Smit Machcchar: ପ୍ରାର୍ଥନା ବାହାନାରେ ପଛରୁ ମାରିଲା କୁରାଢ଼ି ମାଡ଼… ଆଖିକୁ ଦିଶୁନଥିଲା, ତଥାପି ହାର ମାନିଲେନି ଭାରତୀୟ ପାଇଲଟ୍!
ନୂଆଦିଲ୍ଲୀ: ସ୍ମିତ୍ ମଚ୍ଛାରଙ୍କ ସାହାସିକତାର କାହାଣୀ ଏବେ ପୂରା ବିଶ୍ବରେ ଚର୍ଚ୍ଚା । ଏହାରି ଭିତରେ ସେଦିନର ସେ ଛାତି ଥରା ଅନୁଭବକୁ ପୂରା ବଖାଣିଛନ୍ତି ଭାରତର ହିରୋ ସ୍ମିତ୍ । ସ୍ମିତଙ୍କ କହିବା ଅନୁସାରେ, ସେଦିନ ଉଡ଼ାଣ ଚାଲିଥିଲା ସାଧାରଣ ଭାବେ। ହଠାତ୍ କକପିଟ୍ ଭିତରେ ଘଟିଗଲା ଏମିତି ଏକ ଘଟଣା, ଯାହା ଶୁଣିଲେ ଲୋମଟାଙ୍କୁରି ଉଠିବ। ପ୍ରାର୍ଥନା କରିବା ବାହାନାରେ ଉଠିଲେ ସହ-ପାଇଲଟ୍। ଆଉ କିଛି ମିନିଟ୍ ପରେ ପଛରୁ ଭାରତୀୟ କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କ ଉପରେ ହେଲା ଆକ୍ରମଣ। ଜରୁରୀ ପରିସ୍ଥିତି ପାଇଁ ରଖାଯାଇଥିବା କୁରାଢ଼ିରେ ତାଙ୍କୁ ଆକ୍ରମଣ କରାଯାଇଥିବା କହିଛନ୍ତି କ୍ୟାପଟେନ୍ ସ୍ମିତ।
ସେପ୍ଟେମ୍ବର ୩୦ରେ ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ଘଟିଥିଲା ଏହି ଘଟଣା। ବିମାନରେ ମୋଟ ୧୭୪ ଜଣ ଥିଲେ, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ଇସ୍ରାଏଲୀ ଯାତ୍ରୀ ଥିଲେ। ଓମାନର ସହ-ପାଇଲଟ୍ ହାମାମ ଅଲ-ହାମାମି ପ୍ରାର୍ଥନା କରିବାକୁ ଯାଉଥିବା କହି ନିଜ ସିଟ୍ରୁ ଉଠିଥିଲେ। କ୍ୟାପଟେନ୍ ମଚ୍ଛାର ଏହାକୁ ସ୍ୱାଭାବିକ ମନେ କରିଥିଲେ। ସମ୍ମାନ ଦେଇ ସେ ପଛକୁ ନଦେଖି ଆଗକୁ ଅନାଇ ବିମାନ ଚଳାଇବାରେ ଧ୍ୟାନ ଦେଇଥିଲେ। କିନ୍ତୁ ପ୍ରାୟ ୪ରୁ ୫ ମିନିଟ୍ ପରେ ପଛପଟୁ ତାଙ୍କ ମୁଣ୍ଡରେ ଜୋରଦାର ଆଘାତ ଲାଗିଥିଲା। ପ୍ରଥମ ଆଘାତ ଏତେ ଅଚାନକ ଥିଲା ଯେ ମଚ୍ଛାର ପ୍ରଥମେ କ’ଣ ଘଟିଲା ବୁଝିପାରିନଥିଲେ। ତାଙ୍କୁ ଲାଗିଥିଲା, ହୁଏତ ବିମାନରେ କୌଣସି ବଡ଼ ସମସ୍ୟା ହୋଇଛି। ଦ୍ୱିତୀୟ ଆଘାତ ପରେ ସେ ବୁଝିଥିଲେ ଯେ ପଛରେ ଥିବା ସହ-ପାଇଲଟ୍ ହିଁ ତାଙ୍କୁ ଆକ୍ରମଣ କରୁଛନ୍ତି।
ଆକ୍ରମଣ ଯୋଗୁଁ କ୍ୟାପଟେନଙ୍କ ଦୃଷ୍ଟି ଅତ୍ୟନ୍ତ ଧୁଆଁଳିଆ ହୋଇଯାଇଥିଲା। ଏହାରି ମଧ୍ୟରେ ବିମାନ ତଳକୁ ଦ୍ରୁତ ଗତିରେ ଯାଉଥିବା ସେ ଅନୁଭବ କରିଥିଲେ। ଆହତ ଅବସ୍ଥାରେ ସେ କକପିଟ୍ ଦ୍ୱାର ପାଖକୁ ପହଞ୍ଚି ଏହାକୁ ଖୋଲିଥିଲେ। କିନ୍ତୁ ସହ-ପାଇଲଟ୍ ଦ୍ୱାରଟି ବନ୍ଦ କରିଦେବାରୁ ମଚ୍ଛାର ତଳେ ପଡ଼ିଯାଇଥିଲେ। ତଥାପି ସେ ହାର ମାନିନଥିଲେ। ତାଙ୍କୁ ଲାଗିଥିଲା, ଏହା