ନୂଆଦିଲ୍ଲୀ: ବୁଧବାର ବିଳମ୍ବିତ ରାତିରେ ନୂଆଦିଲ୍ଲୀ ବିମାନବନ୍ଦର ଇଣ୍ଟରଚେଞ୍ଜ ନିକଟରେ ୩୫ କିଲୋମିଟର ମାଇଲଖୁଣ୍ଟରେ ଯମୁନା ଏକ୍ସପ୍ରେସୱେରେ ଏକ ଡବଲ୍-ଡେକର ସ୍ଲିପର୍ ବସ୍ ନିଆଁ ଲାଗିଯାଇଥିଲା। ଫଳରେ ବସ୍ ଭିତରେ ପ୍ରାୟ ନଅ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ମୃତକଙ୍କ ମଧ୍ୟରେ ପିଲା, ମହିଳା ଏବଂ ବୃଦ୍ଧ ଥିବା ଜଣାପଡ଼ିଛି। ନିଆଁ ଏତେ ତୀବ୍ର ଥିଲା ଯେ ମୃତଦେହଗୁଡ଼ିକ ସମୁର୍ଣ୍ଣ ପୋଡ଼ି ଯାଇଥିଲା। ଅନେକଙ୍କ ଶରୀରର କିଛି ଅଂଶ ମଧ୍ୟ ଛିଣ୍ଡି ଯାଇଥିଲା। ବିଳମ୍ବିତ ରାତିରେ ପ୍ରାୟ ପାଞ୍ଚ ଘଣ୍ଟା ଧରି ହୋଇଥିବା ଉଦ୍ଧାର କାର୍ଯ୍ୟ ପରେ ମୃତଦେହଗୁଡ଼ିକୁ ବାହାର କରାଯାଇଥିଲା।
ରାଜ କଳ୍ପନା ଟ୍ରାଭେଲ୍ସ ବସ୍ ଦିଲ୍ଲୀରୁ ମୋହାବା ଅଭିମୁଖେ ଯାତ୍ରା କରୁଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଡ୍ରାଇଭର ବିମାନବନ୍ଦର ଇଣ୍ଟରଚେଞ୍ଜ ନିକଟରେ ବସ୍ର ଇଞ୍ଜିନ୍ ପାଖରେ ନିଆଁ ଲାଗିଥିବା ଦେଖିଥିଲେ। ସେ ବସ୍କୁ ଓଭରଟେକିଂ ଲେନ୍ରୁ ଏକ୍ସପ୍ରେସ୍ୱେର କଡକୁ ନେଇ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ନିଆଁ ଦ୍ରୁତ ଗତିରେ ବ୍ୟାପିବାରୁ ଡ୍ରାଇଭର ଏବଂ କଣ୍ଡକ୍ଟର ଯାତ୍ରୀମାନଙ୍କୁ ବାହାରକୁ ବାହାରି ଆସିବାକୁ ଚିତ୍କାର କରିଥିଲେ। ଫଳରେ ୨୦ରୁ ଅଧିକ ଯାତ୍ରୀ ଜୀବନ ବିକଳରେ ବସ୍ରୁ ଡେଇଁ ପଡ଼ି ମୃତ୍ୟୁବରଣ କରିଥିଲେ କିନ୍ତୁ ନଅ ଜଣ ବାହାରି ନପାରି ଭିତରେ ଫସି ରହିଥିଲେ।
ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ, ଅଗ୍ନିଶମ ବିଭାଗ ଏବଂ ଯମୁନା ଏକ୍ସପ୍ରେସୱେ ସୁରକ୍ଷା ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ବସ୍ ଟି ସମ୍ପୂର୍ଣ୍ଣ ନିଆଁରେ ପୋଡ଼ି ଯାଇଥିଲା ଏବଂ ଭିତରୁ ନିରନ୍ତର ଧୂଆଁ ବାହାରୁଥିଲା। ନିଆଁକୁ ନିୟନ୍ତ୍ରଣ କରାଯିବା ପରେ ମଧ୍ୟ ବସ୍ ଏବଂ ଏହାର ସାମଗ୍ରୀରୁ ଘଣ୍ଟା ଘଣ୍ଟା ଧରି ଧୂଆଁ ବାହାରୁଥିଲା। ସୁରକ୍ଷା ଦଳଗୁଡ଼ିକ ଭିତରେ ଫସି ରହିଥିବା ମୃତଦେହଗୁଡ଼ିକୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ବସ୍ ର ଭିତର ଅଂଶ କାଟି ଦେଇଥିଲେ। ସମସ୍ତ ମୃତଦେହକୁ କୈଳାସ ହସ୍ପିଟାଲକୁ ପଠାଯାଇଥିଲା।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବରିଷ୍ଠ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କ ତତ୍ତ୍ୱାବଧାନରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ପରେ ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଥିବା ଯାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା। ତା’ପରେ ପ୍ରଶାସନ ଏକ ଗାଡ଼ିରେ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇଥିଲା।

