ଭୁବନେଶ୍ୱର: ପୁରୀରେ ଶ୍ରୀଜିଉମାନଙ୍କର ‘ବନକଲାଗି’ ନୀତି ଯୋଗୁଁ ଆଜି ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛି। ବିଜ୍ଞପ୍ତି ଅନୁଯାୟୀ, ବୁଧବାର, ୩୦ ସେପ୍ଟେମ୍ବର ୨୦୨୬ (ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥି) ଦିନ ମହାପ୍ରଭୁଙ୍କ ‘ବନକଲାଗି’ ନୀତି ଅନୁଷ୍ଠିତ ହେବ। ତେଣୁ ଦ୍ୱିତୀୟ ଭୋଗମଣ୍ଡପ ନୀତି ସମ୍ପନ୍ନ ହେବା ପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଅସ୍ଥାୟୀ ଭାବେ ବନ୍ଦ ରହିବ।
‘ବନକଲାଗି’ ନୀତି ହେଉଛି ଶ୍ରୀମନ୍ଦିରର ଅନ୍ୟତମ ପବିତ୍ର ଓ ଗୁପ୍ତ ନୀତି। ଏଥିରେ ଶ୍ରୀଜିଉମାନଙ୍କର ‘ଶ୍ରୀମୁଖ ଶୃଙ୍ଗାର’ କରାଯାଇଥାଏ। ଏହି ନୀତି ସମୟରେ ରତ୍ନସିଂହାସନ ଉପରେ ବିରାଜମାନ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କ ଶ୍ରୀମୁଖରେ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇ ପୁନର୍ବାର ରଙ୍ଗ କରାଯାଇଥାଏ।
ପ୍ରାୟ ଚାରିରୁ ପାଞ୍ଚ ଘଣ୍ଟା ଧରି ଚାଲୁଥିବା ଏହି ନୀତି ସମୟରେ ମନ୍ଦିରର ସମସ୍ତ ଦ୍ୱାର ବନ୍ଦ ରହେ ଏବଂ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ।କେବଳ ଦତ୍ତ ମହାପାତ୍ର ସେବକମାନଙ୍କୁ ପ୍ରାକୃତିକ ଉପାଦାନ ବ୍ୟବହାର କରି ଏହି ପବିତ୍ର ଶ୍ରୀମୁଖ ଶୃଙ୍ଗାର କାର୍ଯ୍ୟ କରିବାକୁ ଅନୁମତି ମିଳିଥାଏ।

