ନୂଆଦିଲ୍ଲୀ: ଆମେ ସାଧାରଣତଃ ଘର କହିଲେ ମାଟି ଉପରେ ତିଆରି ହୋଇଥିବା ଘରକୁ ବୁଝୁ। କିନ୍ତୁ ଦୁନିଆରେ ଏମିତି ଏକ ଜନଜାତି ଅଛନ୍ତି, ଯେଉଁମାନଙ୍କ ଜୀବନଶୈଳୀ ସାଧାରଣ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ କିଛି ପାରମ୍ପରିକ ଘର ମାଟି ଉପରେ ନୁହେଁ, ବରଂ ଗଛର ବହୁ ଉଚ୍ଚତାରେ ତିଆରି ହୋଇଥାଏ।
ଇଣ୍ଡୋନେସିଆର ପାପୁଆ ଅଞ୍ଚଳର ଘନ ଜଙ୍ଗଲରେ ରହୁଥିବା କୋରୱାଇ ଜନଜାତି ଏଭଳି ପାରମ୍ପରିକ ଟ୍ରି-ହାଉସ୍ ପାଇଁ ପରିଚିତ। ଜଙ୍ଗଲ ମଝିରେ ବଡ଼ ବଡ଼ ଗଛ ଉପରେ ତିଆରି ହୋଇଥିବା ଏହି ଘରଗୁଡ଼ିକ ଦୂରରୁ ଦେଖିଲେ ମଧ୍ୟ ଖୁବ ଅଲଗା ଲାଗେ। ସତେ ଯେପରି କାହିଁ କେଉଁ ଦୂର ପାହାଡ ଉପରେ ଛୋଟ ଗାଁ ଟିଏ ବସିଛି । ଗଛ ପତ୍ର ଆଢୁଆଳରେ ଛୋଟ ଛୋଟ ଟ୍ରି ହାଉସଗୁଡିକ ବେଶ୍ ଆକର୍ଷଣୀୟ ଲାଗେ ।
କୋରୱାଇ ସମୁଦାୟର କିଛି ପାରମ୍ପରିକ ଘର ମାଟିଠାରୁ ପ୍ରାୟ ୧୦ରୁ ୫୦ ମିଟର ଉଚ୍ଚତାରେ ତିଆରି କରାଯାଏ। ଏହି ଘର ତିଆରିରେ ଜଙ୍ଗଲରୁ ମିଳୁଥିବା କାଠ, ପତ୍ର ଏବଂ ଗଛର ବିଭିନ୍ନ ଅଂଶ ବ୍ୟବହାର କରାଯାଏ। ସୀମିତ ସାଧନ ମଧ୍ୟରେ ଏହି ଘରଗୁଡ଼ିକୁ ରହିବା ଉପଯୋଗୀ କରାଯାଏ।
ତେବେ ପ୍ରଶ୍ନ ଉଠେ, କାହିଁକି ମାଟିରେ ନୁହେଁ, ଏତେ ଉଚ୍ଚରେ ଘର ତିଆରି କରନ୍ତି? ଘନ ଜଙ୍ଗଲରେ ମାଟିଠାରୁ ଉପରେ ରହିବା ଜଙ୍ଗଲୀ ଜୀବଜନ୍ତୁ ଏବଂ ଅନ୍ୟାନ୍ୟ ସମସ୍ୟାରୁ ଦୂରେ ରହିବାର ଏକ ଉପାୟ ବୋଲି ମନେ କରାଯାଏ। ଏହା ସହ ଉଚ୍ଚତାରୁ ଆଖପାଖ ଅଞ୍ଚଳ ଉପରେ ନଜର ରଖିବା ମଧ୍ୟ ସହଜ ହୋଇଥାଏ।
ଆଧୁନିକ ଦୁନିଆରେ ଯେଉଁଠି ଅଧିକାଂଶ ଲୋକେ ସହର, କୋଠା ଓ ଆଧୁନିକ ଘରରେ ରହୁଛନ୍ତି, ସେଠାରେ କୋରୱାଇ ସମୁଦାୟର ଏହି ପାରମ୍ପରିକ ଜୀବନଶୈଳୀ ଆଜି ବି ଲୋକଙ୍କ ଆକର୍ଷଣର କାରଣ। ଘନ ଜଙ୍ଗଲ, ବିଶାଳ ଗଛ ଏବଂ ଗଛ ଉପରେ ଘର, କୋରୱାଇ ଜନଜାତିର ଜୀବନ ନିଶ୍ଚିତ ଭାବେ ଦୁନିଆର ଅନ୍ୟ ସ୍ଥାନଠାରୁ ଅଲଗା।

