Latest Odisha News

BREAKING NEWS

Nana Patekar’s Real Name: ‘ନାନା’ ନଥିଲା ତାଙ୍କ ପ୍ରକୃତ ନାଁ; ମାଆଙ୍କ ବନ୍ଧୁଙ୍କ ସ୍ନେହର ଡାକ…ଆଜି ସେହି ନାଁରେ କାନ୍ଦୁଛି ସାରା ସିନେମା ଜଗତ

ମୁମ୍ବାଇ: ପରଦାରେ ତାଙ୍କ ଡାଏଲଗ୍ ଶୁଣିଲେ ଥରି ଉଠୁଥିଲା ଦର୍ଶକଙ୍କ ମନ। ତାଙ୍କ ଅଭିନୟରେ ଥିଲା ରାଗ, ଭାବନା ଓ ଜୀବନର ବାସ୍ତବ ଚିତ୍ର। କିନ୍ତୁ ଯେଉଁ ‘ନାନା’ ନାଁରେ ତାଙ୍କୁ ସାରା ଦେଶ ଜାଣିଥିଲା, ସେ ନାଁ ପଛରେ ଲୁଚିଥିଲା ଏକ ଛୋଟ ହେଲେ ବି ଖୁବ୍ ଭାବପ୍ରବଣ କାହାଣୀ। ବଲିଉଡ୍ ଓ ମରାଠୀ ସିନେମାର ଦିଗ୍ଗଜ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ପରଲୋକ ଖବର ସାମ୍ନାକୁ ଆସିବା ପରେ ଏବେ ତାଙ୍କ ଜୀବନର କିଛି ଅଜଣା କାହାଣୀ ମଧ୍ୟ ଚର୍ଚ୍ଚାରେ ରହିଛି।

ନାନା ପାଟେକରଙ୍କ ଅସଲ ନାମ ଥିଲା ବିଶ୍ୱନାଥ ଗଜାନନ ପାଟେକର। ୧ ଜାନୁଆରୀ ୧୯୫୧ରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା ମୁରୁଡ-ଜଞ୍ଜିରାରେ ତାଙ୍କ ଜନ୍ମ। ବାପା ଦିନକର ପାଟେକର ଓ ମାଆ ନିର୍ମଳା ପାଟେକର। ଏକ ମରାଠୀ ପରିବାରରେ ବଢ଼ିଥିବା ନାନା ମୁମ୍ବାଇର ବାନ୍ଦ୍ରା ସ୍କୁଲ ଅଫ୍ ଆର୍ଟରେ ପାଠ ପଢ଼ିଥିଲେ।

ଜନ୍ମରୁ ତାଙ୍କ ନାଁ ନାନା ରଖାଯାଇନଥିଲା । ଏହି ନାଁ ପଛର କାହାଣୀ ନିଜେ ନାନା ଏକ ସାକ୍ଷାତକାରରେ କହିଥିଲେ। ତାଙ୍କ ମାଆଙ୍କର ଜଣେ ବନ୍ଧୁ ଥିଲେ, ଯିଏ ତାଙ୍କ ପାଇଁ ଭଉଣୀ ଭଳି ଥିଲେ। ସେ ଛୋଟବେଳୁ ବିଶ୍ୱନାଥଙ୍କୁ ସ୍ନେହରେ ‘ନାନା-ନାନା’ ବୋଲି ଡାକୁଥିଲେ। ବାସ୍, ସେହି ଡାକ ହିଁ ଧୀରେ ଧୀରେ ତାଙ୍କ ପରିଚୟ ପାଲଟିଥିଲା । ପରିବାର ଓ ଆଖପାଖର ଲୋକମାନେ ମଧ୍ୟ ତାଙ୍କୁ ‘ନାନା’ ବୋଲି ଡାକିବା ଆରମ୍ଭ କଲେ। ପରେ ଏହି ନାଁ ଏତେ ପ୍ରସିଦ୍ଧ ହେଲା ଯେ ‘ବିଶ୍ୱନାଥ’ ନାଁ କୁଆଡେ ହଜିଗଲା । ଆଉ ଏହି ‘ନାନା’ ନାଁ ହିଁ ତାଙ୍କୁ ବିଶ୍ବରେ ପରିଚିତ କରାଇଥିଲା ।

