Latest Odisha News

BREAKING NEWS

ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେପିର ମାଷ୍ଟରଷ୍ଟ୍ରୋକ୍; ଡି. ପୁରନ୍ଦେଶ୍ୱରୀଙ୍କୁ ମିଳିଲା ଓଡ଼ିଶା ମଙ୍ଗ

ଭୁବନେଶ୍ୱର: କେହି ଭାବିନଥିଲେ ଯେ ଓଡ଼ିଶା ବିଜେପିର ପ୍ରଭାରୀ ବଦଳିବ, କିନ୍ତୁ ପଂଚାୟତ ନିର୍ବାଚନ ପୂର୍ବରୁ ପ୍ରଭାରୀ ବଦଳାଇ ଭାରତୀୟ ଜନତା ପାର୍ଟି ସାଂଗଠନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଇଛି । ବୁଧବାର ଦିନ ଦିଲ୍ଲୀସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟରୁ ପ୍ରକାଶିତ ଏକ ନୂତନ ବିଜ୍ଞପ୍ତି ଅନୁଯାୟୀ, ଦଳର ବରିଷ୍ଠ ନେତ୍ରୀ ଡି. ପୁରନ୍ଦେଶ୍ୱରୀଙ୍କୁ ଓଡ଼ିଶାର ନୂଆ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କ ସହିତ ଡକ୍ଟର ସ୍ୱଦେଶ ସିଂଙ୍କୁ ରାଜ୍ୟ ବିଜେପିର ସହ-ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି। ସାରା ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂତନ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ତାଲିକା ଘୋଷଣା କରାଯିବା ଅବସରରେ ଓଡ଼ିଶା ପାଇଁ ଏହି ନୂଆ ନିଯୁକ୍ତି ଦିଆଯାଇଛି ।

ଆନ୍ଧ୍ରପ୍ରଦେଶର ବରିଷ୍ଠ ବିଜେପି ନେତ୍ରୀ ଡି. ପୁରନ୍ଦେଶ୍ୱରୀ ବର୍ତ୍ତମାନର ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ସ୍ଥାନ ନେବେ । ସେହିପରି ସୁଶ୍ରୀ ଲତା ଉସେଣ୍ଡିଙ୍କ ସ୍ଥାନରେ ଡକ୍ଟର ସ୍ୱଦେଶ ସିଂ ସହ-ପ୍ରଭାରୀ ଭାବେ କାର୍ଯ୍ୟଭାର ସମ୍ଭାଳିବେ । ଉଲ୍ଲେଖଯୋଗ୍ୟ ଯେ, ପୁରନ୍ଦେଶ୍ୱରୀଙ୍କ ପାଇଁ ଓଡ଼ିଶା ଦାୟିତ୍ୱ କିଛି ନୂଆ ନୁହେଁ । ପୂର୍ବରୁ ୨୦୨୦ ମସିହାରେ ମଧ୍ୟ ସେ ଓଡ଼ିଶା ବିଜେପିର ପ୍ରଭାରୀ ଭାବେ ସଫଳତାର ସହ କାର୍ଯ୍ୟ ତୁଲାଇ ସାରିଛନ୍ତି । ଆଗାମୀ ଦିନରେ ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ତାଙ୍କର ଏହି ପୁନଃନିଯୁକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବାରେ ତାଙ୍କର ଅଭିଜ୍ଞତା ବେଶ୍ ସହାୟକ ହେବ ।

ଅନ୍ୟପକ୍ଷରେ, ଏହି ସାଂଗଠନିକ ଅଦଳବଦଳରେ ଓଡ଼ିଶା ପାଇଁ ଆଉ ଏକ ଖୁସି ଖବର ରହିଛି । ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କୁ ମହାରାଷ୍ଟ୍ର ଭଳି ଏକ ବଡ଼ ରାଜ୍ୟର ପ୍ରଭାରୀ ଭାବେ ଗୁରୁଦାୟିତ୍ୱ ମିଳିଛି । ତାଙ୍କ ସହ ଅମିତ ମାଲବୀୟ, ସଦାନନ୍ଦ ସେଟ୍ଟ ତାନାବାଡେ ଏବଂ କମଲଜିତ୍ ସେହରାୱତଙ୍କୁ ମହାରାଷ୍ଟ୍ରର ସହ-ପ୍ରଭାରୀ କରାଯାଇଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଆ ନେତାଙ୍କୁ ଏହି ଦାୟିତ୍ୱ ମିଳିବା ଦଳରେ ତାଙ୍କର କ୍ରମାଗତ ବଢ଼ୁଥିବା ଗୁରୁତ୍ୱକୁ ଦର୍ଶାଉଛି ।

ଏହି ବିଶାଳ ପୁନର୍ଗଠନ ପ୍ରକ୍ରିୟାରେ ଅନେକ ବରିଷ୍ଠ ନେତା ଯେପରି ହରିଶ ଦ୍ୱିବେଦୀ, ସ୍ମୃତି ଇରାନୀ, ସତୀଶ ପୁନିଆ, ରାମ ମାଧବ ଏବଂ ସୁନୀଲ ବଂଶଲଙ୍କ ଭଳି ନେତାମାନେ ଦୁଇଟି ଲେଖାଏଁ ରାଜ୍ୟର ମଙ୍ଗ ଧରିଛନ୍ତି । ଉଦାହରଣ ସ୍ୱରୂପ, ସୁନୀଲ ବଂଶଲଙ୍କୁ ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗର ଦାୟିତ୍ୱ ମିଳିଥିବା ବେଳେ ସ୍ମୃତି ଇରାନୀଙ୍କୁ ହରିୟାଣା ଓ ଛତିଶଗଡ଼ର ପ୍ରଭାରୀ କରାଯାଇଛି । ସେହିପରି ରାମ ମାଧବ ତାମିଲନାଡୁ ଏବଂ ଉତ୍ତରାଖଣ୍ଡର ଦାୟିତ୍ୱ ତୁଲାଇବେ ।

Leave A Reply

Your email address will not be published.