ପଟ୍ଟାମୁଣ୍ଡାଇ:ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା। ଯାଜପୁରରୁ ଭାସି ଆସି ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା । ଚିକିତ୍ସା ପରେ ବୃଦ୍ଧା କେଶି ଦଳେଇ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର ପ୍ରକାଶ କରିଛନ୍ତି। ଦୀର୍ଘ ବାଟ ଭାସିଯିବା ପରେ ବି ବୃଦ୍ଧା ଜଣକ ପାଣି ସହ ସଂଗ୍ରାମ କରି ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଥାଉକି, ଯାଜପୁର ଜିଲ୍ଲା ପଳାଖଣ୍ଡ ଗ୍ରାମର ୮୦ ବର୍ଷୀୟା ବୃଦ୍ଧା କେଶି ଦଳେଇ ନିତ୍ୟକର୍ମ ସାରିବା ପାଇଁ ନିକଟସ୍ଥ ନଦୀକୂଳକୁ ଯାଇଥିଲେ। ତେବେ ଶୌଚ ହେଉଥିବା ସମୟରେ ଅସାବଧାନତା ବଶତଃ ତାଙ୍କ ଗୋଡ଼ ଖସିଯାଇଥିଲା। ସେହି ସମୟରେ ବ୍ରାହ୍ମଣୀନଦୀରେ ପ୍ରବଳ ସ୍ରୋତ ଥିବାରୁ ବୃଦ୍ଧା ଜଣକ ନିଜକୁ ସମ୍ଭାଳି ନ ପାରି ପାଣିରେ ଭାସିଯାଇଥିଲେ। ପ୍ରବଳ ସ୍ରୋତରେ ସେ ଭାସି ଭସି ଯାଜପୁର ସୀମା ପାର ହୋଇ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବାଲିପାଟଣା ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀକୂଳରେ ଆସି ଲାଗିଥିଲେ।
ତେବେ ସ୍ଥାନୀୟ ବାଲିପାଟଣା ଗ୍ରାମର କିଛି ଯୁବକ ବୃଦ୍ଧା ଜଣଙ୍କୁ ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ନଦୀ ଭିତରକୁ ଡେଇଁ ବୃଦ୍ଧାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ବୃଦ୍ଧାଙ୍କ ଶରୀର ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିବା ଜଣାପଡିଥିଲା। ଏହାପରେ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ସଙ୍ଗେ ସଙ୍ଗେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରୀ ଦଳ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ଚିକିତ୍ସା ପରେ ବୃଦ୍ଧା କେଶି ଦଳେଇ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର ପ୍ରକାଶ କରିଛନ୍ତି।

