ନୂଆଦିଲ୍ଲୀ: ଗୋଟିଏ ଗଜଲ୍ କ’ଣ ଅଭିଶପ୍ତ ହୋଇପାରେ? ୭୦ ଦଶକର ଏକ ପ୍ରସିଦ୍ଧ ଗଜଲ କୁ ନେଇ କିଛି ଏପରି ଆଶ୍ଚର୍ୟ୍ୟଜନକ କାହାଣୀ ରହିଛି, ଯାହାକୁ ଲେଖିଥିବା ଶାୟର ଏବଂ ଗାଇଥିବା ଗାୟକମାନେ ଏହା ପରେ ପରପାରିକୁ ଚାଲିଯାଇଥିଲେ । ସେହି ଚର୍ଚ୍ଚିତ ଗଜଲ୍ଟି ହେଉଛି ଇନ୍ସା-ଜୀ ଉଠୋ ଅବ୍ କୁଚ୍ କରୋ, ଇସ୍ ସହର ମେଁ ଜୀ କୋ ଲଗାନା କ୍ୟା । ଏହି ଗଜଲ୍ଟି ଉର୍ଦ୍ଦୁର ସୁପ୍ରସିଦ୍ଧ ଶାୟର, ବ୍ୟଙ୍ଗକାର ଓ ଲେଖକ ସେର୍ ମହମ୍ମଦ ଖାନ୍ ଲେଖିଥିଲେ। ଏହି ଗଜଲ୍ରେ ସାଂସାରିକ ମୋହମାୟାରୁ ଦୂରେଇଯିବା ଏବଂ ବୈରାଗ୍ୟର କଥା କୁହାଯାଇଛି । ୧୯୭୪ ମସିହା ଜାନୁଆରୀରେ ପାଟିଆଲା ଘରାନାର ସୁପ୍ରସିଦ୍ଧ ଗାୟକ ଉସ୍ତାଦ୍ ଅମାନତ ଅଲ୍ଲୀ ଖାନ୍ ପାକିସ୍ତାନ ଟିଭିରେ ପ୍ରଥମ ଥର ପାଇଁ ଏହି ଗଜଲ୍ଟି ଗାଇଥିଲେ । ଗଜଲ୍ଟି ବେଶ୍ ଲୋକପ୍ରିୟ ହୋଇଥିଲା, ମାତ୍ର ଏହାର ମାତ୍ର ୮ ମାସ ପରେ (୧୭ ସେପ୍ଟେମ୍ବର ୧୯୭୪) ମାତ୍ର ୫୨ ବର୍ଷ ବୟସରେ ଆପେଣ୍ଡିକ୍ସ ଫାଟିଯିବା କାରଣରୁ ତାଙ୍କର ଅକାଳ ବିୟୋଗ ଘଟିଥିଲା ।
୧୯୭୮ ଜାନୁଆରୀରେ ଲଣ୍ଡନର ଏକ ହସପିଟାଲରେ କ୍ୟାନ୍ସର ସହ ଲଢ଼ୁଥିବା ବେଳେ ଲେଖକ ଇବ୍ନ୍-ଏ-ଇନ୍ସା ନିଜର ଶେଷ ଚିଠିରେ ଅମାନତ ଅଲ୍ଲୀଙ୍କ କଥା ମନେ ପକାଇ ଲେଖିଥିଲେ ଏହି ମନହୁସ୍ (ଅଶୁଭ) ଗଜଲ୍ ଆଉ କେତେ ଜଣଙ୍କ ଜୀବନ ନେବ ? ଏହାର ପରଦିନ (୧୧ ଜାନୁଆରୀ ୧୯୭୮) ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଉସ୍ତାଦ୍ ଅମାନତ ଅଲ୍ଲୀଙ୍କ ପୁଅ ଅସଦ୍ ୨୦୦୬ରେ ଏକ କନସର୍ଟରେ ନିଜ ବାପାଙ୍କ ଗାୟକୀକୁ ଦୋହରାଇ ଏହି ଗଜଲ୍ ଗାଇଥିଲେ । କିଛି ମାସ ମଧ୍ୟରେ, ନିଜ ବାପାଙ୍କ ଭଳି ଠିକ୍ ୫୨ ବର୍ଷ ବୟସରେ ତାଙ୍କର ମଧ୍ୟ ହୃଦ୍ଘାତରେ ମୃତ୍ୟୁ ହୋଇଥିଲା । ଅମାନତ ଅଲ୍ଲୀଙ୍କ ବଡ଼ ପୁଅ ଅମଜଦ୍ ଅଲ୍ଲୀ ଖାନ୍ (ଯିଏ ଏହି ଗଜଲ୍ ଗାଉଥିଲେ) ଏବଂ ଗଜଲ୍ର ପ୍ରଡ୍ୟୁସରଙ୍କର ମଧ୍ୟ ହଠାତ୍ ମୃତ୍ୟୁ ଘଟିଥିଲା ।
ବଲିଉଡ୍ର ଜଣାଶୁଣା ଗାୟକ ସଫାକତ୍ ଅମାନତ ଅଲ୍ଲୀ ହେଉଛନ୍ତି ଉସ୍ତାଦ୍ ଅମାନତ ଅଲ୍ଲୀଙ୍କ ସାନ ପୁଅ । ସେ କହିଛନ୍ତି, ଆମେ ଆନ୍ଧବିଶ୍ୱାସୀ ନହେଁ, ଜୀବନ ଓ ମୃତ୍ୟୁ ଈଶ୍ୱରଙ୍କ ହାତରେ । କିନ୍ତୁ ପରିବାରର ଅନୁରୋଧ କାରଣରୁ ମୁଁ କେବେବି ଏହି ଗଜଲ୍ଟି ଗାଏ ନାହିଁ । ବୈଜ୍ଞାନିକ ଓ ପ୍ରାକୃତିକ ଦୃଷ୍ଟିକୋଣରୁ ଏସବୁ ମୃତ୍ୟୁ ଭିନ୍ନ ଭିନ୍ନ କାରଣରୁ ହୋଇଥିଲା ଏବଂ ଏହା କେବଳ ସଂଯୋଗ ହୋଇପାରେ, ମାତ୍ର କ୍ରମାଗତ ଅପ୍ରତ୍ୟାଶିତ ମୃତ୍ୟୁ କାରଣରୁ ସମୟ ସହ ଏହି ଗଜଲ୍ଟିକୁ କିଛି ଲୋକ ଅଭିଶପ୍ତ ବୋଲି ଆଖ୍ୟା ଦେଇଛନ୍ତି ।

