UP Bus fire: ସିଗାରେଟ୍ ଟାଣୁଥିଲେ ଡ୍ରାଇଭର-କଣ୍ଡକ୍ଟର! ଜଳୁଥିଲା ବସ୍, ଶୁଣିଲେନି ଯାତ୍ରୀଙ୍କ କଥା! ଚାଲିଗଲା ୯ ଜୀବନ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଚଳନ୍ତା ବସ୍ରେ ଭୟଙ୍କର ଅଗ୍ନିକାଣ୍ଡ। ଯମୁନା ଏକ୍ସପ୍ରେସ୍ୱେରେ ବୁଧବାର ରାତି ପ୍ରାୟ ୧୧ଟା ୩୦ରେ ଦିଲ୍ଲୀରୁ ମହୋବା ଯାଉଥିବା ଏକ ସ୍ଲିପର ବସ୍ରେ ନିଆଁ ଲାଗିଥିଲା। ବସ୍ରେ ପ୍ରାୟ ୩୦ରୁ ୩୫ ଜଣ ଯାତ୍ରୀ ଥିଲେ। ଏହି ଘଟଣାରେ ୮ ଜଣ ପୁରୁଷ ଓ ଜଣେ ମହିଳାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଛି।
ତେବେ ଏହି ଘଟଣାର FIRରେ ଡ୍ରାଇଭରଙ୍କ ଅବହେଳା ନେଇ ସାଂଘାତିକ ଅଭିଯୋଗ ଆସିଛି। ଯାତ୍ରୀଙ୍କ କହିବା ଅନୁସାରେ, ଡ୍ରାଇଭର କ୍ୟାବିନ୍ ପାଖରୁ ପୋଡ଼ା ଗନ୍ଧ ଆସୁଥିବା ନେଇ ତାଙ୍କୁ ଜଣାଇଥିଲେ। କିନ୍ତୁ ଗନ୍ଧ ସାଧାରଣ କଥା ବୋଲି କହି ଡ୍ରାଇଭର ବସ୍ ଅଟକାଇନଥିଲେ। FIRରେ ଡ୍ରାଇଭର ଓ କଣ୍ଡକ୍ଟର କ୍ୟାବିନ୍ରେ ବିଡ଼ି/ସିଗାରେଟ୍ ଟାଣୁଥିବା ମଧ୍ୟ ଅଭିଯୋଗ ହୋଇଛି।
କିଛି ସମୟ ପରେ ଡ୍ରାଇଭର ସିଟ୍ ନିକଟରୁ ନିଆଁ ଦେଖାଯାଇଥିଲା। ଯାତ୍ରୀମାନେ ବସ୍ ଅଟକାଇବାକୁ କହିଥିଲେ ମଧ୍ୟ ଡ୍ରାଇଭର ତୁରନ୍ତ ଅଟକାଇନଥିବା FIRରେ ଦର୍ଶାଯାଇଛି। ନିଆଁ ଦ୍ରୁତ ଭାବେ ବ୍ୟାପିବା ପରେ ଡ୍ରାଇଭର ଓ କଣ୍ଡକ୍ଟର ଘଟଣାସ୍ଥଳରୁ ଚାଲିଯାଇଥିବା ଅଭିଯୋଗ ରହିଛି।
ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲା। ପୋଲିସ ଡ୍ରାଇଭର ପବନ ଓ କଣ୍ଡକ୍ଟର ଯୋଗେଶଙ୍କୁ ଅଟକ ରଖିଛି। ପ୍ରାଥମିକ ଭାବେ ଏହାକୁ ସର୍ଟ ସର୍କିଟ୍ ଯୋଗୁଁ ଘଟିଥିବା ବୋଲି ADM ଅଜିତ ସିଂହ କହିଛନ୍ତି। ତେବେ ବସ୍ ମାଲିକ ମଧ୍ୟପ୍ରଦେଶର ବୋଲି ଜଣାପଡ଼ିଛି। ଯାହାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ।
ଅନ୍ୟପକ୍ଷରେ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାରେ ଶୋକ ପ୍ରକାଶ କରି ପୀଡ଼ିତ ପରିବାରଙ୍କ ସହ କଥା ହୋଇଛନ୍ତି ଏବଂ ଆହତଙ୍କ ଚିକିତ୍ସା ସୁନିଶ୍ଚିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

