iPhone frenzy: ଦାମ୍ ୩ ଲକ୍ଷ ଟଙ୍କା ଛୁଇଁଲାଣି! ତଥାପି ଥମୁନି iPhone କ୍ରେଜ୍…ସେଓ କିଣିଲା ଭଳି ଏକାଥରେ ନେଉଛନ୍ତି ୫ଟା, ୬ଟା…
ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଟଙ୍କାର ଫୋନ୍, ତଥାପି କମୁନି କ୍ରେଜ୍। ଆପଲ୍ର ନୂଆ iPhone 18 Pro ଓ iPhone 18 Pro Max କିଣିବା ପାଇଁ ଭାରତର ବିଭିନ୍ନ ସହରରେ ଦେଖିବାକୁ ମିଳିଛି ଲମ୍ବା ଲାଇନ୍। ଦିଲ୍ଲୀରୁ ମୁମ୍ବାଇ ଓ ବେଙ୍ଗାଲୁରୁ ପର୍ଯ୍ୟନ୍ତ ଆପଲ୍ ଷ୍ଟୋର୍ ବାହାରେ ରାତିରୁ ଗ୍ରାହକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି।
ଭାରତରେ ଆଜି, ସେପ୍ଟେମ୍ବର ୧୮ରୁ iPhone 18 Pro ଓ iPhone 18 Pro Maxର ଅଫିସିଆଲ୍ ବିକ୍ରି ଆରମ୍ଭ ହୋଇଛି। ବିକ୍ରି ଆରମ୍ଭ ପୂର୍ବରୁ ହିଁ ଷ୍ଟୋର୍ ବାହାରେ ଲାଇନ୍ ଲଗାଇଥିଲେ ଗ୍ରାହକ। ମୁମ୍ବାଇର ଆପଲ୍ ଷ୍ଟୋର୍ ବାହାରେ ରାତିସାରା ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ନାସିକରୁ ମୁମ୍ବାଇ ଆସିଥିବା ହିତେଶ ପଟେଲ କହିଛନ୍ତି ଯେ, ସେ ଗୁରୁବାର ରାତି ୧୦ଟାରୁ ଲାଇନ୍ରେ ଛିଡ଼ା ହୋଇଥିଲେ। ତାଙ୍କୁ ସକାଳ ୮ଟାର ପ୍ରଥମ ସ୍ଲଟ୍ ମିଳିଥିଲା। ସେ ପ୍ରତିବର୍ଷ ନିଜ ଫୋନ୍ ବଦଳାଉଥିବା କହିଛନ୍ତି। ଏବେ ତାଙ୍କ ପାଖରେ iPhone 17 Pro Max ଥିବାବେଳେ, ସେ iPhone 18 Pro Max କିଣିବାକୁ ଆସିଛନ୍ତି।
ବେଙ୍ଗାଲୁରୁର ମଲ୍ ଅଫ୍ ଏସିଆରେ ଥିବା ଇମାଜିନ୍ ଆପଲ୍ ପ୍ରିମିୟମ୍ ରିସେଲର୍ ଷ୍ଟୋର୍ ବାହାରେ ମଧ୍ୟ ଲମ୍ବା ଲାଇନ୍ ଲାଗିଥିଲା। ରାହୁଲ ନାମକ ଜଣେ ଗ୍ରାହକ କହିଛନ୍ତି, ସେ ସକାଳ ପ୍ରାୟ ୫ଟାରୁ ଷ୍ଟୋର୍ ବାହାରେ ଥିଲେ। ହରିୟାଣା, ଦିଲ୍ଲୀ ଓ ମୁମ୍ବାଇରୁ ମଧ୍ୟ ଲୋକେ iPhone କିଣିବାକୁ ଆସିଥିବା ସେ କହିଛନ୍ତି। ତାଙ୍କ ପାଇଁ iPhone ଲଞ୍ଚ୍ ଏକ ପର୍ବ ଭଳି।
ଦିଲ୍ଲୀର ସାକେତ ସ୍ଥିତ ସିଲେକ୍ଟ ସିଟିୱାକ୍ ମଲ୍ର ଆପଲ୍ ଷ୍ଟୋର୍ ବାହାରେ ମଧ୍ୟ ସକାଳୁ ଗ୍ରାହକଙ୍କ ଭିଡ଼ ଜମିଥିଲା। ଟେକ୍ ରିଭ୍ୟୁ କରୁଥିବା ସୂରଜ ଚୌହାନ୍ iPhone 18 Pro Max କିଣିବାକୁ ଆସିଥିବା କହିଛନ୍ତି। ଅନ୍ୟ ଜଣେ ଗ୍ରାହକ ଅଜୟ ୧TB iPhone 18 Pro Max ପ୍ରି-ବୁକ୍ କରିସାରିଥିବା କହିଛନ୍ତି।
ଭାରତରେ iPhone 18 Proର ଆରମ୍ଭିକ ମୂଲ୍ୟ ୧,୬୪,୯୦୦ ଟଙ୍କା, ଯେତେବେଳେ iPhone 18 Pro Maxର ଆରମ୍ଭିକ ମୂଲ୍ୟ ୧,୭୯,୯୦୦ ଟଙ୍କା ରହିଛି। ଏହା ସତ୍ତ୍ୱେ ନୂଆ iPhoneକୁ ନେଇ ଗ୍ରାହକଙ୍କ ଉତ୍ସାହ କମିନାହିଁ। ଆପଲ୍ iPhone 18 Pro ଓ Pro Maxରେ ବ୍ୟାଟେରୀ, କ୍ୟାମେରା ଓ ପରଫର୍ମାନ୍ସରେ ଉନ୍ନତି କରିଥିବା ଦାବି କରିଛି। ଏହାସହ AI, ପ୍ରାଇଭେସି ଓ ସିକ୍ୟୁରିଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଏହା ବ୍ୟତୀତ ଆପଲ୍ ନିଜର ପ୍ରଥମ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ iPhone Duo ମଧ୍ୟ ଲଞ୍ଚ୍ କରିଛି। ଭାରତରେ ଏହାର ବିକ୍ରି ଅକ୍ଟୋବର ୨୩ରୁ ଆରମ୍ଭ ହେବ ଏବଂ ଏହାର ପ୍ରାରମ୍ଭିକ ମୂଲ୍ୟ ୨.୯୯ ଲକ୍ଷ ଟଙ୍କା ରହିଛି। ଅର୍ଥାତ୍ ପ୍ରାୟ ୩ ଲକ୍ଷ ଟଙ୍କାର ଫୋନ୍ ହୋଇଥିଲେ ମଧ୍ୟ ଆପଲ୍ର ନୂଆ ଡିଭାଇସ୍କୁ ନେଇ ଗ୍ରାହକଙ୍କ କ୍ରେଜ୍ ଏବେ ବି ଜାରି ରହିଛି।

