Latest Odisha News

BREAKING NEWS

ବାଲେଶ୍ୱରରେ ଭୁଶୁଡ଼ିଲା ବ୍ୟାସକବି ଫକୀରମୋହନଙ୍କ ସ୍ମୃତି ସହ ଜଡ଼ିତ ୩୦୦ ବର୍ଷର ପୁରୁଣା କୋଠା

ବାଲେଶ୍ୱର: ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ତଥା ବ୍ୟାସକବି ଫକୀରମୋହନ ସେନାପତିଙ୍କ ସ୍ମୃତି ବିଜଡ଼ିତ ଏକ ଐତିହାସିକ କୋଠା ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଛି । ବାଲେଶ୍ୱର ଜିଲ୍ଲା ଦାମୋଦରପୁର ଅଞ୍ଚଳରେ ଥିବା ପ୍ରାୟ ୩୦୦ ବର୍ଷର ଏହି ପୁରୁଣା ଦୁଇ ମହଲା କୋଠାର ଏକ ବଡ଼ ଅଂଶ ଭାଙ୍ଗି ମାଟିରେ ମିଶିଯାଇଛି । ତେବେ ସୌଭାଗ୍ୟବଶତଃ ଏହି ଅଘଟଣରେ କୌଣସି ଜୀବନହାନି ଘଟିନାହିଁ କିମ୍ବା କେହି ଆହତ ହୋଇନଥିବା ସୂଚନା ମିଳିଛି ।

ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରାଚୀନ କୋଠାଟି ସହିତ ବ୍ୟାସକବିଙ୍କ ବାଲ୍ୟକାଳ ଓ ଶିକ୍ଷାଗ୍ରହଣ ସମୟର ଅନେକ ସ୍ମୃତି ଜଡ଼ିତ ରହିଛି । କୁହାଯାଏ ଯେ, ଫକୀରମୋହନ ନିଜର ପ୍ରାରମ୍ଭିକ ଜୀବନର କିଛି ଗୁରୁତ୍ୱପୂର୍ଣ୍ଣ ସମୟ ଏହି କୋଠାରେ ବିତାଇଥିଲେ ଏବଂ ଏଠାରେ ରହି ଅଧ୍ୟୟନ ମଧ୍ୟ କରିଥିଲେ । ତେଣୁ ଓଡ଼ିଆ ସାହିତ୍ୟ ପ୍ରେମୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏହି କୋଠାଟିର ଏକ ସ୍ୱତନ୍ତ୍ର ଐତିହାସିକ ମହତ୍ତ୍ୱ ରହିଥିଲା ।

ବର୍ତ୍ତମାନ ଏହି କୋଠାରେ ବଚୁ କେଶବ ରାଓଙ୍କ ପରିବାର ବହୁ ପିଢ଼ି ଧରି ବସବାସ କରି ଆସୁଛନ୍ତି । ଗତ କିଛି ଦିନ ଧରି ବାଲେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଲାଗି ରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁଁ ଏହି ଶହ ଶହ ବର୍ଷର ପୁରୁଣା ତଥା ବିପଦସଙ୍କୁଳ ଘରଟି ଆହୁରି ଦୁର୍ବଳ ହୋଇପଡ଼ିଥିଲା । ପରିବାର ଲୋକେ କୋଠାର ଗୋଟିଏ ପାର୍ଶ୍ୱରେ ରହୁଥିବା ବେଳେ ହଠାତ୍ ଅନ୍ୟ ପାର୍ଶ୍ୱଟି ଭୁଶୁଡ଼ି ପଡ଼ିଥିଲା। ଘରର ଏକ ବଡ଼ ଅଂଶ ଖସିପଡ଼ିଥିଲେ ହେଁ ପରିବାରର ସମସ୍ତ ସଦସ୍ୟ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ, ଓଡ଼ିଆ ସାହିତ୍ୟର ଅନ୍ୟତମ ପ୍ରାତଃସ୍ମରଣୀୟ ସ୍ରଷ୍ଟା ଫକୀରମୋହନଙ୍କ ସହ ଜଡ଼ିତ ଏହି ଐତିହାସିକ ସ୍ଥାନର ଏଭଳି ଦୁର୍ଦ୍ଦଶା ଦେଖି ସ୍ଥାନୀୟ ବୁଦ୍ଧିଜୀବୀ ଓ ସାହିତ୍ୟିକମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ଯଥାର୍ଥ ରକ୍ଷଣାବେକ୍ଷଣ ଅଭାବରୁ ହିଁ ଏତେ ବଡ଼ ଐତିହାସିକ କୀର୍ତ୍ତିରାଜି ନଷ୍ଟ ହେବାକୁ ବସିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.