ହିଁ ତାଙ୍କର ଶେଷ ସୁଯୋଗ। ପୁଣିଥରେ ସେ ନିଜର ସମସ୍ତ ଶକ୍ତି ଲଗାଇ କକପିଟ୍ ଦ୍ୱାର ଖୋଲିଥିଲେ। ଏଥର ଦ୍ୱାର ବାହାରେ ଯାତ୍ରୀମାନେ ଅପେକ୍ଷା କରି ରହିଥିବା ସେ ଦେଖିଥିଲେ। ଯାତ୍ରୀମାନେ ଭିତରକୁ ପଶି ସହ-ପାଇଲଟ୍ଙ୍କୁ କାବୁ କରିଥିଲେ। ଫଳରେ ବିମାନଟିକୁ ନିୟନ୍ତ୍ରଣକୁ ଅଣାଯାଇପାରିଥିଲା।
କକପିଟ୍ ଦ୍ୱାର ନେଇ ମଧ୍ୟ ମଚ୍ଛାର ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଭିତରୁ କୌଣସି ‘ପିନ୍’ ଟାଣି ଦ୍ୱାର ଖୋଲିବାକୁ ପଡ଼େନାହିଁ। ଭିତରପଟୁ ଏକ ନବ୍ ଘୁରାଇ ଦ୍ୱାର ଖୋଲାଯାଏ। ବାହାରୁ ତେବେ ଏକ କୋଡ୍ ଦରକାର ହୁଏ। ସହ-ପାଇଲଟ୍ ବାହାରୁ ଦ୍ୱାର ଖୋଲିବାକୁ ଦେଉନଥିବାରୁ ଭିତରୁ ଦ୍ୱାର ପର୍ଯ୍ୟନ୍ତ ପହଞ୍ଚିବା ହିଁ ମଚ୍ଛାରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା।
ଏହି ଘଟଣା ସମ୍ପର୍କରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହ ଭିଡିଓ କଲ୍ରେ କଥା ହୋଇ ସ୍ମିତ ମଚ୍ଛାର ଏହି ସବୁ ତଥ୍ୟ ପ୍ରକାଶ କରିଛନ୍ତି। ମଚ୍ଛାରଙ୍କ ସାହସକୁ ପ୍ରଶଂସା କରି ନେତନ୍ୟାହୁ ତାଙ୍କୁ ‘ଇସ୍ରାଏଲ୍, ଭାରତ ଓ ସମଗ୍ର ବିଶ୍ୱର ହିରୋ’ ବୋଲି କହିଛନ୍ତି। ଏଥିସହ ଇସ୍ରାଏଲ୍ର ସ୍ୱାଧୀନତା ଦିବସ ଅବସରରେ ମଚ୍ଛାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇସ୍ରାଏଲ୍ ଆସିବାକୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି।
ଅନ୍ୟପଟେ, ଅକ୍ଟୋବର ୨ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଥିବା ବେଳେ ମଚ୍ଛାର କହିଥିଲେ ଯେ ସେ ୧୭ ବର୍ଷ ଧରି ବିମାନ ଉଡ଼ାଇଛନ୍ତି। ଆଖି ବନ୍ଦ ଥିଲେ ମଧ୍ୟ ବିମାନରେ କ’ଣ ଘଟୁଛି, ତାହା ସେ ବୁଝିପାରନ୍ତି। ଆହତ ଅବସ୍ଥାରେ ମଧ୍ୟ ଯାତ୍ରୀଙ୍କୁ ବଞ୍ଚାଇବାକୁ ସେ ନିଜକୁ ଉଠାଇଥିଲେ। ସେହି ସମୟରେ ସେ ହନୁମାନ ଚାଳିଶା ପାଠ କରିଥିବା ଏବଂ ପ୍ରଭୁ ହନୁମାନଙ୍କଠାରୁ ସାହସ ପାଇଥିବା କହିଥିଲେ।
ଆକ୍ରମଣ ପରେ ବିମାନଟି ସାଉଦି ଆରବର ଉତ୍ତର-ପଶ୍ଚିମ ଅଞ୍ଚଳର ତାବୁକ୍କୁ ଡାଇଭର୍ଟ ହୋଇଥିଲା। ସାଉଦି ଆରବ, ୟୁଏଇ ଓ ଇସ୍ରାଏଲ୍ କର୍ତ୍ତୃପକ୍ଷ ଏବେ ଘଟଣାର ତଦନ୍ତ କରୁଛନ୍ତି। ଆକ୍ରମଣର କାରଣ, ପୂର୍ବ ଯୋଜନା ଥିଲା କି ନାହିଁ ଏବଂ ଏହାର ଆତଙ୍କବାଦ ସହ କୌଣସି ସମ୍ପର୍କ ଅଛି କି ନାହିଁ, ସେନେଇ ତଦନ୍ତ ଚାଲିଛି।

