Latest Odisha News

BREAKING NEWS

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି

ଭୁବନେଶ୍ୱର: ପାରଳାଖେମୁଣ୍ଡିର ପୂର୍ବତନ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ବହୁଚର୍ଚ୍ଚିତ ମୃତ୍ୟୁ ମାମଲାରେ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହି ସମ୍ବେଦନଶୀଳ ମାମଲାରେ ପ୍ରମୁଖ ଅଭିଯୁକ୍ତ ତଥା ମୃତକଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ସୁପ୍ରିମକୋର୍ଟରୁ କୌଣସି ଆଶ୍ୱସ୍ତି ମିଳିନାହିଁ । ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ସୁପ୍ରିମକୋର୍ଟରେ ଯେଉଁ ସ୍ପେଶାଲ ଲିଭ୍ ପିଟିସନ୍ ଦାଏର କରିଥିଲେ, ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ ତାହାକୁ ସିଧାସଳଖ ଖାରଜ କରିଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବିଦ୍ୟାଭାରତୀଙ୍କ ବିରୋଧରେ ଥିବା ଅପରାଧିକ ମାମଲାକୁ ଖାରଜ କରିବାକୁ ସେପ୍ଟେମ୍ବର ୩ ତାରିଖରେ ଓଡ଼ିଶା ହାଇକୋର୍ଟ ମନା କରିଦେଇଥିଲେ ଏବଂ ତାଙ୍କୁ ମିଳିଥିବା ମଧ୍ୟବର୍ତ୍ତୀକାଳୀନ ଗିରଫଦାରୀ ସୁରକ୍ଷାକୁ ମଧ୍ୟ ପ୍ରତ୍ୟାହାର କରିନେଇଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ଏହି ଏସ୍ଏଲ୍‌ପି ଉପରେ ଶୁଣାଣି କରିବାକୁ ମନା କରିଦେବା ସହ ଆବେଦନଟିକୁ ଖାରଜ କରିଦେଇଛନ୍ତି । ଅବଶ୍ୟ, ଆଗୁଆ ଜାମିନ ପାଇଁ ସେ ଚାହିଁଲେ ଉପଯୁକ୍ତ ତଳ କୋର୍ଟରେ ଆବେଦନ କରିପାରିବେ ବୋଲି ସୁପ୍ରିମକୋର୍ଟ ତାଙ୍କୁ ସ୍ୱାଧୀନତା ଦେଇଛନ୍ତି ।

ଏହି ବହୁଚର୍ଚ୍ଚିତ ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିବା ପୂର୍ବତନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ଆଗୁଆ ଜାମିନ ଆବେଦନ ପୂର୍ବରୁ ଖାରଜ ହୋଇସାରିଛି ଏବଂ ସେ ପାରଳାଖେମୁଣ୍ଡି କୋର୍ଟରେ ଆତ୍ମସମର୍ପଣ କରିସାରିଛନ୍ତି । ସେହିପରି ଦୀର୍ଘ ବର୍ଷ ଧରି ଫେରାର ଥିବା ରୋଷେୟା ମନ୍ମଥ କୁମ୍ଭକୁ ମଧ୍ୟ ପୋଲିସ ନିକଟରେ ଗିରଫ କରିବାରେ ସଫଳ ହୋଇଛି ।

ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ପ୍ରଥମରୁ ହିଁ ଡିଏଫ୍‌ଓ ଏବଂ ବିଦ୍ୟାଭାରତୀଙ୍କ ମଧ୍ୟରେ ଥିବା ଅନୈତିକ ସମ୍ପର୍କକୁ ଏହି ରହସ୍ୟମୟ ଘଟଣାର ମୁଖ୍ୟ କାରଣ ବୋଲି ଅଭିଯୋଗ କରି ଆସୁଛନ୍ତି । ଜୁଲାଇ ୧୨ ତାରିଖ ରାତିରେ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନରେ ଯେତେବେଳେ ସେ ଗୁରୁତର ଭାବେ ପୋଡ଼ି ହୋଇଯାଇଥିଲେ, ସେହି ସମୟରେ ଘରେ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ ଉପସ୍ଥିତ ଥିଲେ ବୋଲି ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଥିଲେ ।

ଏବେ ରୋଷେୟା ଗିରଫ ହୋଇ ସାରିଥିବା ବେଳେ ସୁପ୍ରିମକୋର୍ଟ ମଧ୍ୟ ବିଦ୍ୟାଭାରତୀଙ୍କ ଆବେଦନକୁ ଖାରଜ କରିଦେବା ଫଳରେ ଏହି ମାମଲାର ବିଚାର ପ୍ରକ୍ରିୟା ଆହୁରି ଆଗକୁ ହେବ ବୋଲି ଆଶା କରାଯାଉଛି । ଅଭିଯୁକ୍ତମାନଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗ ଉପରେ ଏବେ ସକ୍ଷମ ନ୍ୟାୟାଳୟରେ ହିଁ ଚୂଡ଼ାନ୍ତ ବିଚାର କରାଯିବ । ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଦୀର୍ଘ ଦିନ ଧରି ନ୍ୟାୟ ଅପେକ୍ଷାରେ ଥିବା ବେଳେ ଏବେ ଆଇନଗତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ମନେ ହେଉଛି।

Leave A Reply

Your email address will not be published.