ଗୌହାଟି: ଆସାମର ନାଗାଓଁ ଜିଲ୍ଲାରେ ମଙ୍ଗଳବାର ସକାଳେ ଏକ ମଧ୍ୟମଧରଣ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ମପାଯାଇଥିଲା।
ଏନେଇ NCS କହିଛି ଯେ ଭୂକମ୍ପ ସକାଳ ୪:୨୩ ରେ ରେକର୍ଡ କରାଯାଇଥିଲା। ଭୂକମ୍ପର କେନ୍ଦ୍ର ଭୂମିରୁ ପ୍ରାୟ ୩୩ କିଲୋମିଟର ତଳେ ନାଗାଓଁରେ ଅବସ୍ଥିତ ଥିଲା। ଭୂକମ୍ପ ଯୋଗୁ ସକାଳୁ ସକାଳୁ ଆତଙ୍କ ସୃଷ୍ଟି ହୋଇଥିଲା, ଯଦିଓ ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।
ତେବେ ପୂର୍ବରୁ ରବିବାର ବିଳମ୍ବିତ ରାତିରେ ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ମଧ୍ୟ ଏକ ମୃଦୁ ଭୂକମ୍ପ ରେକର୍ଡ କରାଯାଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଉନାରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୫ ମପାଯାଇଥିଲା।
ରାତି ୧୧:୪୮ରେ ଭୂକମ୍ପ ଅନୁଭୂତ ହୋଇଥିଲା ବେଳେ ଏହାର କେନ୍ଦ୍ର ଭୂମିରୁ ମାତ୍ର ୯ କିଲୋମିଟର ତଳେ ଥିଲା। ଗଭୀରତା ଏତେ ନଥିବାରୁ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା। ଯଦିଓ କୌଣସି କ୍ଷୟକ୍ଷତି ରିପୋର୍ଟ ହୋଇନାହିଁ।

