Latest Odisha News

BREAKING NEWS

ପାର୍ବଣରେ ଗ୍ରାହକଙ୍କୁ ଝଟ୍‌କା ଦେଇପାରେ ଆରବିଆଇ: ମହଙ୍ଗା ହୋଇପାରେ ଘର ଓ ଗାଡ଼ି ଋଣ

ନୂଆଦିଲ୍ଲୀ: କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଖାଉଟି ସାମଗ୍ରୀର ଦରବୃଦ୍ଧି ଏବଂ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଭିତରେ ସାଧାରଣ ଲୋକଙ୍କ ଉପରେ ପଡ଼ିପାରେ ଆର୍ଥିକ ବୋଝ । ଜାପାନର ପ୍ରସିଦ୍ଧ ବ୍ରୋକରେଜ୍ ସଂସ୍ଥା ‘ନୋମୁରା’ର ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କ ଆଗାମୀ ଦିନରେ ସୁଧ ହାର ବଢାଇବାର ସମ୍ଭାବନା ରହିଛି ।

ବିଶେଷକରି ଅକ୍ଟୋବର ଏବଂ ଡିସେମ୍ବର ମାସରେ ହେବାକୁ ଥିବା ମୁଦ୍ରାନୀତି କମିଟି ବୈଠକରେ ରେପୋ ରେଟ୍‌ରେ ବୃଦ୍ଧି ଘଟିପାରେ, ଯାହା ଫଳରେ ଘର, କାର୍ ଏବଂ ବ୍ୟକ୍ତିଗତ ଋଣ ନେବା ମହଙ୍ଗା ହେବ ଏବଂ ବର୍ତ୍ତମାନର ଇଏମଆଇ (EMI) ପରିମାଣ ବଢିବାର ଆଶଙ୍କା ରହିଛି ।

ନୋମୁରାର ରିପୋର୍ଟ ଅନୁସାରେ, ଆରବିଆଇ ଅକ୍ଟୋବର ଏବଂ ଡିସେମ୍ବରରେ ଦୁଇଟି ପର୍ଯ୍ୟାୟରେ ୦.୨୫ ପ୍ରତିଶତ ଲେଖାଏଁ ମୋଟ ୦.୫୦ ପ୍ରତିଶତ ରେପୋ ରେଟ୍ ବଢାଇପାରେ । ଯଦି ଏହି ଆକଳନ ସତ ହୁଏ, ତେବେ ଟର୍ମିନାଲ୍ ରେପୋ ରେଟ୍ ୫.୭୫ ପ୍ରତିଶତରେ ପହଞ୍ଚିବ । ଦୀର୍ଘ ଦିନ ଧରି ରିଜର୍ଭ ବ୍ୟାଙ୍କ ନିଜର ପଲିସି ରେଟ୍‌କୁ ଅପରିବର୍ତ୍ତିତ ରଖି ଆସିଥିବା ବେଳେ ବର୍ତ୍ତମାନର ଅର୍ଥନୈତିକ ସ୍ଥିତିକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇପାରେ ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଖାଦ୍ୟ ଏବଂ ଶକ୍ତି କ୍ଷେତ୍ରରେ ମୁଦ୍ରାସ୍ଫୀତି ଚାପ ବଜାୟ ରହିଛି । ଚଳିତ ବର୍ଷ ଖାଦ୍ୟ ମୁଦ୍ରାସ୍ଫୀତି ଉଚ୍ଚ ସ୍ତରରେ ରହିଥିଲେ ମଧ୍ୟ ମୂଳ ମୁଦ୍ରାସ୍ଫୀତି ଏବେ ବି ନିୟନ୍ତ୍ରଣରେ ଅଛି । ସେହିପରି, ବିଗତ ଦିନରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୫ ଡଲାର ଉପରେ ରହିଥିବାରୁ ଏହାର ପ୍ରଭାବ ଉଭୟ ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ଉପରେ ପଡ଼ିବାର ସମ୍ଭାବନା ଅଧିକ । ଏହାସତ୍ତ୍ୱେ ଆସନ୍ତା ୨୦୨୭ ମସିହା ପ୍ରଥମ ତ୍ରୟମାସିକ ବେଳକୁ ମୁଦ୍ରାସ୍ଫୀତି ଆଶ୍ଵସ୍ତିଜନକ ସ୍ଥିତିକୁ ଫେରିବ ବୋଲି ନୋମୁରା ଆଶାବ୍ୟକ୍ତ କରିଛି ।

ତେବେ ପାର୍ବଣ ଋତୁ ପୂର୍ବରୁ ଆରବିଆଇର ଏହି ସମ୍ଭାବ୍ୟ ନିଷ୍ପତ୍ତି ଋଣ ଗ୍ରହୀତାଙ୍କ ପାଇଁ ଏକ ବଡ଼ ଝଟ୍‌କା ହୋଇପାରେ। ଯଦି ନିୟମିତ ବ୍ୟବଧାନରେ ରେପୋ ରେଟ୍ ବଢିବ, ତେବେ ବଜାରରେ ବିଭିନ୍ନ ବ୍ୟାଙ୍କ ସେମାନଙ୍କ ଋଣ ଉପରେ ସୁଧ ହାର ମଧ୍ୟ ବୃଦ୍ଧି କରିବେ ।

Leave A Reply

Your email address will not be published.