ନାନା ନିଜେ କହିଥିଲେ, ଏହି ନାଁ ତାଙ୍କୁ ଖୁବ୍ ପସନ୍ଦ। ଏପରିକି ପାସପୋର୍ଟ, ଆଧାର କାର୍ଡ ଓ ଅନ୍ୟାନ୍ୟ ଅଧିକାରିକ କାଗଜପତ୍ରରେ ମଧ୍ୟ ‘ନାନା ପାଟେକର’ ନାଁ ରହିଛି। ସ୍କୁଲ ସମୟରେ ତାଙ୍କୁ ‘ବିଶ୍ୱନାଥ’ କିମ୍ବା ‘ବିଶୁ’ ବୋଲି ଡକାଯାଉଥିଲା। ନାନା କହିଥିଲେ, ଆଜି ଯଦି କେହି ତାଙ୍କୁ ‘ବିଶୁ’ ବୋଲି ଡାକନ୍ତି, ତେବେ ସେ ତୁରନ୍ତ ବୁଝିଯାଆନ୍ତି ଯେ ସେ ବୋଧହୁଏ ତାଙ୍କ ସ୍କୁଲ ଦିନର କୌଣସି ପୁରୁଣା ପରିଚିତ ବ୍ୟକ୍ତି ହୋଇଥିବେ।

ଏକ ସାଧାରଣ ଡାକରୁ ଆରମ୍ଭ ହୋଇଥିବା ‘ନାନା’ ନାଁ ଦିନେ ତାଙ୍କର ଏମିତି ପରିଚୟ ପାଲଟିଗଲା, ଯାହାକୁ ସାରା ଦେଶ ଆପଣାଇ ନେଲା।

ତେବେ ଗୁରୁବାର ସକାଳେ ନାନା ପାଟେକରଙ୍କ ମୃତ୍ୟୁ ଖବର ସିନେମା ଜଗତକୁ ସ୍ତବ୍ଧ କରିଦେଇଛି। ରିପୋର୍ଟ ଅନୁସାରେ, ଗୋଆର ଡୋନା ପାଉଲାସ୍ଥିତ ନିଜ ଘରେ ସେ ଅଚେତ ଅବସ୍ଥାରେ ମିଳିଥିଲେ। ତୁରନ୍ତ ମେଡିକାଲ ଟିମ୍ ପହଞ୍ଚି ତାଙ୍କୁ ଚିକିତ୍ସା ଦେଇଥିଲା ଏବଂ ପରେ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲରେ ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି ଚେଷ୍ଟା କରିଥିଲେ। ହେଲେ ତାଙ୍କ ଶରୀର ଚିକିତ୍ସାରେ କୌଣସି ପ୍ରତିକ୍ରିୟା ଦେଇନଥିଲା। ସକାଳ ପ୍ରାୟ ୫ଟା ୨୦ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପ୍ରାଥମିକ ସୂଚନା ଅନୁସାରେ, ହୃଦ୍‌ଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ଗୋଟିଏ ସାଧାରଣ ପରିବାରର ‘ବିଶୁ’… ମାଆଙ୍କ ବନ୍ଧୁଙ୍କ ସ୍ନେହର ଡାକରେ ‘ନାନା’ ହେଲେ। ଆଉ ସେହି ‘ନାନା’ ନାଁ ଦିନେ କୋଟି କୋଟି ଦର୍ଶକଙ୍କ ହୃଦୟରେ ଘର କରିନେଲା। ଆଜି ନାନା ନାହାନ୍ତି, କିନ୍ତୁ ତାଙ୍କ ଅଭିନୟ, ତାଙ୍କ ସ୍ୱର ଓ ‘ନାନା’ ନାଁ ସବୁଦିନ ପାଇଁ ସିନେମାପ୍ରେମୀଙ୍କ ମନରେ ବଞ୍ଚି ରହିବ।

Leave A Reply

Your email address will not be published.