ନୂଆଦିଲ୍ଲୀ: ସୁନା ନୁହେଁ, ଏବେ iPhone ହିଁ ସବୁଠୁ ବଡ଼ ସଉକ୍! ସ୍ତ୍ରୀଙ୍କୁ iPhone 18 Pro ଉପହାର ଦେବାକୁ ଦିଲ୍ଲୀର ଜଣେ ବ୍ୟକ୍ତି ସୁନା ବିକିଦେଇଥିବା ଖବର ସାମ୍ନାକୁ ଆସିଛି। ଫୋନ୍ର ଦାମ ବଢ଼ିଥିଲେ ମଧ୍ୟ ଏହାକୁ ନେଇ ଲୋକଙ୍କ ଉତ୍ସାହ କମିନାହିଁ। ନୋଏଡାର DLF ମଲ୍ ସ୍ଥିତ Apple ଷ୍ଟୋର୍ ବାହାରେ ଦୀର୍ଘ ସମୟ ଧରି ଲାଇନ୍ରେ ଅପେକ୍ଷା କରି ସେ ଏହି ଫୋନ୍ କିଣିବାକୁ ଆସିଥିଲେ।
ଭାରତରେ ଶୁକ୍ରବାରଠାରୁ iPhone 18 Pro ସିରିଜ୍ର ବିକ୍ରି ଆରମ୍ଭ ହୋଇଛି। ସକାଳ ୮ଟାରେ ଷ୍ଟୋର୍ ଖୋଲିବା ପୂର୍ବରୁ ନୋଏଡା Apple Store ବାହାରେ ଲମ୍ବା ଲାଇନ୍ ଲାଗିଥିଲା। ଲାଇନ୍ରେ ଥିବା ଦିଲ୍ଲୀର ଏହି ବ୍ୟକ୍ତି କହିଥିଲେ, ସେ ନିଜ ସ୍ତ୍ରୀଙ୍କ ପାଇଁ iPhone 18 Pro କିଣିବାକୁ ଆସିଛନ୍ତି। ସ୍ତ୍ରୀ ତାଙ୍କୁ ବର୍ଗଣ୍ଡି ରଙ୍ଗର ଫୋନ୍ ଆଣିବାକୁ କହିଥିଲେ।
ବିଶେଷ କଥା ହେଉଛି, ତାଙ୍କ ସ୍ତ୍ରୀ ପୂର୍ବରୁ iPhone ବ୍ୟବହାର କରୁନଥିଲେ। ତାଙ୍କୁ ନୂଆ ଫୋନ୍ ଉପହାର ଦେବା ପାଇଁ ସେ ଏହି ଫୋନ୍ କିଣୁଥିବା କହିଥିଲେ। ଟଙ୍କା କେଉଁଠୁ ଆସିଲା ବୋଲି ପଚରାଯିବାରେ ସେ କହିଥିଲେ, “ସୁନା ବିକି ଏହା କିଣିବାକୁ ଆସିଛି।” ତାଙ୍କ କହିବା ଅନୁସାରେ, ପୂର୍ବରୁ ଏତେ ଟଙ୍କା ନଥିଲା, ଏବେ ଟଙ୍କା ଅଛି ବୋଲି ସେ ଏହାକୁ କିଣିବାକୁ ପସନ୍ଦ କରିଛନ୍ତି।
ଏପଟେ ପଞ୍ଜାବରୁ ମଧ୍ୟ ଜଣେ ଯୁବକ ନିଜ ଭାବି ପତ୍ନୀଙ୍କ ପାଇଁ iPhone 18 Pro କିଣିବାକୁ ନୋଏଡା ଆସିଥିଲେ। ସେ ନିଜ ପାଇଁ iPhone 18 Pro Max ମଧ୍ୟ କିଣିଥିଲେ। ଦୁଇଟି ଫୋନ୍ ପାଇଁ ସେ ୩.୫ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିବା କହିଛନ୍ତି।
ଅନ୍ୟପଟେ ଜଣେ ଦମ୍ପତି ଦୁଇଟି iPhone 18 Pro ପାଇଁ ପ୍ରି-ବୁକିଂ କରିଥିଲେ। ସେମାନେ ଆଗକୁ iPhone Duo କିଣିବାକୁ ମଧ୍ୟ ଯୋଜନା କରିଛନ୍ତି। ଏଥିପାଇଁ ହଂକଂରେ ଥିବା ସେମାନଙ୍କ ବନ୍ଧୁ ସହାୟତା କରିବେ ବୋଲି କହିଛନ୍ତି।
ତେବେ ଯେଉଁମାନେ ପ୍ରି-ବୁକ୍ କରିନଥିଲେ, ସେମାନଙ୍କୁ ଏହି ଦିନ ଫୋନ୍ କିଣିବାର ସୁଯୋଗ ମିଳିନଥିଲା। ଏହାକୁ ନେଇ ଷ୍ଟୋର୍ ବାହାରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା।

