ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ପ୍ରବଳ ବର୍ଷା ନେଇ ଜାରି କରାଯାଇଥିବା ‘ଅରେଞ୍ଜ ୱାର୍ଣ୍ଣିଂ’କୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ଶିକ୍ଷାନୁଷ୍ଠାନ — ଯେଉଁଥିରେ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV), କେନ୍ଦ୍ରୀୟ ବିଦ୍ୟାଳୟ (KV), ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ (EMRS) ଏବଂ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର (AWC) ଅନ୍ତର୍ଭୁକ୍ତ ରହିଛି। ସମସ୍ତ ସ୍କୁଲ ଗୁଡ଼ିକ ସେପ୍ଟେମ୍ବର ୨୩ ଏବଂ ୨୪ ତାରିଖରେ ବନ୍ଦ ରହିବ।
ପ୍ରବଳ ବର୍ଷାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହି ଦୁଇ ଦିନ ମଧ୍ୟରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ପରୀକ୍ଷାଗୁଡ଼ିକ ବିନା କୌଣସି ପରିବର୍ତ୍ତନରେ ପୂର୍ବ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ।
ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଏହି ନିର୍ଦ୍ଦେଶର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳଙ୍କ ତରଫରୁ ବଲାଙ୍ଗୀରର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।
ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ମାଲକାନଗିରି, ଗଞ୍ଜାମ, ଗଜପତି ଏବଂ ଖୋର୍ଦ୍ଧା ଜିଲ୍ଲାର ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସେପ୍ଟେମ୍ବର ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କୋରାପୁଟ ପ୍ରଶାସନ ମଧ୍ୟ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ଘୋଷଣା କରିଛି।

