ମୁମ୍ବାଇ: ଭାରତୀୟ ସିନିୟର ପୁରୁଷ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ୟ୍ୟକାଳ ଶେଷ ହେବାକୁ ଯାଉଛି । ଆସନ୍ତା ଅକ୍ଟୋବର ୪ ତାରିଖରେ ତାଙ୍କର ଚୁକ୍ତି ମିଆଦ ଶେଷ ହେଉଥିବାରୁ ବିସିସିଆଇ ତାଙ୍କୁ ଆଉ ଏକ୍ସଟେନସନ ନଦେବା ସମ୍ଭାବନା ଅଧିକ । ବୁଧବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ହ୍ୱାଇଟ୍-ବଲ୍ ସିରିଜ୍ ଏବଂ ଇରାନୀ ଟ୍ରଫି ପାଇଁ ଟିମ୍ ଘୋଷଣା ବୈଠକ ହିଁ ମୁଖ୍ୟ ଚୟନକର୍ତ୍ତା ଭାବେ ଅଗରକରଙ୍କ ଶେଷ ବୈଠକ ଥିଲା ବୋଲି କୁହାଯାଉଛି । ଶୁକ୍ରବାର ବିସିସିଆଇର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହେବାକୁ ଥିବା ବେଳେ ନୂଆ ଚୟନ ସମିତି ଅଧ୍ୟକ୍ଷ ପଦ ପାଇଁ ଦୁଇ ପୂର୍ବତନ ଭାରତୀୟ ଖେଳାଳିଙ୍କ ନାଁ ସବୁଠାରୁ ଆଗରେ ରହିଛି ।
୪୦ ବର୍ଷୀୟ ପୂର୍ବତନ ବାମହାତୀ ସ୍ପିନର ପ୍ରଜ୍ଞାନ ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତ ପାଇଁ ୨୪ଟି ଟେଷ୍ଟ, ୧୮ଟି ଦିନିକିଆ ଏବଂ ୬ଟି ଟ୍ୱେଣ୍ଟି୨୦ ମ୍ୟାଚ୍ ଖେଳିଛନ୍ତି । ଗତ ବର୍ଷ ସେପ୍ଟେମ୍ବରରେ ସେ ଚୟନ କମିଟିରେ ସାମିଲ ହୋଇଥିଲେ ଏବଂ ତାଙ୍କ କାର୍ୟ୍ୟକାଳ ଆଉ ୨ ବର୍ଷ ବାକି ଅଛି । ୪୧ ବର୍ଷୀୟ ପୂର୍ବତନ ୱିକେଟକିପର-ବ୍ୟାଟର ପାର୍ଥିବ ପଟେଲ ୨୫ଟି ଟେଷ୍ଟ, ୩୮ଟି ଦିନିକିଆ ଓ ୨ଟି ଟ୍ୱେଣ୍ଟି-୨୦ ମ୍ୟାଚ୍ରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ଦୁହେଁ ନିଜ ନିଜ କ୍ରିକେଟ କ୍ୟାରିୟରରେ ୩ ଥର ଲେଖାଏଁ ଆଇପିଏଲ୍ ବିଜେତା ଟିମର ସଦସ୍ୟ ରହିସାରିଛନ୍ତି । ବିସିସିଆଇ କାହାକୁ ସିନିୟର ସିଲେକ୍ସନ୍ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରୁଛି, ତାହା ପରେ ସ୍ପଷ୍ଟ ହେବ ।

