Latest Odisha News

BREAKING NEWS

Impact of deep depression in Gajapati: ବର୍ଷା ବିତ୍ପାତ:ଭାଙ୍ଗିଲା ଘର,ଏହି ଜିଲ୍ଲାରେ ୩,୧୭୦ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର

ମୋହନା: ଆଜି ରାତିରେ ସ୍ଥଳଭାଗ ଅତିକ୍ରମ କରିବ ଗଭୀର ଅବପାତ ।  ଏହାର ପ୍ରଭାବ ଗଜପତି ଜିଲ୍ଲାରେ ଗତକାଲି ଠାରୁ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଓଡ୍ରାଫ ଟିମ୍‌ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ କହିଛନ୍ତି । ଓଡ୍ରାଫ୍‌ର ମୋଟ ୩୫ ଜଣିଆ ଟିମ୍‌କୁ ୩ଟି ଭାଗରେ ବିଭକ୍ତ କରି ରାୟଗଡ଼ା ବ୍ଲକ, ଆର ଉଦୟଗିରି ଏବଂ ମୁଖ୍ୟ କାର୍ଯ୍ୟାଳୟ ଅଧୀନସ୍ଥ ଅଞ୍ଚଳରେ ମୁତୟନ କରାଯାଇଛି । ମୋହନା ଓ ଆର୍‌.ଉଦୟଗିରି ବ୍ଲକ୍‌ରେ ଗତ ଦୁଇଦିନ ହେଲା ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ଆର୍‌.ଉଦୟଗିରି ବ୍ଲକ୍‌ର ପରିସଲ ଗାଁ ନିକଟରେ ରାସ୍ତା ଉପରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।ରାମଗିରିରୁ ମୋହନା ଓ ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ୩୨୬(ଏ) ନମ୍ବର ଜାତୀୟ ରାଜପଥ ପ୍ରାୟ ଦୁଇ ଘଣ୍ଟା ଧରି ଅବରୋଧ ହୋଇଥିଲା । ଖବର ପାଇ ଆର୍‌.ଉଦୟଗିରି ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟି ହଟାଇବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା ।

ସେପଟେ ଆର ଉଦୟଗିରି ବ୍ଲକର ତିଳି ଗାଁରେ ପାଞ୍ଚଟି କଚ୍ଚା ଘର ଭାଙ୍ଗିଛି । ଏଥିସହ ଜିଲ୍ଲା ପ୍ରଶାସନ ତରଫରୁ ୩,୧୭୦ ଜଣଙ୍କୁ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି । ଏନେଇ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ଏପଟେ ବର୍ଷା ଲାଗି ରହିଥିବା ବେଳେ ଉଦୟଗିରିରେ ପଥର ଖଣ୍ଡ ଖସି ପଡିଥିଲା । ଜିଲ୍ଲାରେ ୧୩୦ରୁ ଅଧିକ ଭୂସ୍ଖଳନ ପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି । ପି.ଡବ୍ଲ୍ୟୁ.ଡି. (PWD) ଏବଂ ଆର.ଡବ୍ଲ୍ୟୁ.ଡି. (RWD)ର ଜେସିବି (JCB) ଏବଂ ଭାରୀ ଯନ୍ତ୍ରପାତି ଗୁଡ଼ିକୁ ଗତକାଲି ଠାରୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ଆଜି ସକାଳେ ଆର ଉଦୟଗିରି ବ୍ଲକରେ ଏକ ଛୋଟ ଭୂସ୍ଖଳନ ଘଟଣା ଘଟିଥିଲେ ମଧ୍ୟ ୨ ଘଣ୍ଟା ଭତରେ ରାସ୍ତା ସଫା କରାଯାଇ ଯାତାୟାତ ସ୍ୱାଭାବିକ କରାଯାଇଛି ।

ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ସୂଚନା ଅନୁସାରେ, ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୬୩୩.୫ ମିଲିମିଟର ବର୍ଷା ହୋଇଛି । ମୋହନା ଓ ଆର ଉଦୟଗିରି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି, କିନ୍ତୁ କୌଣସି ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଯାଇ ନାହିଁ ।

ସେହିପରି ବିପଦପୂର୍ଣ୍ଣ ଅଞ୍ଚଳରେ ଥିବା ଲୋକଙ୍କୁ ଗତକାଲି(ମଙ୍ଗଳବାର) ରାତି ସୁଦ୍ଧା ସ୍ଥାନାନ୍ତର କରାଯାଇ ମୋଟ ୩,୧୭୦ ଜଣଙ୍କୁ ବନ୍ୟା ଆଶ୍ରୟସ୍ଥଳୀରେ ସ୍ଥାନାନ୍ତର କରାଯାଇଛି । ଏହାସହିତ ୭୦ ଜଣ ଗର୍ଭବତୀ ମହିଳାଙ୍କୁ ମଧ୍ୟ ପୂର୍ବରୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

 

Leave A Reply

Your email address will not be published.