ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଆଘାତ ସମସ୍ୟା ଲାଗି ରହିଛି । ଏଥିନେଇ ସେଂଟର ଅଫ ଏକ୍ସିଲେନ୍ସ ସମାଲୋଚିତ ହୋଇଛି । ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସର ବାର୍ଷିକ ରିପୋର୍ଟ ଆଧାରରେ ଭାରତୀୟ କ୍ରିକେଟରମାନଙ୍କ ଆଘାତ ଓ ରିହାବ୍ ପ୍ରକ୍ରିୟା ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆଣିଛି । ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆଇପିଏଲ ୨୦୨୬ ପରେ ହାମଷ୍ଟ୍ରିଙ୍ଗ୍ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାଙ୍ଗାଲୋରରେ ରିହାବ୍ କରିଥିଲେ, କିନ୍ତୁ ବିସିସିଆଇ ଏହି ସୂଚନାକୁ ସାର୍ବଜନୀନ କରିନଥିଲା । ଏପ୍ରିଲ୍ ୨୦୨୫ ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ବିସିସିଆଇର ୨୦ ଜଣ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ ପ୍ରାପ୍ତ ଏବଂ ୧୨ ଜଣ ଟାର୍ଗେଟେ ଇଣ୍ଡିଆ-ଏ କ୍ୟାଟେଗୋରୀର ଖେଳାଳି (ମୋଟ ୩୨ ଜଣ) ରିହାବ୍ କରିଛନ୍ତି ।
ଜୁଲାଇ ୨୦୨୫ରେ ମାଞ୍ଚେଷ୍ଟର ଟେଷ୍ଟ ସମୟରେ ଇଂଲଣ୍ଡ ବୋଲର କ୍ରିସ୍ ୱୋକ୍ସଙ୍କ ୟର୍କର ବଲ୍ ବାଜି ପନ୍ତଙ୍କ ଗୋଡ଼ର ହାଡ଼ ଭାଙ୍ଗିଯାଇଥିଲା । ଏହା ଏକମାତ୍ର ଗମ୍ଭୀର ଚୋଟ ଥିଲା ବାକି ଖେଳାଳିମାନଙ୍କର ମାଂସପେଶୀ ଟାଣିହୋଇଯିବା ଭଳି ସମସ୍ୟା ଦେଖାଦେଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା, ହର୍ଷିତ ରାଣା ଏବଂ ନୀତିଶ କୁମାର ରେଡ୍ଡୀ ବିଗତ ୧୮ ମାସ ମଧ୍ୟରେ ଅତି କମରେ ୪-୪ ମାସ ସେଣ୍ଟର ଅଫ୍ ଏକ୍ସଲେନ୍ସରରେ ବିତାଇଛନ୍ତି । ଏହାଛଡ଼ା ଜସପ୍ରୀତ ବୁମରା, ୱାଶିଂଟନ୍ ସୁନ୍ଦର ଏବଂ ପ୍ରସିଦ୍ଧ କୃଷ୍ଣା ମଧ୍ୟ ବାରମ୍ବାର ଆଘାତ ସମସ୍ୟା ଦେଇ ଗତି କରୁଛନ୍ତି । ଖେଳାଳିଙ୍କ ଆଘାତ ଓ ରିହାବ୍ ସୁବିଧା ପାଇଁ ବିସିସିଆଇ ୨୦୨୬-୨୭ ବାର୍ଷିକ ବଜେଟ୍ ୯୨ କୋଟିରୁ ବୃଦ୍ଧି କରି ୧୨୭ କୋଟି କରିଦେଇଛି । ମାର୍ଚ୍ଚ ୨୦୨୫ ରେ ନିତିନ ପଟେଲ୍ ଇସ୍ତଫା ଦେବା ପରଠାରୁ ସ୍ପୋର୍ଟସ ସାଇନ୍ସ ଆଣ୍ଡ ମେଡିସିନ୍ ମୁଖ୍ୟ ପଦବୀ ଖାଲି ପଡ଼ିଛି ।

