Latest Odisha News

BREAKING NEWS

ବିବାହର ୪ ବର୍ଷ ପରେ ଜାସ୍ମିନ ମାଝୀଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀଙ୍କ ସହ ଝଗଡ଼ା ପରେ ବିଷ ପିଇଥିବା ସନ୍ଦେହ

ଭୁବନେଶ୍ୱର:ଓଡ଼ିଆ ଆଲବମ୍ ଅଭିନେତ୍ରୀ ତଥା ନର୍ତ୍ତକୀ ଜାସ୍ମିନ ମାଝୀଙ୍କର ଅକାଳ ବିୟୋଗ ଘଟିଛି । ସେ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି, ଯାହା ସମଗ୍ର ଆଲବମ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳାଇ ଦେଇଛି । ଜାସ୍ମିନଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ତାଙ୍କ ପ୍ରଶଂସକ ଏବଂ ସହକର୍ମୀମାନେ ସ୍ତବ୍ଧ ହୋଇଯାଇଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଜାସ୍ମିନ ମାଝୀ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଜୟଦେବ ବିହାର-୨ ଅଞ୍ଚଳରେ ରହୁଥିଲେ । ୪ ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିଲା । ତେବେ ଗତ କିଛି ଦିନ ହେବ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଏକ ପାରିବାରିକ ପ୍ରସଙ୍ଗକୁ ନେଇ କଳହ ଲାଗି ରହିଥିଲା । ଏହି ମାନସିକ ଅଶାନ୍ତି ମଧ୍ୟରେ ଗୁରୁବାର ରାତିରେ ସେମାନଙ୍କ ମଧ୍ୟରେ ପୁଣି ଥରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଭାରସାମ୍ୟ ହରାଇ ଜାସ୍ମିନ ରାତିରେ କୌଣସି ବିଷାକ୍ତ ପଦାର୍ଥ ସେବନ କରିଦେଇଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନଆସିବାରୁ ଏବଂ ସ୍ଥିତି ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । SCBରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ଶେଷରେ ଜାସ୍ମିନ ଆଖି ବୁଜିଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ମଙ୍ଗଳାବାଗ ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିଛି ଏବଂ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର ପ୍ରକୃତ କାରଣ ପାରିବାରିକ କଳହ ନା ଏହା ପଛରେ ଅନ୍ୟ କିଛି ରହସ୍ୟ ରହିଛି, ତାହା ପୋଲିସର ଖୋଳତାଡ଼ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ।

ସୂଚନାଯୋଗ୍ୟ ଯେ, ଜାସ୍ମିନ ମାଝୀ ଓଡ଼ିଆ ଆଲବମ୍ ଏବଂ ମ୍ୟୁଜିକ୍ ଭିଡିଓ ଇଣ୍ଡଷ୍ଟ୍ରିରେ ଏକ ପରିଚିତ ଚେହେରା ଥିଲେ । ନିଜର ଦକ୍ଷ ଅଭିନୟ ଏବଂ ଚମତ୍କାର ନୃତ୍ୟ କଳା ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟ ଜିଣିପାରିଥିଲେ। ତାଙ୍କର ଏଭଳି ଅଚାନକ ବିଦାୟକୁ ତାଙ୍କ ସାଙ୍ଗସାଥୀ ଏବଂ ଶୁଭେଚ୍ଛୁମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ।

Leave A Reply

Your email address will not be published.