Latest Odisha News

BREAKING NEWS

MMDR Amendment Act:ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ଦାବି ପ୍ରସଙ୍ଗ;ବିକ୍ଷୋଭରେ ଜନସାଧାରଣଙ୍କୁ ସାମିଲ ହେବାକୁ ବିଜେଡିର ନିବେଦନ

ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ଆଇନ ରାଜ୍ୟ ସ୍ୱାର୍ଥ ବିରୋଧୀ ହୋଇଥିବାରୁ ଏହାର ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ ତରଫରୁ ବିଧାନସଭା ସମ୍ମୁଖରେ ସେପ୍ଟେମ୍ୱର ୨୮ ତାରିଖରେ ହେବ ବିଶାଳ ଗଣବିକ୍ଷୋଭ। ଏଥିରେ ସମସ୍ତ ରାଜ୍ୟବାସୀଙ୍କୁ ସାମିଲ ହେବାକୁ ଦଳ ତରଫରୁ ନିବେଦନ କରାଯାଇଛି ।

ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ଖଣି ଓ ଖଣି ଥିବା ଜମି ଉପରେ ରାଜ୍ୟମାନଙ୍କ ଅଧିକାରକୁ ଏମଏମଡିଆର ସଂଶୋଧନ ଆଇନ ଛଡାଇ ନେଇଛି । ସର୍ବୋଚ୍ଚ ନ୍ୟାୟାଳୟ ୨୦୨୪ ମସିହା ଜୁଲାଇ ୨୫ରେ ଦେଇଥିବା ଆଦେଶରେ, ଖଣି ଓ ଖଣି ଥିବା ଜମି ଉପରେ ରାଜ୍ୟମାନେ ଟିକସ ଓ ଲେଭି ଲଗାଇ ପାରିବେ ଓ ୨୦୦୫ ମସିହାରୁ ଏହାର ବକେୟା ଆଦାୟ କରି ପାରିବେ ବୋଲି କହିଥିଲେ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ, ଓଡିଶା ବକେୟା ବାବଦକୁ ଏକ ଲକ୍ଷ କୋଟି ଓ ବର୍ଦ୍ଧିତ ରାଜସ୍ୱ ବାବଦକୁ ୧୨,୦୦୦ କୋଟି ଟଙ୍କା ପାଇବାର ସୁଯୋଗ ସୃଷ୍ଟି ହୋଇଥିଲା । ଏମଏମଡିଆର ଆଇନ ଏହି ସୁଯୋଗକୁ ନଷ୍ଟ କରିଦେଲା ।

ତେଣୁ, ଏହି ରାଜ୍ୟ ବିରୋଧୀ କଳା ଆଇନର ପ୍ରତ୍ୟାହାର ଦାବିରେ ବିଜେଡି ତରଫରୁ ସେପ୍ଟେମ୍ୱର ୨୮ ତାରିଖରେ ଲୋୟର ପିଏମଜି ଠାରେ ଏକ ବିଶାଳ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହା ଦିନ ୧୦ଟାରୁ ଆରମ୍ଭ ହେବ । ଏଥିରେ, ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଉପସ୍ଥିତ ଜନତାଙ୍କୁ ସମ୍ୱୋଧନ କରିବେ । ତେଣୁ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଡ. ମହାନ୍ତି ନିବେଦନ କରିଛନ୍ତି ।

Leave A Reply

Your email address will not be published.