ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୃଥ୍ବୀ ଶ’ ଏବଂ ଆକୃତି ଅଗ୍ରୱାଲ ପରସ୍ପରଠାରୁ ଅଲଗା ହୋଇଛନ୍ତି । ବିବାହ ପୂର୍ବରୁ ହିଁ ଉଭୟଙ୍କ ସମ୍ପର୍କରେ ସ୍ଥାଣୁତା ଆସିଥିବା ବେଳେ ଆପୋସ ସହମତିରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଅଭିନେତ୍ରୀ ,ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଆକୃତି ନିଜ ଇନ୍ଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଆକୃତି ନିଜ ପୋଷ୍ଟରେ ଲେଖିଛନ୍ତି, “ଆମ ଦୁହିଁଙ୍କ ଭବିଷ୍ୟତର ଲକ୍ଷ୍ୟ ଏବଂ ପରିସ୍ଥିତି ଭିନ୍ନ । ଏହି କାରଣରୁ ଆମେ ଦୁହେଁ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ।” ପରସ୍ପର ପ୍ରତି ସ୍ନେହ ଓ ଆଦର ଥିଲେ ମଧ୍ୟ ଆମର ରାସ୍ତା ଏକ ନୁହେଁ ବୋଲି ସେ ସ୍ବୀକାର କରିଛନ୍ତି । ଏହାସହ ଏହି କଠିନ ସମୟରେ ଲୋକମାନେ ତାଙ୍କ ନିଜସ୍ବ ଗୋପନୀୟତାକୁ ସମ୍ମାନ ଦେବାକୁ ଏବଂ କୌଣସି ପ୍ରକାର ଅଟକଳ ନଲଗାଇବାକୁ ସେ ଅନୁରୋଧ କରିଛନ୍ତି ।
ଚଳିତ ବର୍ଷ ମାର୍ଚ୍ଚ ୮ ତାରିଖରେ ପୃଥ୍ବୀ ଓ ଆକୃତିଙ୍କର ନିର୍ବନ୍ଧ ହୋଇଥିଲା । ନିର୍ବନ୍ଧର ମାତ୍ର ୬ ମାସ ପରେ ଏହି ସମ୍ପର୍କ ଭାଙ୍ଗିଯାଇଛି । ଗତ ଜୁଲାଇ ମାସରେ ମଧ୍ୟ ଆକୃତିଙ୍କ ଏକ ପୋଷ୍ଟକୁ ନେଇ ଉଭୟଙ୍କ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର ଧରିଥିଲା, ସେତେବେଳେ ସେ ଏହାକୁ ଖଣ୍ଡନ କରିଥିଲେ । ୨୦୧୮ରେ ପୃଥ୍ବୀଙ୍କ ଅଧିନାୟକତ୍ବରେ ଭାରତ ଅଣ୍ଡର୧୯ ୱାର୍ଲ୍ଡ କପ୍ ଜିତିଥିଲା । ଟେଷ୍ଟ ଡେବ୍ୟୁରେ ଶତକ ହାସଲ କରି ସେ କମ୍ ବୟସର ଭାରତୀୟ ଭାବେ ରେକର୍ଡ କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ୭୫ ଲକ୍ଷ ଟଙ୍କାରେ କିଣିଥିଲା । ଆକୃତି ଜଣେ ଜଣାଶୁଣା ମୋଡେଲ, ଆକ୍ଟ୍ରେସ ଓ ୟୁଟ୍ୟୁବର । ସେ ଜାନୁଆରୀ ୩୦ରେ ମୁକ୍ତିଲାଭ କରିଥିବା ତେଲୁଗୁ ଫିଲ୍ମ ତ୍ରିମୁଖରେ ନଜର ଆସିଥିଲେ ।

