Asian Games 2026 badminton:ବ୍ରୋଞ୍ଜ ଜିତି ଇତିହାସ ସୃଷ୍ଟି କଲେ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳ;୪୦ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଏଭଳି ଘଟିଲା…
ନୂଆଦିଲ୍ଲୀ:ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳିମାନେ ୨୦୨୬ ଏସୀୟ କ୍ରୀଡ଼ାରେ ସେମାନଙ୍କର ପ୍ରଥମ ପଦକ ଜିତିଛନ୍ତି। ୨୦୨୬ ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ୍ ଦଳକୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ଆଜି ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚରେ ଭାରତ ଚୀନ୍ଠାରୁ ୧-୩ ବ୍ୟବଧାନରେ ପରାଜିତ ହୋଇଛି। ଭାରତୀୟ ଦଳ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରିଥିଲା,କିନ୍ତୁ ଚୀନ୍ ଖେଳାଳିମାନେ ଉନ୍ନତ ପ୍ରଦର୍ଶନ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି । ଏହି ପରାଜୟ ସତ୍ତ୍ୱେ ଭାରତୀୟ ଦଳ ଇତିହାସ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ବାସ୍ତବରେ ଏହି ବ୍ରୋଞ୍ଜ ପଦକ ସହିତ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ୍ ଦଳ ଏସୀୟ କ୍ରୀଡ଼ାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଦଳଗତ ପଦକ ଜିତି ଇତିହାସ ସୃଷ୍ଟି କରିଛି।
ଭାରତ ପୂର୍ବରୁ ୧୯୮୨ ଏବଂ ୧୯୮୬ ସଂସ୍କରଣରେ ବ୍ରୋଞ୍ଜ ପଦକ ଜିତିଥିଲା; ତେଣୁ, ୪୦ ବର୍ଷ ପରେ ଭାରତୀୟ ପୁରୁଷ ଦଳ କ୍ରମାଗତ ଦୁଇଟି ଏସୀୟ କ୍ରୀଡ଼ାରେ ଦଳଗତ ପଦକ ହାସଲ କରିବାର ସଫଳତା ଅର୍ଜନ କରିଛି।
Bronze for Team India! 🥉🇮🇳
History repeated in the best way possible as the Indian men’s badminton team secured back-to-back medals at the Asian Games after 40 years! 🏸✨ pic.twitter.com/yQKNCAwuQl
— BAI Media (@BAI_Media) September 23, 2026
ଏହା ପୂର୍ବରୁ ଭାରତ ୨୦୨୩ ହାଙ୍ଗଜୋ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲା, ଯେଉଁଥିରେ ସେମାନେ ଫାଇନାଲରେ ଚୀନ୍ଠାରୁ ପରାଜିତ ହୋଇଥିଲେ।
ସୂଚନାଥାଉକି,ସେମିଫାଇନାଲ୍ ମ୍ୟାଚ୍ରେ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ୍ ଦଳ ଚୀନ୍ ଦଳଠାରୁ ୧-୩ ବ୍ୟବଧାନରେ ପରାଜିତ ହୋଇଛି । ଲକ୍ଷ୍ୟ ସେନ୍, ଆୟୁଷ ଏବଂ ଅର୍ଜୁନ ଓ ହରିହରନ୍ଙ୍କ ଯୋଡ଼ି ନିଜ ନିଜ ମ୍ୟାଚ୍ରେ ପରାଜିତ ହୋଇଥିଲେ। ଭାରତ ପାଇଁ ଏକମାତ୍ର ବିଜୟ ସାତ୍ୱିକସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କ ଯୋଡ଼ି ହାସଲ କରିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ତଥା ବିଶ୍ୱ ଚାମ୍ପିଅନ୍ ଲିଆଙ୍ଗ ୱେ କେଙ୍ଗ୍ ଏବଂ ୱାଙ୍ଗ ଚାଙ୍ଗଙ୍କୁ ୨୧-୧୧, ୨୨-୨୦ ସେଟ୍ରେ ପରାସ୍ତ କରିଥିଲେ ।
ଲକ୍ଷ୍ୟ ସେନ୍ ଶି ୟୁକିଙ୍କ ଠାରୁ ୧୬-୨୧, ୧୮-୨୧ ବ୍ୟବଧାନରେ ପରାଜିତ ହୋଇଥିଲେ। ସାତ୍ତ୍ୱିକ ଓ ଚିରାଗ ୱାଙ୍ଗ୍ ଏବଂ ଲିଆଙ୍ଗଙ୍କୁ ୨୧-୧୧, ୨୨-୨୦ରେ ପରାସ୍ତ କରି ଦଳକୁ ପୁନର୍ବାର ପ୍ରତିଯୋଗିତାରେ ସାମିଲ କରିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ଆୟୁଷ ୧୯-୨୧, ୧୩-୨୧ରେ ଏବଂ ଅର୍ଜୁନ ଓ ହରିହରନ୍ଙ୍କ ଯୋଡ଼ି ୧୬-୨୧, ୨୧-୧୭, ୨୧-୯ରେ ପରାଜିତ ହୋଇଥିଲେ।
ଜାପାନର ଆଇଚି-ନାଗୋୟାଠାରେ ଆୟୋଜିତ ଏସିଆନ ଗେମ୍ସ ୨୦୨୬ର ଚତୁର୍ଥ ଦିନରେ ଭାରତ ଗୋଟିଏ ରୌପ୍ୟ ସମେତ ୫ଟି ପଦକ ନିଜ ନାମରେ କରିଛି। ଭାରୋତ୍ତୋଳନରେ ମୀରାବାଈ ଚାନୁ ୪୯ କିଲୋଗ୍ରାମ ବର୍ଗର ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଛନ୍ତି। ଅନ୍ୟପଟେ ଜୟ ମୀଣା ସଫ୍ଟ ଟେନିସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି। ମୀଣା ସଫ୍ଟ ଟେନିସରେ ଭାରତ ପାଇଁ ପଦକ ଜିତିବାରେ ପ୍ରଥମ ଖେଳାଳି ହୋଇଛନ୍ତି। ଏଥିସହ ଭାରତର ପୁରୁଷ ଓ ମହିଳା ସ୍କିଟ୍ (ସୁଟିଂ) ଦଳ କାଂସ୍ୟ ପଦକ ନିଜ ନାମରେ କରିଛନ୍ତି। ଏହାପରେ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳ ମଧ୍ୟ କାଂସ୍ୟ ପଦକ ହାସଲ କରିଛି। ଏହାସହିତ ଭାରତର ଖାତାରେ ମୋଟ ପଦକ ସଂଖ୍ୟା ବୃଦ୍ଧି ପାଇ ୧୨ରେ ପହଞ୍ଚିଛି।
ସୂଚନାଥାଉକି, ବର୍ତ୍ତମାନ ସୁଦ୍ଧା ଭାରତ କେବଳ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିଛି।

