ଜାପାନର ୧୧ ବର୍ଷୀୟ ପ୍ରାଥମିକ ବିଦ୍ୟାଳୟ ଛାତ୍ର ୟୁକି କୁରିହାରା ଆଇଚି-ନାଗୋୟା ଏସୀୟ କ୍ରୀଡ଼ାରେ ଇ-ସ୍ପୋର୍ଟସ୍ ପୁୟୋ ପୁୟୋ ଚାମ୍ପିଅନ୍ସ ନାମକ ପଜଲ୍ ଗେମ୍ରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି । ସେ ଜାପାନ ଏସୀୟ କ୍ରୀଡ଼ା ଇତିହାସରେ ସବୁଠାରୁ କମ୍ ବୟସ୍କ ସ୍ଵର୍ଣ୍ଣ ପଦକ ବିଜେତା ଆଥଲେଟ୍ ହୋଇଛନ୍ତି । ଥାଇଲ୍ୟାଣ୍ଡର ୨୮ ବର୍ଷୀୟ ତାଲିମପ୍ରାପ୍ତ ଖେଳାଳି ତାନାରାକ ୱଙ୍ଗକିଟକୁନଙ୍କୁ ୧୦-୧ ରେ ପରାସ୍ତ କରିଥିଲେ । ଦକ୍ଷିଣ କୋରିଆର ୨୪ ବର୍ଷୀୟ କାଙ୍ଗ ଡୋଙ୍ଗସିନ୍ଙ୍କୁ ୧୦-୨ ରେ ବଡ଼ ବ୍ୟବଧାନରେ ହରାଇ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ।
ନିଜଠାରୁ ବହୁତ ବଡ଼ ବୟସର ଖେଳାଳିମାନଙ୍କୁ ହରାଇବା ପରେ ସେ ସାମାନ୍ୟ ଲାଜେଇ ଯାଇଥିବା କହିଛନ୍ତି, ଯେଉଁଥିପାଇଁ ପୋଡିୟମ୍ରେ ବିଶେଷ ହସିନଥିଲେ । ସେ ସ୍ଵର୍ଣ୍ଣ ପଦକ ଓ ସାଥୀରେ ମିଳିଥିବା ମାସ୍କଟ ଖେଳନା ପାଇ ବହୁତ ଖୁସି ଅଛନ୍ତି । ପ୍ରଥମ ଶ୍ରେଣୀରୁ ଏହି ଖେଳ ଶିଖିଥିବା ୟୁକି, ଗତ ଅପ୍ରେଲ ମାସରେ ପ୍ରୋ-ଲାଇସେନ୍ସ ପାଇଥିଲେ। ସେ ପାଠପଢ଼ା, କୋଚିଂ କ୍ଲାସ୍ ଏବଂ ଗେମିଂ ମଧ୍ୟରେ ସନ୍ତୁଳନ ରଖି ଅଭ୍ୟାସ ଜାରି ରଖିଛନ୍ତି । ଇଣ୍ଡୋନେସିଆର ବୁଙ୍ଗା ନ୍ୟୁମାସ୍ ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ମାତ୍ର ୧୨ ବର୍ଷ ବୟସରେ ମହିଳା ସ୍କେଟବୋର୍ଡିଂ ଇଭେଣ୍ଟରେ କାଂସ୍ୟ, ଚୀନ୍ର କ୍ୟୁଇ ଚେନସି ୨୦୨୩ ହାଙ୍ଗଝୋଉ ଏସୀୟ କ୍ରୀଡ଼ାରେ ୧୩ ବର୍ଷ ବୟସରେ ମହିଳା ଷ୍ଟ୍ରିଟ୍ ସ୍କେଟବୋର୍ଡିଂରେ ସ୍ଵର୍ଣ୍ଣ ପଦକ ଜିତିଥିଲେ ।

