ବିଭାଗର ବନ୍ୟପ୍ରାଣୀ ଶାଖା ପକ୍ଷରୁ ଏକ ପାଞ୍ଚ-ସଦସ୍ୟୀୟ ବୈଷୟିକ କମିଟି ଗଠନ କରାଯାଇଛି।

Leave A Reply

Your email address will not be published.