ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ। ମାସେ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ଲୋକସେବା ଭବନରେ ଚାରା ରୋପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେହିପରି ପ୍ରଦର୍ଶନୀ ପଡ଼ିଆରେ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଆଜି ଏହି ଶିବିରରୁ ୬,୫୦୦ ୟୁନିଟ୍ରୁ ଅଧିକ ରକ୍ତ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି।
“ରକ୍ତଦାନ କରି ଗୋଟିଏ ଜୀବନ ବଞ୍ଚାଇବାର ଅନୁଭବ ଆମର ଉଚ୍ଚ ମାନବୀୟ ମୂଲ୍ୟବୋଧର ପରିଚୟ ପ୍ରଦାନ କରିଥାଏ। ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ରକ୍ତର କୌଣସି ବିକଳ୍ପ ନାହିଁ ଏବଂ ଏହା କୌଣସି କାରଖାନାରେ ତିଆରି ହୋଇପାରିବ ନାହିଁ,” ବୋଲି ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ୟୁନିଟ-୩ ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୬ତମ ଜନ୍ମଦିବସ ଅବସରରେ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିକଶିତ ଭାରତର ବିନ୍ଧାଣୀ ମୋଦୀଜୀଙ୍କ ଦୀର୍ଘ ୫୦ ବର୍ଷର ଜନସେବା ଏବଂ ୨୫ ବର୍ଷର ନିରବଚ୍ଛିନ୍ନ ଶାସନ ଦେଶରେ କାୟାକଳ୍ପ ଆଣିଛି। ତାଙ୍କର ଏହି କଲ୍ୟାଣକାରୀ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଳିତ ହେଉଥିବା ଏକ ମାସ ବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ମାନବସେବା ଓ ତ୍ୟାଗର ଏକ ବିରାଟ ଜନ-ଆନ୍ଦୋଳନ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ରକ୍ତ ଅଭାବରୁ ଯେପରି କୌଣସି ଜୀବନ ଅସମୟରେ ଝଡ଼ି ନପଡ଼େ, ସେଥିପାଇଁ ସରକାର ସଂକଳ୍ପବଦ୍ଧ। ଏହି ଶିବିରରେ ଆଜି ୬,୫୦୦ ୟୁନିଟ୍ରୁ ଅଧିକ ରକ୍ତ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ରକ୍ତ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ୨୦୨୬-୨୭ ବଜେଟ୍ରେ ୫୦ କୋଟି ୫୪ ଲକ୍ଷ ଟଙ୍କାର ବ୍ୟୟବରାଦ ସହ “ଅଟଳ ରକ୍ତଦାନ ଅଭିଯାନ” ଆରମ୍ଭ କରାଯାଇଛି। ଏହା ଅଧୀନରେ ନୂତନ ମେଡିକାଲ କଲେଜଗୁଡ଼ିକରେ ରକ୍ତଭଣ୍ଡାର ସ୍ଥାପନ ଏବଂ ପୁରୁଣା ରକ୍ତଭଣ୍ଡାରଗୁଡ଼ିକର ଆଧୁନିକୀକରଣ କରାଯାଉଛି।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱର ଏକ ପ୍ରଭାବଶାଳୀ ଭୂ-ରାଜନୈତିକ ଓ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି। ପ୍ରତିରକ୍ଷା ଆମଦାନୀ ୭୦% ରୁ ହ୍ରାସ ପାଇ ୩୫% ରେ ପହଞ୍ଚିବା ସହ ସେମିକଣ୍ଡକ୍ଟର ଓ ସ୍ପେସ୍ ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେଉଛି। ୨୦୪୭ ପୂର୍ବରୁ ବିକଶିତ ଭାରତର ଲକ୍ଷ୍ୟ ହାସଲ ହେବା ସୁନିଶ୍ଚିତ। ସେହିପରି ରାଜ୍ୟର ଯୁବଶକ୍ତିକୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯୁବବର୍ଗ ନିଜ ଦୈନନ୍ଦିନ ଜୀବନରୁ କିଛି ସମୟ କାଢ଼ି ସମାଜସେବାରେ ନିୟୋଜିତ ହେବା ସହ ଦେଶସେବା ପାଇଁ ବ୍ରତୀ ହେବା ହିଁ ମୋଦିଜୀଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ।

