Latest Odisha News

BREAKING NEWS

ପେଟ୍ରୋଲ ପମ୍ପରେ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ନେବାକୁ କାହିଁକି ମନା କରୁଛନ୍ତି ମାଲିକ? ଜାଣନ୍ତୁ ଏହା ପଛର ଗଣିତ

ନୂଆଦିଲ୍ଲୀ : ଦେଶରେ ଡିଜିଟାଲ୍ ପେମେଣ୍ଟ ବା ୟୁପିଆଇ ନେଣଦେଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏବେ ପେଟ୍ରୋଲ୍ ପମ୍ପ ଗ୍ରାହକ ଏବଂ ମାଲିକଙ୍କ ପାଇଁ ଏକ ନୂଆ ସମସ୍ୟା ଉପୁଜିଛି । ଏନ୍‌ପିସିଆଇ ପକ୍ଷରୁ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ୫ ଟଙ୍କାର ଏକ ଫିକ୍ସଡ୍ ଚାର୍ଜ ଲାଗୁ କରାଯାଇଛି, ଯାହାକୁ ଏବେ ଦେଶବ୍ୟାପୀ ତୀବ୍ର ବିରୋଧ କରାଯାଉଛି ।

ଏହି କାରଣରୁ ପଞ୍ଜାବ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ଦେଶର ପ୍ରମୁଖ ରାଜ୍ୟଗୁଡ଼ିକରେ ଥିବା ଅନେକ ପେଟ୍ରୋଲ୍ ପମ୍ପ ମାଲିକ ୨୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ୟୁପିଆଇ ପେମେଣ୍ଟ୍ ଗ୍ରହଣ କରିବାକୁ ସିଧାସଳଖ ମନା କରିଦେଇଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ଏହି ୫ ଟଙ୍କା ଚାର୍ଜ ଗ୍ରାହକଙ୍କ ପକେଟରୁ ଆଦାୟ କରାଯିବ ନାହିଁ, ବରଂ ଏହାକୁ ପମ୍ପ ଡିଲର ବହନ କରିବେ। ତେବେ ନିଜ ଲାଭାଂଶରୁ ଏହି ଅର୍ଥ ଦେବାକୁ ଡିଲରମାନେ ରୋକ୍‌ଠୋକ୍ ମନା କରିଦେଇଛନ୍ତି ।

ଅଲ୍ ଇଣ୍ଡିଆ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ ପକ୍ଷରୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଦାବି କରି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଏକ ପତ୍ର ଲେଖାଯାଇଛି । ସଂଘର ସଭାପତି ଅଜୟ ବଂଶଲଙ୍କ କହିବା ଅନୁଯାୟୀ, ପେଟ୍ରୋଲ୍ ପମ୍ପ ମାଲିକମାନେ ଟ୍ରାଞ୍ଜାକ୍ସନ୍ ମୂଲ୍ୟର ଶତକଡ଼ା ହିସାବରେ କାମ କରନ୍ତି ନାହିଁ, ବରଂ ପ୍ରତି ଲିଟର ତେଲ ବିକ୍ରି ଉପରେ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ କମିଶନ୍ ମିଳିଥାଏ । ୨୦୧୭ ମସିହା ଅକ୍ଟୋବର ମାସଠାରୁ ଡିଲର କମିଶନ୍‌ରେ କୌଣସି ବୃଦ୍ଧି କରାଯାଇ ନାହିଁ । ଅଥଚ ବିଦ୍ୟୁତ୍ ବିଲ୍, କର୍ମଚାରୀଙ୍କ ଦରମା ଓ ପରିଚାଳନା ଖର୍ଚ୍ଚ ଲଗାତାର ବଢ଼ିବାରେ ଲାଗିଛି । ପ୍ରତିଦିନ ପେଟ୍ରୋଲ୍ ପମ୍ପରେ ବହୁଳ ମାତ୍ରାରେ ୟୁପିଆଇ ଟ୍ରାଞ୍ଜାକ୍ସନ୍ ହେଉଥିବାରୁ, ପ୍ରତି ବଡ଼ କାରବାର ପିଛା ୫ ଟଙ୍କା କଟିଲେ ଏହା ସେମାନଙ୍କ ଆୟ ଉପରେ ବହୁତ ବଡ଼ ବୋଝ ପକାଇବ ବୋଲି ସଂଘ ଯୁକ୍ତି ବାଢ଼ିଛି । ପୂର୍ବରୁ କାର୍ଡ ପେମେଣ୍ଟ୍ ଉପରେ ଯେପରି ରିହାତି ମିଳୁଥିଲା, ୟୁପିଆଇ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି ।

ଏବେ ଆସନ୍ତୁ ବୁଝିବା ପମ୍ପ ମାଲିକମାନଙ୍କର ଲାଭ ଓ କ୍ଷତିର ଗଣିତ । ଦିଲ୍ଲୀର ଉଦାହରଣ ନେଲେ, ସେଠାରେ ଡିଲରମାନଙ୍କୁ ପ୍ରତି ଲିଟର ପେଟ୍ରୋଲ୍ ପିଛା ହାରାହାରି ୪.୪୧ ଟଙ୍କା କମିଶନ୍ ମିଳିଥାଏ । ଯଦି ଜଣେ ଗ୍ରାହକ ୩୦୦୦ ଟଙ୍କାର ପେଟ୍ରୋଲ୍ ପକାନ୍ତି, ତେବେ ତାଙ୍କୁ ପ୍ରାୟ ୨୯.୩୭ ଲିଟର ତେଲ ମିଳିବ । ଏହି ହିସାବରେ ଡିଲରଙ୍କ କମିଶନ୍ ପାଖାପାଖି ୧୨୯.୫୫ ଟଙ୍କା ହେବ । ଏଥିରୁ ୫ ଟଙ୍କା ଏମ୍‌ଡିଆର୍ ଚାର୍ଜ ଦେବା ପରେ ମଧ୍ୟ ତାଙ୍କ ପାଖରେ ୧୨୪.୫୫ ଟଙ୍କା ଲାଭ ରହିବ । ଗୋଟିଏ ଟ୍ରାଞ୍ଜାକ୍ସନରେ ଏହା କମ୍ ମନେ ହେଉଥିଲେ ମଧ୍ୟ, ଦିନକୁ ଶହ ଶହ ଏଭଳି ବଡ଼ ଟ୍ରାଞ୍ଜାକ୍ସନ୍ ହେଉଥିବାରୁ ମାସିକ ହିସାବରେ ଏହି ୫ ଟଙ୍କିଆ କାଟ୍ ଡିଲରଙ୍କ ପାଇଁ ଏକ ବଡ଼ କ୍ଷତି ପାଲଟିଯାଉଛି ।

ଏନ୍‌ପିସିଆଇର ନିୟମ ଅନୁସାରେ, ୨୦୦୦ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ପେମେଣ୍ଟ୍ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ । କିନ୍ତୁ ଏହାଠାରୁ ଅଧିକ ଅର୍ଥରାଶି ପାଇଁ ଡିଲରମାନଙ୍କ ଉପରେ ଲଦି ଦିଆଯାଇଥିବା ଏହି ଅତିରିକ୍ତ ଶୁଳ୍କକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି ।

Leave A Reply

Your email address will not be published.