ଭୁବନେଶ୍ୱର: ବହୁ ଚର୍ଚ୍ଚା ପରେ ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ। ଖୁବଶୀଘ୍ର ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବା ନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ” ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେବ। ନିର୍ବାଚନ ନେଇ କଲେଜ ପକ୍ଷରୁ ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ୯ ତାରିଖରେ ନାମାଙ୍କନ ଦାଖଲ ହେବ”।
୯ ତାରିଖରେ ନାମାଙ୍କନ ସହ ସ୍କ୍ରୁଟିନି ଓ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ୧୦ ତାରିଖ ଅପରାହ୍ନ ୧ଟା ଭିତରେ ନାମାଙ୍କନ ପ୍ରତ୍ୟାହାର ଓ ୩ଟାରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ୧୪ ତାରିଖରେ ‘ହ୍ବାଏ ଆଇ ଷ୍ଟାଣ୍ଡ୍ ଫର୍’ ମିଟିଂ ଅନୁଷ୍ଠିତ ହେବ। ୧୫ ତାରିଖରେ ମତଦାନ ଓ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ ଏବଂ ୧୬ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚ ଶିକ୍ଷା ବିଭାଗ।
ହେଲେ ସେଲ୍ଫ ଫାଇନାନ୍ସିଂ କୋର୍ସ ଛାତ୍ରଛାତ୍ରୀ ନିର୍ବାଚନରେ ଭାଗ ନେବେନି। PPP ମୋଡ୍ରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଛାତ୍ରଙ୍କ ପାଇଁ ନିର୍ବାଚନ ବାରଣ କରାଯାଇଥିବା ନେଇ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟ କରିଛି ଉଚ୍ଚ ଶିକ୍ଷା ବିଭାଗ।
ଯୁବ ନେତୃତ୍ବକୁ ଆଗକୁ ନେବାକୁ ଆମର ଲକ୍ଷ୍ୟ କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ।
ନିର୍ବାଚନୀ ଇସ୍ତାହାରରେ କଲେଜ ନିର୍ବାଚନ କରିବାକୁ ପ୍ରତିଶ୍ରୁତି ଦେଇଥିଲୁ, ୨୦୨୬ରେ ନିର୍ବାଚନ କରି ତାହା ପାଳନ କରିବାକୁ ଯାଉଛୁ। ସବୁ କଲେଜ ଓ ବିଶ୍ବବିଦ୍ୟାଳୟରେ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଛି କହିଛନ୍ତି ମନ୍ତ୍ରୀ।
ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ୨୦୧୭ରେ ଶେଷଥର ପାଇଁ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ନିର୍ବାଚନ କରିବାରୁ ରାଜ୍ୟର ବିରୋଧୀ ଦଳଗୁଡ଼ିକ ବାରମ୍ବାର ଦାବି କରି ଆସୁଥିଲେ।
ବିଜେପି ସରକାର ମଧ୍ୟ ଶାସନକୁ ଆସିବା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ କରାଇବା ନେଇ ପ୍ରତିଶୃତି ଦେଇଥିଲେ, ଯାହା ଏବେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।

