ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ବୋମା ମାଡ ଅଭିଯୋଗ ହୋଇଛି। ରାଜଧାନୀ ସ୍ଥିତ ବାଣୀ ବିହାରର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ଭଳି ଏକ ଶକ୍ତିଶାଳୀ ଶବ୍ଦ ଯୋଗୁଁ ଆତଙ୍କ ଖେଳିଯାଇଛି।
ସୂଚନା ଅନୁଯାୟୀ, ଏହି ଘଟଣା ବିଶ୍ୱବିଦ୍ୟାଳୟର ପୁରୁଷ ଛାତ୍ରାବାସ ନଂ-୧ ନିକଟରେ ରାତି ପ୍ରାୟ ୧୧:୩୦ ସମୟରେ ଘଟିଥିଲା। ଏହି ଶକ୍ତିଶାଳୀ ଶବ୍ଦ ଶୁଣି କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀମାନେ ଭୟଭୀତ ହୋଇ ବିଭିନ୍ନ ଦିଗକୁ ଦୌଡ଼ିବାକୁ ଲାଗିଥିଲେ।
ଅନ୍ୟପକ୍ଷରେ ଉକ୍ତ ଶବ୍ଦ ବୋମା ଯୋଗୁଁ ହୋଇଥିଲା ନା ବାଣ ଫୁଟିବା ଯୋଗୁଁ, ସେନେଇ ପୋଲିସ ତଦନ୍ତ କରୁଛି।
ଘଟଣା ପରେ ଛାତ୍ରମାନେ ପୁରୁଷ ଛାତ୍ରାବାସ ନଂ-୧ ବାହାରେ ଏକାଠି ହୋଇ ସ୍ଲୋଗାନ୍ ଦେଇଥିଲେ। ପରବର୍ତ୍ତୀ ସମୟରେ BCJD ସଦସ୍ୟମାନେ ଘଟଣାର କାର୍ଯ୍ୟାନୁଷ୍ଠାନ ଦାବି କରି ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକକୁ ଘେରାଉ ମଧ୍ଯ କରିଥିଲେ।
ଭୁବନେଶ୍ୱର ଡିସିପି, ଏସିପି ସ୍ତରୀୟ ଅଧିକାରୀ ଏବଂ ସଶସ୍ତ୍ର ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସୁରକ୍ଷାମୂଳକ ପଦକ୍ଷେପ ନିଆଯିବ ବୋଲି ଡିପିସି କହିଛନ୍ତି। ସେପଟେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ପରେ କ୍ୟାମ୍ପସରେ ୨ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି।
ପରେ ଡିସିପି ପୁରୁଷ ଛାତ୍ରାବାସ ନଂ-୧ ପରିଦର୍ଶନ କରିଥିଲେ ଏବଂ ଯେଉଁ ସ୍ଥାନରୁ ଶବ୍ଦ ଶୁଣାଯାଇଥିଲା ସେହି ଅଞ୍ଚଳ ଯାଞ୍ଚ କରିଥିଲେ। ଅପରପକ୍ଷରେ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଅଧିକ ତଦନ୍ତ ରହିଥିବା ଜଣାପଡ଼ିଛି। ତେବେ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବିଭିନ୍ନ କଲେଜ ଓ ବିଶ୍ୱବଦ୍ୟାଳୟରେ ଏଭଳି ଅରାଜକତା ଓ ଅଶାନ୍ତି ପାଇଁ ସାଧାରଣରେ ଚିନ୍ତା ସୃଷ୍ଟି ହୋଇଛି।

