Latest Odisha News

BREAKING NEWS

ବନ୍ଦେ ମାତରମ୍ କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ

ଦିଲ୍ଲୀ: ଧାର୍ମିକ କିମ୍ବା ବିବେକଗତ କାରଣରୁ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ନ ଗାଉଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି ଦଣ୍ଡାତ୍ମକ କିମ୍ବା ଆପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟ କରିଛନ୍ତି।

ପ୍ରସିଦ୍ଧ କର୍ଣ୍ଣାଟକ ସଙ୍ଗୀତଜ୍ଞ ଟି. ଏମ୍. କୃଷ୍ଣା ‘ରାଷ୍ଟ୍ରୀୟ ସମ୍ମାନ ଅପମାନ (ସଂଶୋଧନ) ଆଇନ, ୨୦୨୬’କୁ ଚ୍ୟାଲେଞ୍ଜ କରି ରୁଜୁ କରିଥିବା ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। କାହାର ବିବେକ ବା ଧାର୍ମିକ ସ୍ୱାଧୀନତାର ଅଧିକାର (ସମ୍ବିଧାନର ଧାରା ୨୫ ଓ ୨୬) କ୍ଷୁଣ୍ଣ ହେଉଥିଲେ, ତାଙ୍କୁ ଜୋରଜବରଦସ୍ତ ‘ବନ୍ଦେ ମାତରମ୍’ ଗାଇବାକୁ ବାଧ୍ୟ କରାଯାଇପାରିବ ନାହିଁ କିମ୍ବା ଆଇନଗତ ଶାସ୍ତି ଦିଆଯାଇପାରିବ ନାହିଁ।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ୧୯୮୬ ମସିହାର ଐତିହାସିକ ‘ବିଜୋ ଇମାନୁଏଲ୍‌’ ମାମଲାର ଦୃଷ୍ଟାନ୍ତ ଦେଇଛନ୍ତି। ସେହି ମାମଲାରେ ସୁପ୍ରିମକୋର୍ଟ ସମ୍ମାନର ସହ ଛିଡ଼ା ହୋଇ ଜାତୀୟ ସଙ୍ଗୀତ ନ ଗାଇବାକୁ ବ୍ୟକ୍ତିଗତ ଅଧିକାର ଭାବେ ସ୍ୱୀକୃତି ଦେଇଥିଲେ।

ଆବେଦନକାରୀ ଟି. ଏମ୍. କୃଷ୍ଣା ନିଜ ପିଟିସନ୍‌ରେ ଦର୍ଶାଇଥିଲେ ଯେ, ‘ବନ୍ଦେ ମାତରମ୍’ର ସମସ୍ତ ୬ଟି ପଦ ଗାଇବା ବାଧ୍ୟତାମୂଳକ କରାଯିବା ଏବଂ ଏଥିରେ ଦଣ୍ଡବିଧାନ ରଖାଯିବା ଅସାମ୍ବିଧାନିକ। ବିଶେଷ କରି ଶେଷ ୪ଟି ପଦରେ ହିନ୍ଦୁ ଦେବଦେବୀଙ୍କ ଆବାହନ ରହିଥିବାରୁ ଏହା ଏକ ସାମ୍ପ୍ରଦାୟିକ ଓ ଧର୍ମନିରପେକ୍ଷତା ବିରୋଧୀ ଚିନ୍ତାଧାରା ବୋଲି ସେ ଅଭିଯୋଗ କରିଥିଲେ।

ସରକାର ୨୦୨୬ ସଂଶୋଧନ ଆଇନ ଜରିଆରେ ‘ବନ୍ଦେ ମାତରମ୍’ ଗାନରେ ବାଧା ସୃଷ୍ଟି କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ଜରିମାନା ବ୍ୟବସ୍ଥା କରିଥିଲେ। ତେବେ କୋର୍ଟ କହିଛନ୍ତି ଯେ ରାଷ୍ଟ୍ରୀୟ ସଙ୍ଗୀତ ନିର୍ଦ୍ଧାରଣ କରିବା ସରକାରଙ୍କ କାମ, କିନ୍ତୁ କୌଣସି ନାଗରିକଙ୍କୁ ଧାର୍ମିକ ଆସ୍ଥା ବିରୋଧରେ ଏହା ଗାଇବାକୁ ବାଧ୍ୟ କରି ଦଣ୍ଡିତ କରାଯାଇପାରିବ ନାହିଁ। ସୁପ୍ରିମକୋର୍ଟ ଏହି ସଂଶୋଧିତ ଆଇନର ସାମ୍ବିଧାନିକତା ଯାଞ୍ଚ କରିବାକୁ ସମ୍ମତି ଜଣାଇ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ କରିବାକୁ ନୋଟିସ୍ ଜାରି କରିଛନ୍ତି।

Leave A Reply

Your email address will not be published.