Latest Odisha News

BREAKING NEWS

Asian Games 2026:ପ୍ରଥମ ଦିନରେ ସୁଟିଂରେ ଡବଲ୍ ସିଲଭର;ଫାଇନାଲରେ ମହିଳା କ୍ରିକେଟ୍ ଦଳ, ହକିରେ ଉଭୟ ବର୍ଗରେ ଚମତ୍କାର ଆରମ୍ଭ

ନୂଆଦିଲ୍ଲୀ: ଜାପାନର ଆଇଚି-ନାଗୋୟାରେ ଚାଲିଥିବା ୨୦ତମ ଏସୀୟ କ୍ରୀଡ଼ାରେ ପଦକ ଖାତା ଖୋଲିଛି ଭାରତ। ପ୍ରଥମ ଦିନରେ ଭାରତ ୨ଟି ପଦକ ଜିତିସାରିଛି । ସୁଟିଂରେ ଭାରତୀୟ ମହିଳା ଟିମ୍ ୧୦ ମିଟର ଏୟାର ରାଇଫଲ୍ ଟିମ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛି। ମହିଳା ୧୦ ମିଟର ଏୟାର ରାଇଫଲ ଦଳଗତ ଇଭେଣ୍ଟରେ ଭାରତୀୟ ସୁଟରମାନେ ରୌପ୍ୟ ପଦକ ଜିତିଛନ୍ତି । ସୋନମ ମସ୍କର, ଏଲାଭେନିଲ ଭାଲାରିଭାନ ଏବଂ ବିଦର୍ଶା କେ. ବିନୋଦଙ୍କୁ ନେଇ ଗଠିତ ଭାରତୀୟ ଦଳ ଜାପାନର ନାଗୋୟାଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ।

 

ଏହାପରେ ସିଙ୍ଗଲ୍ସ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ କରିଛନ୍ତି ଇଲାଭେନିଲ୍ ଭାଲାରିଭାନ୍ । ଗୋଟିଏ ସମୟରେ ଇଲାଭେନିଲ୍ ଭାଲାରିଭାନ୍ ସ୍ୱର୍ଣ୍ଣ ପଦକ ଦୌଡ଼ରେ ଆଗରେ ଥିଲେ, କିନ୍ତୁ ଶେଷ ଦୁଇଟି ସଟ୍ ଠିକ୍ ଭାବେ ନ ଖେଳିପାରିବା ଯୋଗୁଁ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଲା। ଜାପାନୀ ସୁଟର୍ ତାଇଚି ସ୍ୱର୍ଣ୍ଣ ପଦକ ଜିତିଲେ।

 

ଏପଟେ ଭାରତୀୟ ମହିଳା କ୍ରିକେଟ୍ ଦଳ ଫାଇନାଲ୍‌ରେ ପହଞ୍ଚିଛି। ଏସୀୟ କ୍ରୀଡ଼ାର ଦ୍ୱିତୀୟ ସେମି-ଫାଇନାଲ୍‌ରେ ଭାରତ ବାଂଲାଦେଶକୁ ୧୧୪ ରନ୍‌ରେ ପରାସ୍ତ କରିଛି। ବର୍ତ୍ତମାନ ଭାରତୀୟ ମହିଳା ଦଳ ଫାଇନାଲ୍‌ରେ ଶ୍ରୀଲଙ୍କାକୁ ମୁକାବିଲା କରିବ।

ଅନ୍ୟପଟେ ମହିଳା ହକିରେ ଭାରତ ଉଜବେକିସ୍ତାନକୁ ୧୯-୦ ଗୋଲରେ ପରାସ୍ତ କରିଛି। ଏହା ସହିତ ଭାରତୀୟ ମହିଳା ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଏକ ଚମତ୍କାର ଆରମ୍ଭ କରିଛି। ସେହିପରି ଭାରତୀୟ ପୁରୁଷ ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଏକ ଚମତ୍କାର ଆରମ୍ଭ କରିଛି ଏବଂ ନିଜର ପ୍ରାରମ୍ଭିକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ରେ ଇଣ୍ଡୋନେସିଆକୁ ୧୩-୧ ଗୋଲ୍‌ରେ ପରାସ୍ତ କରିଛି।

 

 

ସୂଚନାଥାଉକି, ଭାରତୀୟ ମହିଳା ବ୍ୟାଡମିଣ୍ଟନ୍ ଦଳ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି । ଭାରତୀୟ ଦଳ ଜାପାନ ସହ ମୁକାବିଲା କରିବେ। ପ୍ରାରମ୍ଭିକ ରାଉଣ୍ଡରେ ଭାରତୀୟ ଦଳ କାଜାଖସ୍ତାନକୁ ୩-୦ ବ୍ୟବଧାନରେ ପରାସ୍ତ କରିଛି ।

Leave A Reply

Your email address will not be published.