ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଲଘୁଚାପ। ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ଆଗାମୀ କିଛି ଦିନରେ ବର୍ଷା ବଢ଼ିପାରେ।
ଏହି ପାଣିପାଗ ବ୍ୟବସ୍ଥା ଆଗାମୀ ଦିନରେ ଧୀରେ ଧୀରେ ଶକ୍ତିଶାଳୀ ହେବା ସହ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। IMD ଅନୁସାରେ, ଏହି ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଗତି କରିବା ସହ ଏହା କ୍ରମେ ଘନୀଭୂତ ହେବ। ୨୧ ସେପ୍ଟେମ୍ବର ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହେବାର ଖୁବ୍ ଅଧିକ ସମ୍ଭାବନା ରହିଛି। ଏହାପରେ ଆହୁରି ଶକ୍ତିଶାଳୀ ହୋଇ ୨୨ ସେପ୍ଟେମ୍ବର ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଇପାରେ।
ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ଉତ୍ତର ଥାଇଲାଣ୍ଡ ଉପରେ ଥିବା ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ଆସିବା ପରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ପ୍ରାରମ୍ଭିକ ଆକଳନ ଅନୁସାରେ, ଏହା ଆଗାମୀ ୩ରୁ ୪ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଯାଇପାରେ।
ଏହାପରେ ମଧ୍ୟ ପାଣିପାଗ ବ୍ୟବସ୍ଥାର ପଶ୍ଚିମ-ଉତ୍ତରପଶ୍ଚିମ ଗତି ଜାରି ରହିବ। ୨୩ ସେପ୍ଟେମ୍ବର ସକାଳ ସୁଦ୍ଧା ଏହା ପଶ୍ଚିମ-କେନ୍ଦ୍ରୀୟ ଏବଂ ତାହାର ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ, ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି।
ଏହି ସିଷ୍ଟମ୍ର ପ୍ରଭାବରେ ଓଡ଼ିଶାରେ ଆଗାମୀ ଦିନରେ ବର୍ଷାର ପରିମାଣ ବଢ଼ିପାରେ। ଆଗାମୀ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ସହ ଘଡ଼ଘଡ଼ି, ବଜ୍ରପାତ ଏବଂ ଝଟକା ପବନ ବହିବାର ସମ୍ଭାବନା ରହିଛି। ବର୍ଷା ସହ ଘଡ଼ଘଡ଼ି, ବଜ୍ରପାତ ଏବଂ ଝଟକା ପବନ ବହିବାର ସମ୍ଭାବନା ରହିଛି। ବିଶେଷକରି ଉପକୂଳ ଅଞ୍ଚଳର ପାଣିପାଗ ଉପରେ ନଜର ରଖାଯାଉଛି। ଲଘୁଚାପ ଘନୀଭୂତ ହେବା ସହ ସମୁଦ୍ର ମଧ୍ୟ ଅଶାନ୍ତ ହୋଇପାରେ।
ଗଜପତି,ଗଞ୍ଜାମ,ପୁରୀ,ଖୋର୍ଦ୍ଧା ଓ ନୟାଗଡ଼ର ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ। ବାଲେଶ୍ୱର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା,ଜଗତସିଂହପୁର,କଟକ,କେନ୍ଦୁଝର,ମୟୂରଭଞ୍ଜ,ବୌଦ୍ଧ,କନ୍ଧମାଳ,ରାୟଗଡ଼ା,କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଅଛି। ୨୩ ଓ ୨୪ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୨୩ରେ କନ୍ଧମାଳ,ଗଜପତି,ଗଞ୍ଜାମ ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାବେଳେ ଆଉ କେତେକ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାର କିଛି ଜାଗାରେ ବି ପ୍ରବଳ ବର୍ଷା ସମ୍ଭାବନା ଅଛି। ୨୫ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ ପଶ୍ଚିମ ଓଡ଼ିଶାର କିଛି ଜାଗାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।
ବାତ୍ୟା ହେବ କି ନାହିଁ? ବର୍ତ୍ତମାନ IMD ପକ୍ଷରୁ ବାତ୍ୟା ନେଇ ନିଶ୍ଚିତ ପୂର୍ବାନୁମାନ ଦିଆଯାଇନାହିଁ। ତେବେ ବର୍ତ୍ତମାନର IMD ଅପଡେଟ୍ ଅନୁସାରେ ଏହାକୁ ଏଯାଏଁ ‘ବାତ୍ୟା’ କହିବା ଠିକ୍ ହେବ ନାହିଁ। ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି ଏବଂ ଏହା ୨୧ରେ ଅବପାତ, ୨୨ରେ ଗଭୀର ଅବପାତରେ ପରିଣତ ହେବାର ଆକଳନ ରହିଛି। ୨୩ ସେପ୍ଟେମ୍ବର ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ନିକଟକୁ ଏହା ପହଞ୍ଚିପାରେ। ତେଣୁ ଓଡିଶାକୁ ପ୍ରବଳ ବର୍ଷା ନେଇ ସତର୍କତା ଜାରି ରହିଛି । ୨୨ ଓ ୨୩ରେ ଭାରୀରୁ ଅତି ପ୍ରବଳ ବର୍ଷା ଏବଂ ୨୪ରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ସତର୍କତା ରହିଛି। କିଛି ମଡେଲ୍ରେ ଅଧିକ ତୀବ୍ରତାର ସମ୍ଭାବନା ଦେଖାଯାଉଥିଲେ ମଧ୍ୟ, ଏବେର ଅଧିକ ନିଶ୍ଚିତ ଆକଳନ ହେଉଛି ଗଭୀର ଅବପାତ। ଏହା ପରେ ବାତ୍ୟା ନେଇ ଅଧିକ ତଥ୍ୟ ମିଳିବ ।

