Latest Odisha News

BREAKING NEWS

ଚୌଦ୍ୱାର ଜେଲରୁ ବିହାରୀ କଏଦୀ ଚମ୍ପଟ ଘଟଣା; ଗିରଫ ହେଲେ ଜେଲ୍ ଅଧୀକ୍ଷକ

କଟକ: ଚୌଦ୍ୱାର ଜେଲରୁ ଦୁଇ ବିହାରୀ କଏଦୀ ଫେରାର ମାମଲା। ଗିରଫ ହେଲେ ପୂର୍ବତନ ଜେଲ୍ ଅଧୀକ୍ଷକ। ଚୌଦ୍ୱାର ଜେଲ୍ କଏଦୀ ଫେରାର ଏବଂ କାଗଜପତ୍ର ଜାଲିଆତି ମାମଲାରେ ଚୌଦ୍ୱାର ସର୍କଲ ଜେଲ୍‌ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କୁ ବାନ୍ଧିଲା ପୋଲିସ। ସୁଜିତଙ୍କୁ ଘରୁ ଉଠାଇ ନେଇଛି ପୋଲିସ। ତେବେ ଜେଲ୍‌ରୁ ଦୁଇ ବିଚାରାଧୀନ କଏଦୀ ଫେରାର ହେବା ପରେ ସରକାରୀ ରେକର୍ଡରେ କଥିତ ଜାଲିଆତି ଓ ଦସ୍ତାବିଜ୍‌ ହେରଫେର ନେଇ ସୁଜିତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ତାଙ୍କ ଆଗୁଆ ଜାମିନ ଆବେଦନ ମଧ୍ୟ ଓଡ଼ିଶା ହାଇକୋର୍ଟ ଖାରଜ କରିଥିଲେ। ପରେ ସୁପ୍ରିମକୋର୍ଟ ମଧ୍ୟ ଆଗୁଆ ଜାମିନ ଖାରଜ କରିଥିଲେ ।

ତାଙ୍କ ବିରୁଦ୍ଧରେ ଚୌଦ୍ଵାର ଥାନାରେ ଲିଖିତ ଅଭିଯୋଗ କରିଥିଲେ ତତ୍କାଳୀନ ଜେଲର ସନ୍ତୋଷୀନି ଦାସ। ଇନ୍ ଆଉଟ୍ ରେଜିଷ୍ଟର ଏବଂ ମିନିଟ୍ ବୁକ୍ ରେ ଜାଲିଆତି ଅଭିଯୋଗ ଆଣିଥିଲେ ଜେଲର୍। ଚୌଦ୍ଵାର ଜେଲରୁ ଦୁଇ ଅପରାଧୀ ଫେରାର ହେବା ପରେ ମୁଣ୍ଡ ଟେକି ଥିଲା ବିବାଦ । ୨୦୨୫ ଅକ୍ଟୋବର ୨ ତାରିଖରେ ଚୌଦ୍ୱାର ଜେଲରୁ ବିହାରର ଦୁଇଜଣ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିଲେ। ଏହି ଘଟଣା ପରେ ଜେଲର ସୁରକ୍ଷା ଓ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ମଧ୍ୟ ବିଭିନ୍ନ ପ୍ରଶ୍ନ ଉଠିଥିଲା । ଘଟଣା ପରେ ସୁଜିତ ରାଉଳଙ୍କୁ ପଦରୁ ନିଲମ୍ବିତ କରାଯାଇଥିଲା। ଜେଲରୁ କଏଦୀ ଫେରାର ହେବା ଦିନ ଅଧୀକ୍ଷକ ସୁଜିତ ରାଉଳ ନିଜେ ଗେଟରେ ଉପସ୍ଥିତ ନଥିଲେ। କିନ୍ତୁ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ସେ ଜେଲ୍ ଗେଟ ରେଜିଷ୍ଟରରେ ସେଦିନ ନିଜକୁ ଉପସ୍ଥିତ ଦେଖାଇବାକୁ ଚେଷ୍ଟା କରିଥିଲେ।

ଏହା ସହିତ ନିଜ ଦୋଷ ଲୁଚାଇବାକୁ ଯାଇ ତତ୍କାଳୀନ ଜେଲର ସନ୍ତୋଷିନୀ ଦାଶଙ୍କ ଜାଲ୍ ଦସ୍ତଖତ କରି ଏକ ନକଲି ରିପୋର୍ଟ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ତତ୍କାଳୀନ ଜେଲର ସନ୍ତୋଷିନୀ ଦାଶ ଚୌଦ୍ୱାର ଥାନାରେ ଅଧୀକ୍ଷକଙ୍କ ବିରୋଧରେ ଏତଲା ଦାୟର କରିଥିଲେ। ଗିରଫଦାରୀରୁ ବର୍ତ୍ତିବା ପାଇଁ ସୁଜିତ ରାଉଳ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଥିଲେ। କୋର୍ଟଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ସେ ମୂଳ ଜେଲ୍ ମିନିଟ୍ ବୁକ୍ ଏବଂ ଅସଲି କାଗଜପତ୍ର ପୋଲିସକୁ ହସ୍ତାନ୍ତର କରିନଥିଲେ। ଏହି କାରଣରୁ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେବା ସହ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ହଟାଇ ଦେଇଥିଲେ।

 

Leave A Reply

Your email address will not be published.