ନୂଆଦିଲ୍ଲୀ: କଙ୍ଗୋରେ ଘଟିଛି ଭୟଙ୍କର ବିମାନ ଦୁର୍ଘଟଣା। ଉଡ଼ାଣ ସମୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ନିଆଁ ପିଣ୍ଡୁଳା ପାଲଟିଥିବା ବିମାନରେ ଥିବା ସମସ୍ତଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ କଙ୍ଗୋ ସେନାର ଦୁଇଜଣ ବରିଷ୍ଠ ଜେନେରାଲଙ୍କ ସମେତ ମୋଟ ୧୪ ଜଣଙ୍କ ଜୀବନ ଯାଇଛି।
କଙ୍ଗୋ ସେନା ପକ୍ଷରୁ ଶୁକ୍ରବାର ଏହି ଦୁର୍ଘଟଣାର ସୂଚନା ଦିଆଯାଇଛି। ମୃତ ଦୁଇ ବରିଷ୍ଠ ଅଧିକାରୀ ହେଲେ ଲେଫ୍ଟନାଣ୍ଟ ଜେନେରାଲ ମୁତୋମ୍ବୋ କାତାଲାୟି ତିଏନ୍ଦେ ଏବଂ ଲେଫ୍ଟନାଣ୍ଟ ଜେନେରାଲ ବାକୁମି ଲିକୁଲିଆ। ତିଏନ୍ଦେ କଙ୍ଗୋର ସାମରିକ ଅଦାଲତର ମୁଖ୍ୟ ଥିବାବେଳେ ଲିକୁଲିଆ ସଶସ୍ତ୍ର ବାହିନୀର ଅଡିଟର ଜେନେରାଲ ଭାବେ କାମ କରୁଥିଲେ।
ସେନାର ମୁଖପାତ୍ର ମେଜର ଜେନେରାଲ ଏଫୋମି ଏକେଙ୍ଗେଙ୍କ ସୂଚନା ଅନୁସାରେ, ଦୁଇ ଜେନେରାଲଙ୍କ ବ୍ୟତୀତ ଏକ ପ୍ରତିନିଧି ଦଳର ୧୨ ଜଣ ସଦସ୍ୟ ଏବଂ ବିମାନର କ୍ରୁ ସଦସ୍ୟମାନେ ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବିମାନରେ ଥିବା କୌଣସି ବ୍ୟକ୍ତି ଜୀବିତ ରହିନଥିବା ସେନା ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ, ବିମାନଟି ଦକ୍ଷିଣ-ପଶ୍ଚିମ କଙ୍ଗୋର କିକ୍ୱିଟ୍ ସହରରୁ ରାଜଧାନୀ କିନ୍ଶାସା ଫେରୁଥିଲା। ମଝି ଆକାଶରେ ଉଡାଣ କରୁଥିବା ବେଳେ ଏହି ସମୟରେ ବିମାନରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହାପରେ କେଙ୍ଗେ ଅଞ୍ଚଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ତେବେ ବିମାନରେ କେଉଁ ପ୍ରକାର ତ୍ରୁଟି ହୋଇଥିଲା ଏବଂ ଦୁର୍ଘଟଣାର ପ୍ରକୃତ କାରଣ କ’ଣ, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ। ଘଟଣାର ତଦନ୍ତ ଆରମ୍ଭ ହୋଇଛି। କଙ୍ଗୋର ନାଗରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ମଧ୍ୟ ଦୁର୍ଘଟଣାର କାରଣ ଏବେ ସୁଦ୍ଧା ଜଣାପଡ଼ିନଥିବା କହିଛନ୍ତି।
ଅନ୍ୟପଟେ, କଙ୍ଗୋ ପୂର୍ବରୁ ମଧ୍ୟ ଗୁରୁତର ସୁରକ୍ଷା ସଙ୍କଟ ଦେଇ ଗତି କରୁଛି। ବିଶେଷକରି ଦେଶର ପୂର୍ବ ଭାଗରେ ବିଭିନ୍ନ ସଶସ୍ତ୍ର ଓ ବିଦ୍ରୋହୀ ଗୋଷ୍ଠୀ ସକ୍ରିୟ ରହିଛନ୍ତି। ସେମାନଙ୍କ ବିରୋଧରେ କଙ୍ଗୋ ସେନାର ଲଢ଼େଇ ଜାରି ରହିଛି। ଏହି ଗୋଷ୍ଠୀଗୁଡ଼ିକ ମଧ୍ୟରେ ରୱାଣ୍ଡା ସମର୍ଥିତ M23 ବିଦ୍ରୋହୀ ଗୋଷ୍ଠୀ ପ୍ରମୁଖ। ପୂର୍ବରୁ ଏହି ଗୋଷ୍ଠୀର ଆକ୍ରମଣରେ ପୂର୍ବ କଙ୍ଗୋର ଅନେକ ଅଞ୍ଚଳର ସୁରକ୍ଷା ପରିସ୍ଥିତି ଜଟିଳ ହୋଇଛି।

