Latest Odisha News

BREAKING NEWS

ଇରାନୀ କପ୍: ଜାମ୍ମୁ-କାଶ୍ମୀରକୁ ହରାଇ ଚାମ୍ପିୟନ୍ ହେଲା ରେଷ୍ଟ ଅଫ୍ ଇଣ୍ଡିଆ

ରେଷ୍ଟ ଅଫ୍ ଇଣ୍ଡିଆ ୩୧ଶ ଥର ପାଇଁ ଇରାନୀ କପ୍ ଟାଇଟଲ୍ ହାସଲ କରିଛି । ଦଳ ଫାଇନାଲ୍ ମ୍ୟାଚ୍‌ରେ ଜାମ୍ମୁ-କାଶ୍ମୀରକୁ ୧୬୭ ରନ୍‌ରେ ପରାସ୍ତ କରିଛି । ଶ୍ରୀନଗରରେ ଅକ୍ଟୋବର ୧ ରୁ ୫ ପର‌୍ୟ୍ୟନ୍ତ ଖେଳାଯାଇଥିବା ଏହି ମୁକାବିଲାରେ ରେଷ୍ଟ ଅଫ୍ ଇଣ୍ଡିଆ ପ୍ରଥମ ଇନିଂସରେ ୨୩୭ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୩୧୯ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଜାମ୍ମୁ-କାଶ୍ମୀର ଟିମ୍ ପ୍ରଥମ ଇନିଂସରେ ୨୭୮ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ମାତ୍ର ୧୧୧ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା । ଦ୍ୱିତୀୟ ଇନିଂସରେ ଜାମ୍ମୁ-କାଶ୍ମୀରର ବ୍ୟାଟିଂ ବିପର‌୍ୟ୍ୟୟ ଘଟିଥିଲା। ପୁରା ଟିମ୍ ୨୮.୪ ଓଭରରେ ୧୧୧ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । କାମରାନ୍ ଇକବାଲ୍ ୩୨ ରନ୍ ଏବଂ ଶୁଭମ୍ ଖଜୁରିଆ ୩୬ ରନ୍ କରିଥିଲେ । ଏମାନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ବଡ଼ ପାରି ଖେଳିପାରି ନଥିଲେ । ରେଷ୍ଟ ଅଫ୍ ଇଣ୍ଡିଆର ଦ୍ରୁତ ବୋଲର ମୁକେଶ କୁମାର ଦ୍ୱିତୀୟ ଇନିଂସରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ । ସେ ୬ଟି, ଆକାଶ ଦୀପ ୩ଟି ଏବଂ ମୁକେଶ ଚୌଧୁରୀ ଗୋଟିଏ ୱିକେଟ୍ ହାସଲ କରିଥିଲେ ।

ରେଷ୍ଟ ଅଫ୍ ଇଣ୍ଡିଆର ଦ୍ୱିତୀୟ ଇନିଂସରେ ରବିଚନ୍ଦ୍ରନ୍ ସ୍ମରଣ ୧୩୫ ରନ୍‌ର ପାରି ଖେଳିଥିଲେ, ଯେଉଁଥିରେ ୧୬ଟି ଚୌକା ଓ ୫ଟି ଛକା ସାମିଲ ଥିଲା । ସ୍ମରଣଙ୍କ ବ୍ୟତୀତ ସନତ୍ ସାଙ୍ଗୱାନ୍ ୫୫ ରନ୍ ଏବଂ ସୁଧୀପ କୁମାର ଘରାମୀ ୩୩ ରନ୍ କରିଥିଲେ। ରେଷ୍ଟ ଅଫ୍ ଇଣ୍ଡିଆ ଟିମ୍ ପ୍ରଥମ ଇନିଂସରେ ୨୩୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ରବିଚନ୍ଦ୍ରନ୍ ସ୍ମରଣ ସର୍ବାଧିକ ୬୮ ରନ୍ ଏବଂ ଶିଖର ମୋହନ ୬୦ ରନ୍ କରିଥିଲେ । ଜାମ୍ମୁ-କାଶ୍ମୀର ପକ୍ଷରୁ ସୁନୀଲ କୁମାର ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ଏହାର ଜବାବରେ ଜାମ୍ମୁ-କାଶ୍ମୀର ପ୍ରଥମ ଇନିଂସରେ ୨୭୮ ରନ୍ କରିଥିଲା । ପାରସ ଡୋଗରା ୭୫ ରନ୍, ଲୋନ୍ ନାସିର୍ ୬୪ ରନ୍ ଏବଂ ଅବଦୁଲ ସମଦ୍ ୫୭ ରନ୍‌ର ପାରି ଖେଳିଥିଲେ । ଜାମ୍ମୁ-କାଶ୍ମୀର ପ୍ରଥମ ଇନିଂସ ଆଧାରରେ ରେଷ୍ଟ ଅଫ୍ ଇଣ୍ଡିଆ ଉପରେ ୪୧ ରନ୍‌ର ଅଗ୍ରଣୀ ହାସଲ କରିଥିଲା ।ରେଷ୍ଟ ଅଫ୍ ଇଣ୍ଡିଆ ଏପର‌୍ୟ୍ୟନ୍ତ ୬୩ ଥର ଇରାନୀ କପ୍ ଖେଳିସାରିଛି ଏବଂ ୩୧ ଥର ଟାଇଟଲ୍ ଜିତିଛି । ମୁମ୍ବାଇ ୧୫ଟି ଟାଇଟଲ୍ ସହ ଦ୍ୱିତୀୟ ସ୍ଥାନରେ ରହିଛି ।

Leave A Reply

Your email address will not be published.